କଟକ : ଆଜି କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ 73ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ – ୨୦୨୫ ଶୁଭାରମ୍ଭ ହୋଇ ଯାଇଛି । ଶ୍ରୀ ଆର. ପି. କୋଚେ, ଆଇପିଏସ, ନିର୍ଦ୍ଦେଶକ, ଗୁଇନ୍ଦା, ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ ।
ଖେଳ ପରସ୍ପର ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ ଭାବନା ସୃଷ୍ଟି କରିଥାଏ । ଏଭଳି ଚାମ୍ପିୟନସିପ ପୋଲିସ ଅଧିକାରୀ/ କର୍ମଚାରୀଙ୍କ ଆତ୍ମବିଶ୍ଵାସ ବୃଦ୍ଧି, ଅନୁଶାସନ ତଥା କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ବୃଦ୍ଧି ପାଇଥାଏ ବୋଲି ଗୁଇନ୍ଦା ନିର୍ଦେଶକ ଶ୍ରୀ କୋଚେ ମତବ୍ୟକ୍ତ କରିଥିଲେ । ରାଜ୍ୟ, ଜିଲ୍ଲା, ରେଞ୍ଜ ସ୍ତରର ଖେଳାଳିମାନେ ଏହି ଟୁର୍ନାମେଣ୍ଟରେ ସାମିଲ ହୋଇଥିବାରୁ ପରସ୍ପର ମଧ୍ୟରେ ଉତ୍ତମ ସମ୍ମନ୍ଵୟ ସୃଷ୍ଟିହେବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ସେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ମଧ୍ୟ ଧନ୍ଯବାଦ ଜଣାଇଥିଲେ ।
ଏହି ଚମ୍ପିୟାନସିପରେ ସାରା ରାଜ୍ୟର ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନରୁ 41 ଟି ପୋଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ 797 ଜଣ ଖେଳାଳି ସାମିଲ ହୋଇଛନ୍ତି । 665 ଜଣ ପୁରୁଷ ଓ 132 ଜଣ ମହିଳା ଏହି ଚାମ୍ପିୟନସିପରେ ସାମିଲ ହୋଇଛନ୍ତି । ଏହି ପ୍ରତିଯୋଗିତା ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଚାଲିବ ।
ଡିଆଇଜି( କେନ୍ଦ୍ରାଞ୍ଚଳ) ଶ୍ରୀ ଚରଣ ସିଂ ମୀନା ଏବଂ କଟକ ଡିସିପି ଶ୍ରୀ ଜଗମୋହନ ମୀନା, ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟ ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଆଇଜି( କାର୍ମିକ) ଶ୍ରୀ ଏସ. ପ୍ରବୀଣ କୁମାର, ଏଆଇଜି ( ମୁଖ୍ୟାଳୟ) ଶ୍ରୀ ସୁରେଶ କୁମାର ନାଏକଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।