ଭୁବନେଶ୍ୱର – ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଭାବେ ଓଡିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ । ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ମହଜୁଦ୍ ଅଛି । OMC, ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରକୃତି କୋଳରୁ ଖଣିଜ ସମ୍ପଦ ଅନ୍ୱେଷଣ ଓ ଖଣି ଖନନ କାର୍ଯ୍ୟ ଦାୟିତ୍ୱପୂର୍ଣ୍ଣ ଭାବେ କରିଆସୁଛି । ରାଜ୍ୟକୁ ଅର୍ଥନୈତିକ ସ୍ତରରେ ସମୃଦ୍ଧ କରିବା ପାଇଁ OMCର ବଳିଷ୍ଠ ଅବଦାନ ରହିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ OMCର ୭୦ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ।
ଏହି ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୬୦ ଦଶକରେ ମାତ୍ର ୧କୋଟି ଟଙ୍କାର ଆର୍ଥିକ କାରବାର ସହିତ OMC ନିଜର ଯାତ୍ରା ଆରମ୍ଭ କରି ୨୦୨୪-୨୫ ଆର୍ଥିକ ବର୍ଷରେ ୨୩,୬୦୦ କୋଟି ଟଙ୍କାର ଆର୍ଥିକ କାରବାର କରିଛି । ଏହି କାରବାର କେବଳ ଖଣିଜ ପଦାର୍ଥ ଉତ୍ପାଦନ ଓ ବିକ୍ରୟ ମାଧ୍ୟମରେ ହୋଇଛି । ଆଜି OMC ଦେଶରେ ଖଣିଜ ଉତ୍ପାଦନ କାରୀ କମ୍ପାନୀ ମଧ୍ୟରେ ଶ୍ରେଷ୍ଠ ୫ମ ସ୍ଥାନରେ ରହିଛି । OMC କେବଳ ଆମ ରାଜ୍ୟରେ ନୁହେଁ ବରଂ ସାରା ଦେଶରେ ନିଜକୁ ଏକ ଆଦର୍ଶ Profit Making State PSUs ଭାବରେ ପ୍ରତିଷ୍ଠିତ କରିପାରିଛି । OMC ଓଡିଶା ବିକାଶର ସାରଥୀ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।
ସେ ପୁଣି କହିଥିଲେ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ । କେବଳ କୃଷି ଉପରେ ନିର୍ଭର କରି ଚାଲିଲେ ଆମେ ଆଗକୁ ବଢି ପାରିବା ନାହିଁ । ଆମ ରାଜ୍ୟରେ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ସୁଯୋଗ ରହିଛି । ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ଓଡିଶାକୁ ଏକ ମିଶ୍ରିତ ଅର୍ଥନୀତି ଭାବେ ଗଢିତୋଳିବା ପାଇଁ । ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ Manufacturing କ୍ଷେତ୍ରରେ ଅଧିକ ଧ୍ୟାନ ଆକର୍ଷଣ କରିବାକୁ ପଡିବ । Manufacturing ପାଇଁ ଆବଶ୍ୟକ କଞ୍ଚାମାଲ ଆମ ରାଜ୍ୟରେ ପ୍ରଚୁର ଭାବେ ଭରପୁର ଅଛି । ପୂର୍ବ ସରକାର ମାନେ ରାଜ୍ୟର ଏହି Industrialization Potential କୁ ଉପଯୋଗ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ। କିନ୍ତୁ ଆମ ସରକାର ଏହାର ବିପରୀତ ନୀତି ଆପଣେଇଛନ୍ତି । ରାଜ୍ୟର ଖଣିଜ ଦ୍ରବ୍ୟରେ Value Addition କରି ବିକ୍ରୟ କରାଯିବା ନୀତି ଆପଣେଇଛନ୍ତି । ଉଦ୍ୟୋଗୀକରଣ ମାଧ୍ୟମରେ ଦ୍ରୁତ ଶିଳ୍ପାୟନ ପାଇଁ ଆମେ ଶପଥ ନେଇଛୁ ବୋଲି ସେ କହିଥିଲେ ।
ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ଇ-ନିଲାମ୍ ପ୍ଲାଟଫର୍ମ ମାଧ୍ୟମରେ ଲଙ୍ଗ-ଟର୍ମ ଲିଙ୍କେଜ୍ ପଲିସି ଦ୍ୱାରା ରାଜ୍ୟରେ ପ୍ରତିଷ୍ଠିତ ଶିଳ୍ପ ଗୁଡିକୁ ୮୦ ପ୍ରତିଶତରୁ ଅଧିକ କଞ୍ଚାମାଲ ଉପଲବ୍ଧ କରାଯାଇ ପାରୁଛି ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଆମ ବିକାଶର ମୂଳ ସୂତ୍ରଧର ହେଉଛନ୍ତି ଆମ ଶ୍ରମିକ ଭାଇ ଓ ଭଉଣୀ ମାନେ । ଶ୍ରମିକ ସଶକ୍ତ ହେଲେ ଓଡିଶା ସଶକ୍ତ ହେବ । ଶ୍ରମଦାନ କରି ଓଡିଶାକୁ ସଶକ୍ତ, ସମୃଦ୍ଧ କରୁଥିବାରୁ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ଷେତ୍ରରେ ମେସିନ୍ ସହିତ ଅଧିକ ଶ୍ରମଶକ୍ତି ନିୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱଦେଇଥିଲେ ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ OMC ତାର CSR Activity ଜରିଆରେ ପ୍ରଶଂସନୀୟ କାମ କରୁଛି । ପରିବେଶ ସୁରକ୍ଷା ପାଇଁ ୯୦ ଲକ୍ଷରୁ ଉର୍ଦ୍ଧ୍ୱ ବୃକ୍ଷ ରୋପଣ କରିବାରେ ସଫଳ ହୋଇଛି । ଆଗାମୀ ଦିନରେ ଶିଳ୍ପାୟନକୁ ଦୃଷ୍ଟିରେ ରଖି ଆହୁରି ଅଧିକ ବୃକ୍ଷ ରୋପଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । OMC ପରିବେଶ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡାର ବିକାଶ ପାଇଁ ମଧ୍ୟ ଉଦ୍ୟମରତ ଅଛି। ଖଣି ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସବୁ କ୍ଷେତ୍ର ପାଇଁ CSR ଜରିଆରେ ଅଧିକ ବିନିଯୋଗ କରି ଲୋକଙ୍କୁ ଅଧିକ ସେବା ଯୋଗାଇଦେବା ପାଇଁ ସେ କହିଥିଲେ । ଏଥି ସହିତ ଖଣି ଅଞ୍ଚଳରେ ଆଇରନ ପିଲେଟ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଡୁବୁନା, ବଡବିଲ ଲୌହ ପଥର ଖଣିର ପୁନଃ ଆରମ୍ଭ କରିବା ସହିତ ବଡବିଲ ଅଞ୍ଚଳର ତିରିଙ୍ଗ ପାହାଡ ଖଣି ଓ ରେଙ୍ଗାଲବେଡା ଆର.ଆର୍ କଲୋନୀକୁ ବିଦ୍ୟୁତ ଯୋଗାଣର ଶୁଭାରମ୍ଭ କରିଥିଲେ, ଏଥିସହିତ ମୁଖ୍ୟମନ୍ତ୍ରୀ କୋଇଡା ଖଣି ଅଞ୍ଚଳରେ ଅବସ୍ଥିତ OMC ଖଣି ଗୁଡିକରେ ୯୦୦ କିଲୋ ୱାଟ୍ ପିକ୍ର ସୋଲାର ପ୍ଲାଣ୍ଟ ଉଦ୍ଘାଟନ କରିଥିଲେ । କମ୍ପାନୀର କାର୍ଯ୍ୟଦକ୍ଷତାକୁ ଅଧିକ ସୁଦୃଢ କରିବା ପାଇଁ ୪ଟି ଆଇ.