ସର୍ବଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର ପ୍ରତିଯୋଗିତାରେ ଓଡିଶା ପୋଲିସର ସଫଳତା

ପ୍ରତିଯୋଗୀମାନେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ

କଟକ: ସି.ଆର.ପି.ଏଫ ଆନୁକୂଲ୍ୟରେ ନୂଆଦିଲ୍ଲୀର ଇନ୍ଦିରାଗାନ୍ଧୀ ଷ୍ଟାଡିୟମ ଠାରେ ଗତ ଜାନୁୟାରୀ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ୪ର୍ଥ ସର୍ବଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର ପ୍ରତିଯୋଗିତାରେ ଓଡିଶା ପୋଲିସର ପ୍ରତିଯୋଗୀମାନେ ୪ଟି ପଦକ ଜିତିବାରେ ସଫଳ ହୋଇଛନ୍ତି । ପ୍ରତିଯୋଗିତାର ଜିମ୍ନାଷ୍ଟିକ (ରୋମାନରିଙ୍ଗ) ବିଭାଗରେ ଓଡିଶା ପୋଲିସର ହାବିଲଦାର ବିଷ୍ଣୁ ଶ୍ରେଷ୍ଠା ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ସେହିପରି ପ୍ରତିଯୋଗିତାର ଉଷୁ ବିଭାଗରେ ଓଡିଶା ପୋଲିସର ପ୍ରତିଯୋଗୀମାନେ ତିନୋଟି ବ୍ରୋଞ୍ଜ ପଦକ ଜିତିଛନ୍ତି । ଉଷୁ ପ୍ରତିଯୋଗିତାର ମହିଳା ୪୫ କିଲୋ ବର୍ଗରେ କନେଷ୍ଟବଳ ବର୍ଷା ନାଥ, ମହିଳା ୫୨ କିଲୋ ବର୍ଗରେ କନେଷ୍ଟବଳ ତପସ୍ୱିନୀ ପଟେଲ ଓ ପୁରୁଷ ୪୮ କିଲୋ ବର୍ଗରେ ଭିସ୍ତୀ ଦେବାଶିଷ ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରି ତିନୋଟି ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି । ପଦକ ଜିତିଥିବା ଏହି ପ୍ରତିଯୋଗୀମାନେ ସୋମବାର ଦିନ ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କ୍ରୀଡାବିତ୍ ମାନଙ୍କ ସାଫଲ୍ୟରେ ସନ୍ତୋଷ ବ୍ୟକ୍ତ କରିବା ସହ ଭବିଷ୍ୟତରେ କଠିନ ପରିଶ୍ରମ କରି ରାଜ୍ୟ ପୋଲିସ ପାଇଁ ଅଧିକ ସଫଳତା ଆଣିବାକୁ ପରାମର୍ଶ ଦେଇଥିଲେ । ଏହି ସାକ୍ଷାତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ଓ ପୋଲିସ ମୁଖ୍ୟାଳୟର କ୍ରୀଡା ଅଧିକାରୀ ଶ୍ରୀ ବିଭୂତି ଭୂଷଣ ମହାରଣା ଉପସ୍ଥିତଥିଲେ ।