ମୁଖ୍ୟମନ୍ତ୍ରୀଙ୍କ ସହିତ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର : ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁଦେବ ସାଏ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ଏହି ଅବସରରେ ବିଭିନ୍ନ ବିଷୟ ସହିତ ମହାନଦୀ ଜଳ ବିବାଦ ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଏହି ବିବାଦର ଆପୋଷ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଥିଲେ । ଦୁଇ ରାଜ୍ୟ ପରସ୍ପରର ପଡ଼ୋଶୀ ରାଜ୍ୟ ଏବଂ ଉଭୟ ରାଜ୍ୟ ମଧ୍ୟରେ ଭାଷା ଓ ଭାବଗତ ସାମଞ୍ଜସ୍ୟ ମଧ୍ୟ ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଉଭୟ ରାଜ୍ୟର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଏହାର ତୁରନ୍ତ ସମାଧାନ ହେବା ଆବଶ୍ୟକ ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ଏହା ଉପରେ ସକାରାତ୍ମକ ମତାମତ ପ୍ରକାଶ କରି କହିଥିଲେ ଯେ, ସେ ସଦାସର୍ବଦା ଆପୋଷ ସମାଧାନ ସପକ୍ଷରେ ଅଛନ୍ତି । ଆଲୋଚନା ଜରିଆରେ ଏହି ସମସ୍ୟାର ଉପଯୁକ୍ତ ସମାଧାନ ହୋଇପାରିବ ବୋଲି ସେ ମତ ଦେଇଥିଲେ ।

ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବିଷୟ ଉପରେ ଗୁରୁତ୍ୱ ଦେଇ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରାସ୍ତା ବାହାର କରିବାକୁ ଏକମତ ହୋଇଛନ୍ତି ।