ଟି. ମଡ୍ୟୁଲାର ଯଥା- ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ସିଷ୍ଟମ(LMS), OMC ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (OFMS), OMC ପ୍ଲଟ ଲ୍ୟାଣ୍ଡ ୟୁଟିଲାଇଜେସନ୍ ସିଷ୍ଟମ (OPLUS) ଏବଂ OMC ରିକ୍ରୁଟମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ORMS)ର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ତିନୋଟି ବିଭାଗରେ ସର୍ବୋଚ୍ଚ ପ୍ରଦର୍ଶନ କରିଥିବା OMCର କାର୍ଯ୍ୟକ୍ଷମ ଖଣି ଗୁଡିକ ମଧ୍ୟରୁ ୨୦୨୩-୨୪ ଓ ୨୦୨୪-୨୫ ବର୍ଷ ପାଇଁ ଶ୍ରେଷ୍ଠ ଖଣି କ୍ଷେତ୍ର, ଶ୍ରେଷ୍ଠ ଖଣି ଓ ସୁରକ୍ଷିତ ଖଣି ଏହିଭଳି ତିନୋଟି ବର୍ଗରେ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଓଡିଶା ଖଣି ନିଗମର CSR ଭିତ୍ତିକ ପଦକ୍ଷେପ ଉପରେ ପର୍ଯ୍ୟବେଶିତ ଏକ ପତ୍ରିକା ଅତିଥି ମାନେ ଉନ୍ମୋଚନ କରିଥିଲେ ।
ସୂଚନା ଯୋଗ୍ୟ ଯେ, ଡୁବୁନା ଖଣିର ଲୌହ ପଥର ବାର୍ଷିକ ଉତ୍ପାଦନ କ୍ଷମତା ୩ ନିୟୁତ ଟନ ଏବଂ ମାଙ୍ଗାନିଜ ଉତ୍ପାଦନ କ୍ଷମତା ୦.୦୫ ନିୟୁତ ଟନ ରହିଛି । ଡୁବୁନା ଖଣିରେ ୨୫.୭୭ ନିୟୁତ ଟନ ଲୁହାପଥର ଏବଂ ୨.୬ ନିୟୁତ ଟନ ମାଙ୍ଗାନିଜ ସଂରକ୍ଷିତ ହୋଇ ରହିଛି ।
କାର୍ଯ୍ୟକ୍ରମରେ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ଓଡିଶାର ଶିଳ୍ପାୟନ କ୍ଷେତ୍ରକୁ ପରିବର୍ତ୍ତନ କରିବାରେ OMCର ଭୂମିକା ଉପରେ ଆଲୋକପାତ କରି କହିଥିଲେ ଯେ ଆଜିଠାରୁ OMCର ୧୮ଟି ଖଣି କାର୍ଯ୍ୟକ୍ଷମ ହେଲା । ଏହା କେବଳ ଖଣିଜ ପଦାର୍ଥ ଉତ୍ପାଦନ କରୁନାହିଁ ଏହା ଏକ ଶକ୍ତିଶାଳୀ, ସ୍ୱାବଲମ୍ବୀ ଓଡିଶାର ମୂଳଦୁଆ ସ୍ଥାପନ କରୁଛି । ଉନ୍ନତ ଉତ୍ପାଦନ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ OMC ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ସୁଦୃଢ କରୁଛି । OMCକୁ ଆହୁରି ଚଳଚଞ୍ଚଳ କରିବା ପାଇଁ ସେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।
ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ଆମର ପ୍ରାକୃତିକ ସମ୍ପଦର ସଠିକ୍ ବିନିଯୋଗ କରି ଆମେ ବର୍ତ୍ତମାନ ଏକ ଦୁର୍ବଳ ଅର୍ଥନୀତିରୁ ମଧ୍ୟବର୍ତ୍ତୀ ଅର୍ଥନୀତିକୁ ଆସି ପାରିଛୁ । OMC ଦୀର୍ଘ ବର୍ଷ ଧରି ଭଲ ପ୍ରଦର୍ଶନ କରିଆସିଛି । ତଥାପି ଆମକୁ ନିରନ୍ତର ବିକାଶ ପ୍ରକ୍ରିୟାରେ ନୂଆ ଟେକ୍ନୋଲୋଜି ସହିତ ସାମିଲ ହେବାକୁ ପଡିବ ।
ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଏମ୍ସିର ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଦେଇଥିଲେ ଏବଂ OMC ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ନିଗମ ଅଧୀନରେ କାମ କରୁଥିବା ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।