ବରକୁଳରେ ବିଳାସପୁର୍ଣ୍ଣ 40 ସିଟ ବିଶିଷ୍ଟ କ୍ରୁଜ୍ ବୋଟର ଉଦଘାଟନ

ଭୁବନେଶ୍ୱର : ‘ସ୍ବଦେଶ ଦର୍ଶନ ଯୋଜନାର ଉପକୂଳ ସର୍କିଟ ବରକୁଳର ବିକାଶ’ ଅଧୀନରେ ‘ଲେକ୍ କୁଇନ’ ଏବଂ ‘ଡାଇମଣ୍ଡ୍ ପ୍ରିନ୍ସସେସ୍’ ନାମକ ଦୁଇଟି ବିଳାସପୁର୍ଣ୍ଣ 40 ସିଟବିଶିଷ୍ଟ କ୍ରୁଜ୍ ବୋଟର ଶୁଭ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ।
ପର୍ଯ୍ୟଟକମାନଙ୍କ ଆରାମଦାୟକ ଏବଂ ସ୍ମରଣୀୟ ଯାତ୍ରା ସୁନିଶ୍ଚିତ କରିବା ନିମନ୍ତେ ଏହି କ୍ରୁଜ୍ ଡ଼ଙ୍ଗା ଗୁଡିକରେ ଏୟାର କଣ୍ଡିସନ କ୍ୟାବିନ ଠାରୁ ଆରମ୍ଭ କରି ଅନ୍-ବୋର୍ଡ ଫୁଡ୍ ସର୍ଭିସ ପର୍ଯ୍ୟନ୍ତ ସର୍ବୋତ୍ତମ ସୁବିଧା ଉପଲବ୍ଧ କରାଯାଇଛି । କ୍ରୁଜ୍ ରେ ଯାତ୍ରା କରିବା ସମୟରେ ପର୍ଯ୍ୟଟକମାନେ କାଳିଜାଇ ଦ୍ବୀପ ଏବଂ ନଳବଣ ପକ୍ଷୀ ଅଭୟାରଣ୍ୟର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ବିଶ୍ୱସ୍ତରରେ କ୍ରୁଜ୍ ପର୍ଯ୍ୟଟନର ଚାହିଦା ବୃଦ୍ଧି ପାଉଛି ଓ ଓଡ଼ିଶାରେ ଏହାର ସମ୍ଭାବନା ଯଥେଷ୍ଟ ଅଧିକ ଅଛି ଏବଂ ଏହି କ୍ରୁଜ୍ ପର୍ଯ୍ୟଟନ ଓଡ଼ିଶାରେ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ । ପର୍ଯ୍ୟଟନର ଭିତ୍ତିଭୂମିର ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତି ଥିଲେ ।