ଭୁବନେଶ୍ୱର/କେନ୍ଦୁଝର : ମହାନ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ତାଙ୍କ ଜନ୍ମଭୂମି କେନ୍ଦୁଝର ଜିଲ୍ଲାର କୁସୁମିତା ଠାରେ ମହାସମାରୋହରେ ପାଳିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ୫୦ କୋଟି ଟଙ୍କା ବ୍ୟୟ ବରାଦରେ କୁସୁମୀତା ଠାରେ ସ୍ମୃତି ସଂଗ୍ରହାଳୟ ଓ ଵ୍ୟାଖ୍ୟାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଜିଲ୍ଲାରେ ପ୍ରାୟ ୧୧୫୫ କୋଟି ଟଙ୍କା ବ୍ୟୟ ବରାଦର ସମୁଦାୟ ୩୪୦ ଗୋଟି ନୂତନ ପ୍ରକଳ୍ପର ଘୋଷଣା, ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ବିଳ୍ପବ ସହିତ ଆଧ୍ୟାତ୍ମିକତାର ପ୍ରତୀକ ଥିଲେ ଧରଣୀଧର । ମହାନ ବିପ୍ଲବୀ ଧରଣୀଧର ଓଡ଼ିଶାରେ ବ୍ରିଟିଶ୍ ବିରୋଧୀ ଆନ୍ଦୋଳନରେ ନେତୃତ୍ୱ ଦେଇଥିବା ଏକ ଦୃଢ ସଂଘର୍ଷୀ ନାୟକ । ତାଙ୍କ ଦୃଢ ସଂକଳ୍ପ, ଦେଶପ୍ରେମ ଓ ତ୍ୟାଗ ଆଜି ଯୁବପିଢି ପାଇଁ ପ୍ରେରଣା ସ୍ରୋତ । ରାଜ୍ୟ ସରକାର ତାଙ୍କ ସ୍ମୃତିକୁ ଅମର କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ପୂଜ୍ୟପୂଜା ପରମ୍ପରାକୁ ଗୁରୁତ୍ୱ ଦେଇ ଆଜି ଆମ ସରକାର ସାରା ଓଡିଶାରେ ମହାପୁରୁଷ ମାନଙ୍କ ଜୟନ୍ତୀ ସେମାନଙ୍କ ଜନ୍ମ ମାଟିରେ ପାଳନ କରୁଛି । ଏହାହିଁ ଆମ ଅସ୍ମିତାର ପରିଚୟ ।
ଧରଣୀଧରଙ୍କ ଜୀବନୀ ହିଁ ଆମକୁ ଅଖଣ୍ଡତା ଓ ବିକାଶର ଦିଗରେ କାର୍ଯ୍ୟ କରିବାକୁ ଶିକ୍ଷା ପ୍ରଦାନ କରେ । ଜୀବନର ପ୍ରଥମ ଭାଗ ସେ ବିଦ୍ରୋହ କରି ସ୍ୱାଧୀନତାର ଅଗ୍ନି ଜଳାଇଥିଲେ ଓ ଶେଷ ଭାଗକୁ ସେ ଆଧ୍ୟାତ୍ମିକ ମାର୍ଗରେ ଯାଇ ଦେଶର ସ୍ୱାଧୀନତା ପାଇଁ ଇଶ୍ୱରଙ୍କ ଆଶୀର୍ବାଦ ଲାଭ କରିଥିଲେ । ଆଜି ଧରଣୀଧର ନାହାନ୍ତି, ତାଙ୍କ ସ୍ମୃତି ଅଛି। ବିପ୍ଲବ କରିବାର ଯେଉଁ ଚେତନା ସେ ସୃଷ୍ଟି କରିଥିଲେ, ସେ ଚେତନା ଅଛି । ଆଜି ସ୍ୱାଧୀନତା ପାଇଁ ଲଢିବାର ନାହିଁ। ଆଜିର ସମୟ ହେଉଛି ବିକାଶ ପାଇଁ ଲଢିବାର ସମୟ। ଦୀର୍ଘ ଦିନ ଧରି କେନ୍ଦୁଝରକୁ ଯେଉଁ ଅବହେଳା ହୋଇଥିଲା, ତାକୁ ଦୂର କରିବାର ସମୟ ଆଜି ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଲଢେଇ କରି ବଞ୍ଚିବା ପାଇଁ ଏ ମାଟିର ବରପୁତ୍ର ଧରଣୀଧର ଆହ୍ୱାନ ଦେଇଥିଲେ ଏବଂ ସେହି ଆହ୍ୱାନକୁ କାମରେ ଲଗାଇ ଆଜି ମୁଁ ମୋ ରାଜ୍ୟର ସେବା କରିବାର ସୁଯୋଗ ପାଇଛି । ଏ ମାଟିର ଶକ୍ତି ଆମକୁ ଆହୁରି ସଶକ୍ତ କରିଛି ଏବଂ ଏକ ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଏହି ଶକ୍ତି ଆମକୁ ପ୍ରେରଣା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଧରଣୀଧରଙ୍କ ସ୍ମୃତିରେ ଭୁବନେଶ୍ୱରରେ ଏକ ଅତିଥି ଭବନ ପ୍ରତିଷ୍ଠା କରାଯିବ । ଯେଉଁ ସ୍ମୃତି ପୀଠ ପାଇଁ ଭିତ୍ତିପ୍ରସ୍ତର ରଖା ଯାଇଛି ସେଥିରେ ଧରଣୀଧରଙ୍କ ପୈତୃକ ବାସ ଗୃହର ସଂରକ୍ଷଣ କରାଯିବ ଏବଂ ତାଙ୍କ ବ୍ୟବହୃତ ସାମଗ୍ରୀ ଗୁଡିକୁ ସୁରକ୍ଷିତ କରି ରଖାଯିବ । ଧରଣୀଧରଙ୍କ ଘର ପାଖରେ ଦୁଇ ଏକର ଜମିରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବା ସହିତ ଏକ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ । ଏହାକୁ ଏକ ପର୍ଯ୍ୟଟନ ଭାବେ ବିକଶିତ କରିବା ପାଇଁ ପାର୍କ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦୁଝରରେ ଖୁବଶୀଘ୍ର ଜେଏସ୍ଡବ୍ଲୁ ଦ୍ୱାରା ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି । ଷ୍ଟିଲପ୍ଲାଣ୍ଟ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୫ ହଜାର କୋଟି ଟଙ୍କା ବିନିଯୋଗ ହେବ । ଏଥି ସହିତ କେନ୍ଦୁଝରରେ ସମୁଦାୟ ୧,୨୯,୮୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ୩୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଯାହାଦ୍ୱାରା ୩୦ରୁ ୩୫ ହଜାର ଯୁବକ ଯୁବତୀ ରୋଜଗାର ପାଇବେ । ଶିଳ୍ପ ପ୍ରତିଷ୍ଠାନ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନ ପ୍ରକଳ୍ପ ଗୁଡିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ ଯାହା ଦ୍ୱାରା କେନ୍ଦୁଝର ଜିଲ୍ଲା ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ଆଗକୁ ଯିବ ।
କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବିପ୍ଲବୀ ଧରଣୀଧରଙ୍କୁ ସ୍ୱାଭିମାନର ପ୍ରତୀକ ବୋଲି କହିବା ସହିତ ତାଙ୍କ ଜୀବନୀରୁ ପ୍ରତ୍ୟେକ ବର୍ଗ ଅନୁପ୍ରାଣିତ ହେବା ପାଇଁ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରର ଶ୍ରୀ କାଙ୍ଗାଳି ଚରଣ ନାଏକଙ୍କୁ ଧରଣୀଧର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାୟକ, ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଢ ପ୍ରମୁଖ ନିଜ ଅଭିଭାଷଣ ରଖିଥିଲେ ।
କାର୍ଯ୍ୟକ୍ରମରେ ବିପ୍ଲବୀ ଧରଣୀଧର ନାଏକଙ୍କ ବଂଶଧର ଶ୍ରୀ କଳାକର ନାଏକ ଯୋଗଦେଇଥିବା ବେଳେ ଭୂୟାଁ ସାଂସ୍କୃତିକ ସଂଗଠନର ସମ୍ପାଦକ ଶ୍ରୀ ଶ୍ୟାମ ସୁନ୍ଦର ନାଏକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭୂୟାଁ ସାଂସ୍କୃତିକ ସଂଗଠନର ଉପଦେଷ୍ଟା ଶ୍ରୀମତୀ ମମିତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।