ଟ୍ୱିନ ସିଟିରେ କାର୍ଯ୍ୟକାରୀ ହେବାକୁ ଥିବା ପୂର୍ତ୍ତ ବିଭାଗ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଭୁବନେଶ୍ୱର-କଟକ ଟ୍ୱିନ ସିଟିରେ କାର୍ଯ୍ୟକାରୀ ହେଉଥିବା ପୂର୍ତ୍ତ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ୍ ଭିଡ ହ୍ରାସ (Decongestion Plan) ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା ।

ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ଏଲିଭେଟେଡ୍ କରିଡର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗ ମୌଜା ପର୍ଯ୍ୟନ୍ତ ଦୟା ୱେଷ୍ଟ କେନାଲ ରାସ୍ତା ନିର୍ମାଣ, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ, ଏବଂ କଳ୍ପନା ଛକ, ମ୍ୟୁଜିଅମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏ ଉଭର୍ ସହିତ ଏଜି ଛକରେ ଏକ ଅଣ୍ଡରପାସ୍ ନିର୍ମାଣ ପାଇଁ ଯୋଜନା ରଖାଯାଇଛି । ସେହିପରି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଥ୍‌ମେଟିକସ୍ ରୁ ପଥର ଗାଡିଆ- ଉତ୍କଳ ହସ୍ପିଟାଲ- ରେଲ୍ ବିହାର ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ଲେଫ୍ଟ ପାରାଲେଲ୍ ରୋଡ୍ କାମ ମଧ୍ୟ ଜାରି ରହିଛି । ଏହା ସହିତ ଡମଣାରୁ ପ୍ରେସ୍ ଛକ, କଳାରାହାଙ୍ଗରୁ ବାରିମୁଣ୍ଡ ଓ କେଳୁଚରଣ ପାର୍କରୁ ବାରିମୁଣ୍ଡ ପର୍ଯ୍ୟନ୍ତ ୩ଟି ରାଇଟ୍ ଆକ୍‌ସେସ୍ ରୋଡ୍ ନିର୍ମାଣର ଯୋଜନା ରଖାଯାଇଛି । ଏହା ସହିତ ଏକ ଇନର୍ ରିଙ୍ଗ୍ ରୋଡ୍ ମଧ୍ୟ ନିର୍ମାଣ କରାଯିବ । ଏହି ସମସ୍ତ ନିର୍ମାଣ ଦ୍ୱାରା ଭୁବନେଶ୍ୱରରେ ଦିନ ପ୍ରତିଦିନ ବଢୁଥିବା ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ ଏବଂ ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟକରଣରେ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ।

  ଏହି ନିର୍ମାଣ ଯୋଗୁଁ ବିସ୍ଥାପିତ ହେବାକୁ ଥିବା ପ୍ରାୟ   ୩୬୬ଟି ପରିବାରକୁ ଥଇଥାନ କରାଯିବା ସହିତ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । 

 ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାସ୍ୱତ ମିଶ୍ର, ପୋଲିସ କମିଶନର ଶ୍ରୀ ଏସ୍. ଦେବଦତ୍ତ ସିଂହ  ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।