ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ରାଜ୍ୟରେ ଚାଲିଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଗୁଡିକର ପୁନଃବିକାଶ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଛନ୍ତି ।
ସମୀକ୍ଷାରୁ ଜଣାଯାଇଛି ଯେ କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ୪୪୭୪.୪୯ କୋଟି ବିନିଯୋଗରେ ଜାରି ରହିଛି । ଏହି ପ୍ରକଳ୍ପ ଜୁନ୍ ୨୦୨୬ ସୁଦ୍ଧା ସଂପୂର୍ଣ୍ଣ କରିବାପାଇଁ ଲକ୍ଷ୍ୟ ରହିଛି । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସଂପୂର୍ଣ୍ଣ ହେଲେ, ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ଶଯ୍ୟା ସଂଖ୍ୟା ୩୭୯୬କୁ ବୃଦ୍ଧି ପାଇବ । ଏହି ମେଡିକାଲ କଲେଜ ଏମ୍ସ ପ୍ଲସ ପ୍ଲସ (AIIMS ++) ଭାବେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।
ସେହିପରି ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କ୍ୟାନସର୍ ପ୍ରତିଷ୍ଠାନ ତଥା ହସ୍ପିଟାଲର ମଧ୍ୟ ପୁନଃବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୮୯୫.୮୯ କୋଟି ଟଙ୍କା ବିନିଯୋଗ ହେଉଛି । ଦ୍ବିତୀୟ ପର୍ଯ୍ୟାୟ ପୁନଃବିକାଶ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ଏହାର ଶଯ୍ୟା ସଂଖ୍ୟା ୧୧୨୭କୁ ବୃଦ୍ଧି ପାଇବ ।
ବୁର୍ଲା ଭିମସାରର ୧୫୯୪ କୋଟି ଟଙ୍କା ବିନିଯୋଗରେ ପୁନଃବିକାଶ କାର୍ଯ୍ୟ କରାଯିବ । ବର୍ତ୍ତମାନ ଏହାର ଶଯ୍ୟା ସଂଖ୍ୟା ୧୪୮୫ ରହିଛି । କାର୍ଯ୍ୟ ସଂପନ୍ନ ହେବାପରେ ସମସ୍ତ ଅତ୍ୟାଧୁନିକ ସୁବିଧାସୁଯୋଗ ସହିତ ଏହା ବୃଦ୍ଧି ପାଇ ୨୮୬୧ରେ ପହଞ୍ଚିବ ।
ସେହିପରି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୧୦୧୪.୧୩ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ପୁନଃବିକାଶ କାର୍ଯ୍ୟ କରାଯିବ । ପୁନଃବିକାଶ ପରେ ଏହାର ଶଯ୍ୟା ସଂଖ୍ୟା ୧୫୮୩ ରୁ ୨୦୩୩କୁ ବୃଦ୍ଧି ପାଇବ ।
ରାଉରକେଲା ସରକାରୀ ହସ୍ପିଟାଲର ପୁନଃବିକାଶ ପାଇଁ ୬୨୭.୧୬ କୋଟି ଟଙ୍କା ଅଟକଳ କରାଯାଇଛି । ପୁନଃବିକାଶ ପରେ ଏହାର ଶଯ୍ୟା ସଂଖ୍ୟା ୪୩୭ ରୁ ୭୬୩ କୁ ବୃଦ୍ଧି ପାଇବ ।
ସେହିପରି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ୫୯୫୮ କୋଟି ଟଙ୍କା ବ୍ୟୟରେ ପୁନଃବିକାଶ କରାଯିବ । ପୁନଃବିକାଶ ପରେ ଏହାର ଶଯ୍ୟା ସଂଖ୍ୟା ୭୫୦ ରୁ ୨୫୮୨ କୁ ବୃଦ୍ଧି ପାଇବ ।
ଏହି ସମସ୍ତ ମେଡିକାଲ ପ୍ରକଳ୍ପ ଗୁଡିକରେ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ସୁବିଧା, ହଷ୍ଟେଲ, ଏକାଡ଼େମିକ ବିଲ୍ଡିଂ, ରୋଗୀ ସଂପର୍କୀୟଙ୍କ ରହଣୀସ୍ଥଳ, ଷ୍ଟାଫ କ୍ବାର୍ଟର, ଖେଳପଡିଆ, ଅଡିଟୋରିଅମ୍ ଭଳି ଉନ୍ନତ ଭିତ୍ତିଭୂମି ନିର୍ମାଣ ହେବ ।
ଏହି ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ବତୀ ଏସ୍ ଏବଂ ଓ.ବି.ସି.ସିର ପରିଚାଳନା ନିର୍ଦ୍ଦେଶକ ଓ ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।