ଓଡିଶା ଜୋନ୍ ର ସଫଳତା

ବାଳିକା ବିଭାଗରେ ୨୫ ତଥା ବାଳକ ବିଭାଗରେ ୧୪ଟି ପଦକ ହାସଲ ସହ

ଭୁବନେଶ୍ୱର : ହରିୟାନା ରାଜ୍ୟର ପାନିପତ୍ ତଥା ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ଠାରେ ସଦ୍ୟ ସମାହିତ ହୋଇଯାଇଥିବା ଡି.ଏ.ଭି ଜାତୀୟ କ୍ରୀଡ଼ା ଅନ୍ତର୍ଗତ ବାଳିକା ଓ ବାଳକ ବିଭାଗରେ ୨୫ ଓ ୧୪ ପଦକ ସହ ଓଡିଶା ଜୋନ୍ ଆଶାତୀତ ସଫଳତା ହାସଲ କରିଛି । ବିଗତ ବର୍ଷ ମାନଙ୍କ ତୁଳନାରେ ଚଳିତ ବର୍ଷ ଗୁଣାତ୍ମକ ସଫଳତା ହାସଲ କରି ବାଳିକା ବିଭାଗରେ ୩ ସ୍ୱର୍ଣ୍ଣ, ୧୧ ରୌପ୍ୟ ଓ ୧୧ ବ୍ରୋଞ୍ ପଦକ ହାସଲ ସହ ସୁଟିଂରେ ଦଳଗତ ଦ୍ୱିତୀୟ ତଥା ଜିମ୍ନାଷ୍ଟିକ୍ରେ ଦଳଗତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବାଳକ ବିଭାଗରେ ୩ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୯ ବ୍ରୋଞ୍ ପଦକ ସହ ଚେସ୍ ରେ ଦଳଗତ ପ୍ରଥମ ଓ କରାଟେ ରେ ଦଳଗତ ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟକୁ ଗୌରବାନ୍ନିତ କରିଛନ୍ତି । ଏଠାରେ ସୁଚନା ଯୋଗ୍ୟ ଯେ ଡି.ଏ.ଭି ଆଞ୍ଚଳିକ ନିର୍ଦ୍ଦେଶାଳୟ ଆନୁକୁଲ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ଡି.ଏ.ଭି ବିଦ୍ୟାଳୟ ମାନଙ୍କ ମଧ୍ୟରେ ଜୋନାଲ୍ ସ୍ତରରେ ବିଭିନ୍ନ ଖେଳକୁଦମାନ ଆୟୋଜନ କରାଯାଇ ଏହି ଜାତୀୟ ପ୍ରତିଯୋଗିତା ପାଇଁ ଖେଳାଳୀ ଚୟନ କରାଯାଇଥାଏ । ଚଳିତ ବର୍ଷ ଏହି କ୍ରମରେ ବାଳିକା ବିଭାଗରେ ୧୨୫ ଓ ବାଳକ ବିଭାଗରେ ୨୨୬ ପ୍ରତିଯୋଗୀ ତଥା ୩୦  ପ୍ରଶିକ୍ଷକ ଓ ପ୍ରଶିକ୍ଷିକା ଏହି ଜାତୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଜୋନ୍  ଏହି ସଫଳତା ପାଇଁ ଜାତୀୟ କ୍ରୀଡାର ଆଞ୍ଚଳିକ ସଂଯୋଜକ ତଥା ଡି.ଏ.ଭି. ଶିକ୍ଷାନୁଷ୍ଠାନ ସମୂହ, ଜୋନ୍-୧ ର ଆଞ୍ଚଳିକ ନିର୍ଦ୍ଦେଶକ ଡଃ କେ.ସି.ଶତପଥୀ, ଡି.ଏ.ଭି. ଶିକ୍ଷାନୁଷ୍ଠାନ ସମୂହ, ଜୋନ୍-୧ ର ସହ-ଆଞ୍ଚଳିକ ନିର୍ଦ୍ଦେଶିକା ଡଃ ସୁଜାତା, ଓଡିଶା ଜୋନ୍–୨ର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଲୋକନାଥ ପ୍ରଧାନ, କ୍ଲଷ୍ଟର ଇନ୍ଚାର୍ଜ ଶ୍ରୀ ବିପିନ କୁମାର ସାହୁ ଓ ଶ୍ରୀ ଏ.କେ ମିଶ୍ର, ଡି.ଏ.ଭି ଆଠ ନମ୍ବରର ଅଧ୍ୟକ୍ଷା ଶ୍ରୀମତୀ ଇ. ଦାସ ତଥା ଅନ୍ୟାନ୍ୟ ଡି.ଏ.ଭି ବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷା, ଶୁଭେଚ୍ଛୁ, ଅଭିଭାବକବୃନ୍ଦ ଖୁସିବ୍ୟକ୍ତ କରିବା ସହ ଜାତୀୟ ଦଳର ପ୍ରତ୍ୟାବର୍ତ୍ତନ ସମୟରେ ରେଳ ଷ୍ଟେସନ୍ଠାରେ ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିବା ସହ ଆଗାମୀ ଦିନରେ ଅଧିକ ପଦକ ହାସଲ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।