ମହିଳାଙ୍କ ବିକାଶକୁ ପ୍ରୋତ୍ସାହିତ କରୁଛି ଗୋନାସିକା ମହୋତ୍ସବ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି କେନ୍ଦୁଝର ପ୍ରସିଦ୍ଧ ଉତ୍ସବ ‘ଗୋନାସିକା ମହୋତ୍ସବ-2024’ର ଉଦଯାପନୀ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇଥିଲେ । କେନ୍ଦୁଝରର କଳା,ସଂସ୍କୃତି,ପରମ୍ପରା,ଲୋକନୃତ୍ୟ, ଗ୍ରାମୀଣ ଶିଳ୍ପକଳା, ଶିଳ୍ପୀ ଏବଂ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ‘ଗୋନାସିକା ମହୋତ୍ସବ’ ଏକ ଉତ୍କୃଷ୍ଟ ମଞ୍ଚ । ସମଗ୍ର ରାଜ୍ୟରେ ଗୋନାସିକା ମହୋତ୍ସବ ଏବେ ଆଲୋଡନ ସୃଷ୍ଟି କରିଛି ଏବଂ ସ୍ଥାନୀୟ କଳାକାରଙ୍କୁ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଗୋନାସିକା ମହୋତ୍ସବରେ ମିଶନ ଶକ୍ତି ମାନଙ୍କୁ ନିଜ ହାତ ତିଆରି ଦ୍ରବ୍ୟ ବିକ୍ରି କରିବା ପାଇଁ ବଜାର ସୁବିଧା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମିଶନ ଶକ୍ତି ମା’ମାନେ 75ଲକ୍ଷ ଟଙ୍କାର ବ୍ୟବସାୟ କରିସାରିଥିବା ବେଳେ 27 ତାରିଖ ମଧ୍ୟରେ 3କୋଟି ଟଙ୍କାର ବ୍ୟବସାୟ ହେବାର ଆକଳନ ଅଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ମହିଳା ସଶକ୍ତିକରଣ ଏବଂ ମହିଳାଙ୍କ ବିକାଶକୁ ପ୍ରୋତ୍ସାହିତ କରୁଛି ଗୋନାସିକା ମହୋତ୍ସବ । ଆମ ସରକାର ଲୋକଙ୍କ ସରକାର ଏବଂ ଯାହା କହିଛୁ ତାହା କରିବୁ । ଶେଷ ହିତାଧିକାରୀ ପାଖରେ ପହଞ୍ଚିବା ଯାଏଁ ସୁଭଦ୍ରା ସହାୟତା ପ୍ରଦାନ କରାଯିବ । ତେଣୁ ବ୍ୟସ୍ତ ନହୋଇ ଧର୍ଯ୍ୟ ଧରିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ମହିଳା ସଶକ୍ତିକରଣ, ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଆମର ପ୍ରତିବଦ୍ଧତା । କେନ୍ଦୁଝର ଜିଲ୍ଲାରେ 4 ଲକ୍ଷ 44 ହଜାର 375 ସୁଭଦ୍ରା ଆବେଦନରୁ 3ଲକ୍ଷ 36ହଜାର 286 ଜଣଙ୍କୁ ସୁଭଦ୍ରା ସହାୟତା ମିଳିସାରିଛି ଏବଂ 65 ହଜାରଙ୍କର ଫିଲଡ ଭେରିଫିକେସନ ମଧ୍ୟ ସରିଛି । ଜାନୁଆରୀ ମାସରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଦିଆଯିବ ବେଳେ କେନ୍ଦୁଝରରେ 78 ହଜାର ମହିଳାଙ୍କୁ ପ୍ରଥମ କିସ୍ତି ସୁଭଦ୍ରା ମିଳିବ । ମହିଳାଙ୍କ ନେତୃତ୍ୱରେ ହିଁ ବିକଶିତ ଓଡିଶା ଗଠନର ସ୍ବପ୍ନ ସାକାର ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମୋହନ ମାଝୀଙ୍କ ସରକାରରେ 2027 ସୁଦ୍ଧା 30 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଆମେ ସଂକଳ୍ପବଦ୍ଧ ବର୍ତ୍ତମାନ 69ହଜାର ଅଧିକ ମହିଳାଙ୍କୁ ଲକ୍ଷପତି ଦିଦି କରିବା ପାଇଁ ଚିହ୍ନଟ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିକାଶର ସୂର୍ଯ୍ୟୋଦୟ ହୋଇଛି । ମା’ ତାରିଣୀଙ୍କ ପବିତ୍ର ମାଟି, ସ୍ୱାଧୀନତା ସଂଗ୍ରାମୀ ଧରଣୀଧର ଭୂୟାଁଙ୍କ ଭୂମି ଖଣି,ଖାଦାନ,ଜଙ୍ଗଲ,ନଦୀ,ଝରଣାରେ ପରିପୁର୍ଣ୍ଣ କେନ୍ଦୁଝରରେ ରହିଛି ପର୍ଯ୍ୟଟନର ଅପାର ସମ୍ଭାବନା । ଆଗାମୀ ଦିନରେ କେନ୍ଦୁଝରରେ ପର୍ଯ୍ୟଟନର ବିକାଶ ହେବା ସହ ଶିଳ୍ପ ସମୃଦ୍ଧ ଜିଲ୍ଲାରେ ପରିଗଣିତ ହେବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।