ରାତି ଆସେ ଯେବେ

କାଳନ୍ଦୀ ଚରଣ ଭଞ୍ଜ

ଦିବସ ଅନ୍ତେ ଆସେ ରାତି ଧରାକୁ
ଏକ ଭାଷା ଥାଏ ତାର
ଅନ୍ଧାରର, ନିରବତାର, ନିର୍ଜନତାର
ସେ ଭାଷା ବି ଅନେକ କଥା କହେ
ଯାହାର ଡେଣାଥାଏ
ପକ୍ଷ ବିସ୍ତାର କରି ଉଡୁଥାଏ
ଏଠାକୁ ସେଠାକୁ
ସେ ମନ ଖୋଲି ହସେ ଜ୍ୟୋସ୍ନାମୟ ରାତିରେ
କାନ୍ଦେ ଅବା ରଜନୀରେ
ଧିରେ ଚାଲୁଥାଏ ସଞ୍ଜୁ ପ୍ରାତଃକାଳ ଯାଏ ।

ସେ ରାତିର ବହୁ ରୂପ ଥାଏ
ହୁଏ କେତେବେଳେ ତରୁଣୀ
ହୁଏବି ନବଯୌବନୀ
ଭାଙ୍ଗ ଅଳସ, ରଚେ ଅଭିସାର
ମନ, ଦେହ, ଇଚ୍ଛାର ।

ଘଟିଯାଏ ଅସଂଖ୍ୟ ଘଟଣା, ଦୁର୍ଘଟଣା
ସେ ରହସ୍ୟମୟୀ ରାତିରେ
ମନ କେଉଁଠି ଅନାବୃତ ହୁଏ
ଦେହ କେଉଁଠି ବି ଅନାଭରଣ ହୋଇଯାଏ ।

ଅନେକ ରହସ୍ୟ ଅନ୍ଧାର ପଛପଟେ ଲୁଚିଯାଏ
କେତେବେଳେ ଧ୍ୱଂସାବଶେଷ ପଡ଼ିରହେ
ଅନାବଶ୍ୟକ ଅବଶିଷ୍ଟାଂଶ ରୂପେ
ଯାହା ଇତିହାସ ହୋଇ ରହେ ।

ଅବୁଝା, ଅସ୍ପଷ୍ଟ ରହସ୍ୟମୟୀ ରାତି
ଲୁଚାଇ ରଖେ ଅସଂଖ୍ୟ କାହାଣୀ ତା’ ଛାତିରେ
ଯେ ଖୋଜେ ସେ ପାଏ
ନହେଲେ ଲୁପ୍ତ ହୁଏ ସମୟର ଗତିରେ
ରୂପ କଥାର ସେହି  ବୁଢ଼ୀ ମା କାହାଣୀ ପେଡ଼ି
ଖୋଲି ବସେ ନାତିନାତୁଣୀଙ୍କ ପାଖେ
ନିଇତି ପାହାଡ଼ ତଳେ ମାଛି  ଅନ୍ଧାର ଯେବେ ଆସେ ।

ବୁଢ଼ୀ ଅସୁରୁଣୀ କଥା,ମଣ୍ଡାଖିଆ ଅସୁର ଗାଥା
ଗପୁଗପୁ ଦନ୍ତାହାତୀ ପାହାଡୁ ଖସି ଖେତ ଖାଏ ବାଡ଼ଭାଙ୍ଗେ
ବିଲୁଆ ଭୁକେ, ପେଚା ରାବେ, ବାଘ ହେଣ୍ଟାଳେ
ଚୋର ସିନ୍ଧିଗାତ ଖୋଳେ
ଭୟ ପାଇ ପିଲାଏ ଶୋଇଯାଆନ୍ତି, ବୁଢ଼ୀମା କାନି ତଳେ ।

କାଳନ୍ଦୀ ଚରଣ ଭଞ୍ଜ
୭୮୯, ଲକ୍ଷ୍ମୀସାଗର, ଭୁବନେଶ୍ୱର-୬, ମୋ:୯୩୩୭୮୮୭୮୯୮