ଭିଆଇପିଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କୁ ଅପେକ୍ଷା କରାଇବା କେଉଁ ଅସ୍ମିତା ?

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡିଶାରେ ବିଜେପି ସରକାରଙ୍କ କାର୍ଯ୍ୟସୂଚୀରେ ଓଡିଆ ଅସ୍ମିତାର ସର୍ବଶ୍ରେଷ୍ଠ ପ୍ରତୀକ ଶ୍ରୀଜଗନ୍ନାଥ ନାହାନ୍ତି । ଶାସନକୁ ଆସିବାର ବର୍ଷେ ହୋଇଗଲା ପଛେ, ନା ରତ୍ନଭଣ୍ଡାରରେ ଗଣତିମଣତି ହେଲା, ନା ପରିଚାଳନା କମିଟି ଗଠନ ହେଲା, ନା ଗତବର୍ଷ ବଡଠାକୁରଙ୍କୁ ନେଇ ହୋଇଥିବା ଅଘଟଣର ତଦନ୍ତ ରିପୋର୍ଟ ପ୍ରକାଶ ପାଇଲା । ଏ ଥର ରଥଯାତ୍ରାକୁ ସରକାର ଏକ ଦଳୀୟ ଇଭେଣ୍ଟରେ ପରିଣତ କରିଦେଲେ । ଦଳୀୟ କର୍ମୀଙ୍କୁ ୫ ହଜାରରୁ ଅଧିକ ପାସ ବଣ୍ଟନ କରାଯିବା ଦ୍ବାରା ମହାପ୍ରଭୁଙ୍କର ଘୋଷଯାତ୍ରାରେ ଚରମ ଅବ୍ୟବସ୍ଥା ଦେଖାଦେଲା । ସାମ୍ବାଦିକମାନେ ପୁଲିସଠୁ ମାଡ ଖାଇଲେ, ନନ୍ଦିଘୋଷ ରଥକୁ ଭିଆଇପିଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଟକାଇଦିଆଗଲା । ରଥଯାତ୍ରାରେ ସମ୍ପୂର୍ଣ୍ଣ ଅରାଜକତା ପ୍ରମାଣିତ ହେଲା, ଯେତେବେଳେ ପ୍ରଶାସନର ଦାୟିତ୍ଵହିନତା ଯୋଗୁଁ ପରଦିନ ଗୁଣ୍ଡିଚା ମନ୍ଦିର ଆଗରେ ତିନିଜଣଙ୍କ ପ୍ରାଣ ଗଲା ଓ ଅନେକ ଭକ୍ତ ଗୁରୁତର ଭାବେ ଆହତ ହେଲେ । ରଥଯାତ୍ରା ଭକ୍ତ ଓ ଭଗବାନଙ୍କର ନୁହେଁ, ଏହା ଏକ ଦଳୀୟ ଉତ୍ସବରେ ପରିଣତ ହେଲା । ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ କେବଳ କ୍ଷମାଭିକ୍ଷା କରି କାମ ସାରିଦେଇଛନ୍ତି । ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗରେ ତାଙ୍କ ସରକାର ଭୁଲ୍ ପରେ ଭୁଲ୍ କରିଚାଲିଥିବାରୁ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଲେ ଯାଇ ପ୍ରକୃତ ପ୍ରାୟଶ୍ଚିତ ହେବ ବୋଲି କୋରାପୁଟର ଲୋକସଭା ସାଂସଦ ସପ୍ତଗିରି ଉଲାକା ପ୍ରକାଶ କରିଛନ୍ତି । ସୋମବାର ମଧ୍ୟାହ୍ନରେ ଦିଲ୍ଲୀଠାରେ ଏଆଇସିସି ମୁଖ୍ୟାଳୟ ‘ଇନ୍ଦିରା ଭବନ’ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଉଲାକା କହିଛନ୍ତି, ମୃତକଙ୍କ ପରିବାରକୁ ପଚାଶ ଲକ୍ଷ ଓ ଗୁରୁତର ଆହତମାନଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ଦିଆଯାଉ । ଏଥିସହ ନିଳାଦ୍ରୀ ବିଜେର ୧୦ ଦିନ ମଧ୍ୟରେ ଜିଲ୍ଲାଜଜଙ୍କ ଦ୍ବାରା ତଦନ୍ତ କରାଯାଉ ବୋଲି ମଧ୍ୟ ସେ ଦାବି କରିଥିଲେ ।

ଉକ୍ତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କଂଗ୍ରେସ ନେତା ଅରବିନ୍ଦ ଦାସ କହିଥିଲେ, ରଥଯାତ୍ରାର ମହାବିଭ୍ରାଟ ମନୁଷ୍ୟକୃତ ହୋଇଥିବା ବେଳେ ‘ସବୁ ପ୍ରଭୁଙ୍କ ଇଚ୍ଛା’ ବୋଲି କହି ଆଇନମନ୍ତ୍ରୀ ଖସିଯିବାକୁ ଚେଷ୍ଟା କରୁଛନ୍ତି । ‘ଅସ୍ମିତା’ କଥା କହି ଶାସନକୁ ଆସିଥିବା ବିଜେପି ସରକାର, ଭିଭିଆଇପିଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କୁ ଅପେକ୍ଷା କରାଇବା କେଉଁ ଅସ୍ମିତାକୁ ସୂଚାଉଛି ବୋଲି ସେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ପ୍ରଶ୍ନକୁ ଦୋହରାଇଥିଲେ । ଅସଂଖ୍ୟ ଭକ୍ତ ଓ ଭଗବାନଙ୍କ ଆତ୍ମିକ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ଉଦ୍ଦେଶ୍ୟରେ ଦଳୀୟ କର୍ମୀ ଓ ଭିଆଇପିଙ୍କୁ କିଏ ପୂରାଇଲେ ? ବ୍ୟବସ୍ଥାକୁ କିଏ ବିଫଳ କଲେ ? ଉଭୟ ପ୍ରଶାସନ ଓ ପୁଲିସର ମନୋବଳକୁ କିଏ ନଷ୍ଟ କଲେ, ତାଙ୍କୁ କାହିଁକି ଉତ୍ତରଦାୟୀ କରାଯିବନି ବୋଲି ସେ ପ୍ରଶ୍ନ କରିଥିଲେ । ଏଣେ ଭୁବନେଶ୍ବରରେ ବିକ୍ଷୋଭକାରୀଙ୍କ ଗୋଡ ଭାଙ୍ଗିଦେବାକୁ ଅତିରିକ୍ତ ପୁଲିସ କମିସନର ଖୋଲା ଆହ୍ବାନ ଦେବା ସରକାରୀ ଦଳର ଖୋଲା ଚାଟୁକାରିତା ନୁହେଁ କି ବୋଲି ସେ ପ୍ରଶ୍ନ କରିବା ସହ ସମଗ୍ର ପ୍ରକରଣରେ ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ।