ରଥଯାତ୍ରା ନିମନ୍ତେ ଗୁରୁତ୍ଵପୂର୍ଣ୍ଣ ବୈଠକ,ଆଜି ଠାରୁ ତନ୍ନ ତନ୍ନ ଯାଞ୍ଚ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଜୁନ ମାସ ୨୭ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି I ଏହି ରଥଯାତ୍ରାକୁ ତ୍ରୁଟି ଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟIଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା I

ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସଦା ସର୍ବଦା ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ I ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ, ରଥଯାତ୍ରା, ବାହୁଡା଼ ଯାତ୍ରା, ସୁନା ବେଶ ଆଦି ନୀତି କାନ୍ତି ସମୟରେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀରେ ସମାଗମ ହେବେ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା I

ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ଟାଉନ ଥାନାରେ ସ୍ଥାପନ କରାଯିବ । ଏହା ସହ Artificial Intelligence କ୍ୟାମେରା ସହରର ବିଭିନ୍ନ ସ୍ଥାନରେ ଲଗାଇବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ଉତ୍ତରା ଛକରୁ ଆରମ୍ଭ କରି ପୁରୀ ,ପୁରୀ -କୋଣାର୍କ ରୋଡ ସହିତ ସହରର ବିଭିନ୍ନ ଛକରେ ମଧ୍ୟ କ୍ୟାମେରା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ ଭକ୍ତଙ୍କୁ ଟ୍ରାଫିକ ପରିଚାଳନାରେ ସହଯୋଗ ଓ ସୁବିଧା ମିଳିପାରିବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି ।

ଜନସାଧାରଣଙ୍କ ଯାତାୟାତର ସୁବିଧା ନିମନ୍ତେ ଏକ ବିଶେଷ ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି ଯାହା କି ଟ୍ରାଫିକ ଉପଦେଶ, ପାର୍କିଂ ସ୍ଥାନ, ଟ୍ରାଫିକ ଜାମ ଓ ବିକଳ୍ପ ରାସ୍ତା ସମ୍ବନ୍ଧରେ ତ୍ୱରିତ ସୂଚନା ପ୍ରଦାନ କରିବ ।

ଏହା ସହ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା ନିମନ୍ତେ ସମୁଦ୍ର ମଧ୍ୟରେ ଭାରତୀୟ ନୌସେନା, ଭାରତୀୟ ତଟରକ୍ଷୀ ଓ ଓଡ଼ିଶା ପୋଲିସ ସାମୁଦ୍ରିକ ଥାନାର ମିଳିତ ପାଟ୍ରୋଲିଂ ବ୍ୟବସ୍ଥା ସହ ଜାହାଜରେ QRT ମୁତୟନ, ଆକାଶ ମାର୍ଗରୁ ଆକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଡ୍ରୋନ ଏଵଂ Anti Drone System ର ବ୍ୟବସ୍ଥା କରା ଯାଇଛି । ଯେକୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ନିମନ୍ତେ Anti Terrorist Squad ସହ ଏକ ରକ୍ଷକ ବାହନ ମଧ୍ୟ ପୁରୀ ସହରରେ ମୃତୟନ କରାଯିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି ।

ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ବିଗତ ବର୍ଷ ଅପେକ୍ଷା ଅଧିକ ଫୋର୍ସ ନିୟୋଜିତ କରାଯିବା ଉପରେ ଡିଜିପି ସୂଚନା ଦେଇଛନ୍ତି ।

ଏହା ସହ ରଥଯାତ୍ରା ସମୟରେ ସମ୍ଭାବ୍ୟ ଦଳା ଚକଟା ପରିସ୍ଥିତି ଏବଂ ଏହାର ନିରାକରଣ ଉପରେ ସଦା ସର୍ବଦା ପ୍ରସ୍ତୁତ ରହିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।