ଭୁବନେଶ୍ଵର : କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ଧର୍ମଗଡ଼ ଥାନା ପୋଲିସ ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ 8 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ 3 କୋଟି 51ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ମାନେ ହେଲେ, ଝାଡଖଣ୍ଡ ରାଜ୍ୟ ରାଞ୍ଚି ଜିଲ୍ଲାର ତାହିର ଅନସାରୀ,ହୁସେନ୍ ଖାନ୍, ଜସିମ ଖାନ୍, ସାମିମ୍ ଅନସାରୀ,ବାସୁଦେବ ଗୋପେ, ପିଣ୍ଟୁ ଓରଫ ଆଲିମ୍,ଅନୁଜ କୁମାର ଏବଂ ସମିମ ଅନସାରୀ ।
ଗତ ୩୦ ତାରିଖରେ ଧର୍ମଗଡ଼ ଠାରେ ଥିବା ଏକ ଦେଶୀ ମଦ ଭାଟିରେ ଏହି ଡକାୟତ ସଂଘଟିତ ହୋଇଥିଲା । ବିଳମ୍ବିତ ରାତିରେ ପ୍ରାୟ 8 ଜଣ ଡକାୟତ ମାରଣାସ୍ତ୍ର ଧରି ଡକାୟତି କରିବା ଉଦ୍ଦେଶ୍ୟରେ ଏହି ଭାଟିରେ ପଶିଥିଲେ । ସେଠାରେ ବନ୍ଧୁକ ଏବଂ ମରଣାସ୍ତ୍ର ଦେଖାଇ ଧମକ ଦେଇ ବିପୁଳ ପରିମାଣର ଟଙ୍କା ଲୁଟି ନେଇଥିଲେ । ଏନେଇ ଧର୍ମଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଡକାୟତଙ୍କୁ ଧରିବାକୁ କଳାହାଣ୍ଡି ଏସପି ଅଭିଳାଷ ଜି.ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରାଯାଇଥିଲା । ଡକାୟତି କରିବା ପରେ ଅଭିଯୁକ୍ତମାନେ JH10AP4817 ନମ୍ବର ବିଶିଷ୍ଟ ବୋଲେରୋ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପ୍ରାଥମିକ ତଦନ୍ତ ସମୟରେ ସ୍ଥାନୀୟ ପୁଲିସ ଦୁଇ ଅଭିଯୁକ୍ତ ସିରାଜ ଆନସାରୀ ଏବଂ କାମେଶ୍ୱର ଯାଦବକୁ ସଂଗେ ସଙ୍ଗେ ଗିରଫ କରିଥିଲା । ଅନୁସନ୍ଧାନ ସମୟରେ ଅପରାଧରେ ବ୍ୟବହୃତ ଗାଡିକୁ ଝାଡ଼ଖଣ୍ଡରେ ଚିହ୍ନଟ କରାଯାଇ ଠାବ କରାଯାଇଥିଲା । ଅନ୍ୟ ଅଭିଯୁକ୍ତ ମାନେ ଝାଡ଼ଖଣ୍ଡ ଅଭିମୁଖେ ଫେରାର ହୋଇଥିବା ସମ୍ପର୍କରେ ପୋଲିସ ସୂଚନା ପାଇଥିଲା । ବର୍ତ୍ତମାନ ସୁଦ୍ଧା ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଡକାୟତି ହେବା ପରେ 11 ଟି ଜିଲ୍ଲାର ପୋଲିସ ତୁରନ୍ତ ଏଥିରେ ସାମିଲ ହୋଇଥିଲେ । କଳାହାଣ୍ଡି ବ୍ୟତୀତ ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ରାଉରକେଲା, ଗୁମଲା, ରାଞ୍ଚି , ଲୋହାର ଦାଗା, ୱେଷ୍ଟ ସିଂଭୁମ ଏବଂ ସିମଡେଗା ଜିଲ୍ଲା ପୋଲିସ ସାମିଲ ହୋଇଥିଲେ । ଉଭୟ ରାଜ୍ୟର ଜିଲ୍ଲା ପୋଲିସଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଗଲା ବୋଲି ଡିଜିପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଯସୀମ ନାଁରେ ରାଞ୍ଚିର ବିଭିନ୍ନ ଥାନାରେ 6 ରୁ ଅଧିକ ଧର୍ତ୍ତବ୍ୟ ମାମଲା ରହିଥିବା ବେଳେ ଅଲିମ ଅନସାରୀ ନାଁରେ 2ଟି ଏବଂ ତାହିର ଅନସାରୀ ନାଁରେ 3ଟି ମାମଲା ରହିଛି ।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ ସଫଳତା ନିମନ୍ତେ କଳାହାଣ୍ଡି ଏସପି ଅଭିଳାଷ ଜି. ଏବଂ ତାଙ୍କ ଟିମକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।