ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ସିଏସିପିର ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସହ ବୈଠକ ଆୟୋଜିତ

ଭୁବନେଶ୍ୱର : ଖରିଫ ଫସଲର ମୂଲ୍ୟ ତଥା ବିକ୍ରୟଭିତ୍ତିକ ନିୟାମକ ଗଠନ ନିମନ୍ତେ ସିଏସିପି (CACP)ର ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସହ ଏକ ବୈଠକ କରିଛନ୍ତି । ସିଏସିପି ଚେୟାରମ୍ୟାନ ପ୍ରଫେସର ବିଜୟ ପାଲ ଶର୍ମା ଚଳିତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ସହ କହିଥିଲେ, ଆମେ ହେଉଛୁ ଦୁନିଆର ସବୁଠାରୁ ବଡ଼ ମାର୍କେଟ । ଧାନ, ଗହମରେ ଆମେ ବଳକା ଦେଶ ଅଟୁ । ସେହିଭଳି ଶ୍ରୀ ଅନ୍ନ ପୂର୍ବରୁ ଆମ ଖାଦ୍ୟର ଅଂଶ ଥିଲା । ଏବେ ଲୋକେ ଏହାକୁ ହୃଦୟଙ୍ଗମ କରି ପୁନଃଶ୍ଚ ଥାଳିରେ ଆଣିବାକୁ ପ୍ରଚେଷ୍ଟା କରାଯାଉଛି । ଆଜିର ସମୟରେ ଆମକୁ ମଞ୍ଜିର ଗୁଣବତ୍ତା ଉପରେ ଧ୍ୟାନ ଦେବାକୁ ହେବ । ଯାହାଦ୍ୱାରା ଉତ୍କୃଷ୍ଟ ମାନର ଫସଲ ଫଳିବ ଏବଂ ବଳକା ଫସଲକୁ ଆମେ ବିଦେଶକୁ ରପ୍ତାନୀ କରିହେବ । ତା’ ଛଡ଼ା ଟ୍ରେଡ଼ ପଲିସିରେ ପରିବର୍ତ୍ତନ କରିବା ଆବଶ୍ୟକ । ଏହା ଚାଷୀଙ୍କୁ ବିଶେଷ ଭାବେ ଲାଭ ପ୍ରଦାନ କରିବ । ମୃତ୍ତିକା ସ୍ୱାସ୍ଥ୍ୟ, ଫସଲ ବିବିଧିକରଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ବୈଠକକୁ ଉଦଘାଟନ କରି କହିଛନ୍ତି, ଓଡ଼ିଶାରେ ଉତ୍ପାଦିତ ହେଉଥିବା ଜିନିଷର ବିଦେଶରେ ବହୁତ ଚାହିଦା ରହିଛି । ବିଦେଶ ରପ୍ତାନୀ ପାଇଁ ଉତ୍ସର୍ଗୀକୃତ କାର୍ଗ ସେବା ଓ ଫ୍ରାଇଟ ପ୍ରଣୟନ କରାଯାଉ। ଚଳିତବର୍ଷ ଓଡ଼ିଶାରେ ଉତ୍କୃଷ୍ଟ ମାନର ଷ୍ଟ୍ରବେରୀ ଫଳିଛି । ଏତଦବ୍ୟତୀତ, ଚାଷିଙ୍କୁ ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ କହିଥିଲେ ଯେ, ଓଡ଼ିଶା କୃଷି କ୍ଷେତ୍ରରେ ପ୍ରଗତି କରିଛି । ବିଶେଷ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଅଧିକ ୮୦୦ଟଙ୍କା ଇନପୁଟ ସହାୟତା ଚାଷୀଙ୍କୁ ପ୍ରୋତ୍ସାହିତ କରିଛି । କ୍ଷୁଦ୍ର ମିଲେଟ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି । ଏହି ବୈଠକରେ ଓଡ଼ିଶା ସମେତ ଛତିଶଗଡ଼, ଝାରଖଣ୍ଡ, ପଶ୍ଚିମବଙ୍ଗ କୃଷି ବିଭାଗର ଅଧିକାରୀମାନେ ପ୍ରତ୍ୟକ୍ଷ ରୂପେ ଯୋଗଦେଇଥିବାବେଳେ ବିହାରର ଅଧିକାରୀମାନେ ଆଭାସି ମାଧ୍ୟମରେ ଯୋଗଦେଇଥିଲେ । କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଓଡ଼ିଶା ବିଷୟରେ ଉପସ୍ଥାପନା ପ୍ରଦର୍ଶନ କରିଥିଲେ । ଅତିରିକ୍ତ ନିର୍ଦେଶକ ଡ଼ ରାଜେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।