ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କର ଶ୍ରେଣୀଗୃହ ପାଠପଢ଼ା ଜୁଲାଇ ୧୦ ତାରିଖ ଠାରୁ ଆରମ୍ଭ ହୋଇଯାଇଛି ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ସମୟ ସାରଣୀ ଅନୁଯାୟୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଜୁଲାଇ ୧୦ ତାରିଖରୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇଛି ।
ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ନାମଲେଖା ପ୍ରକିୟାର ଫେଜ୍-୧ ତୃତୀୟ ପର୍ଯ୍ୟାୟ ଶେଷହେବା ପର୍ଯ୍ୟନ୍ତ, ୧,୬୦,୨୫୫ ଜଣ ଛାତ୍ରଛାତ୍ରୀ ସ୍ନାତକ ଶ୍ରେଣୀରେ ନାମ ଲେଖାଇଥିବାବେଳେ ୧୮,୪୨୮ ଜଣ ଛାତ୍ରଛାତ୍ରୀ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି ।
ସ୍ନାତକ ଶ୍ରେଣୀ ପାଇଁ ଫେଜ୍-୧ ସ୍ପଟ ଆଡ଼ମିଶନ ପ୍ରକ୍ରିୟା (ସ୍ପଟ ନାମଲେଖା ପ୍ରକିୟା) ଆସନ୍ତା ଜୁଲାଇ ୧୬ ତାରିଖରେ ସମାପ୍ତ ହେବ । ସେହିପରି ଭାବେ ସ୍ନାତକୋତ୍ତର ପାଠ୍ୟକ୍ରମର ଶେଷ ପର୍ଯ୍ୟାୟ ନାମ ଲେଖା ପ୍ରକିୟା ଆସନ୍ତା ଜୁଲାଇ ୨୫ ତାରିଖରେ ସମାପ୍ତ ହେବ ।
ପ୍ରକାଶଯୋଗ୍ୟ ଯେ, ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ପାଠ୍ୟକ୍ରମକୁ ସଠିକ ସମୟରେ ଆରମ୍ଭ କରିବା ପାଇଁ ଶିକ୍ଷାବର୍ଷ-୨୦୨୫-୨୬ରେ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ଫଳରେ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ସଠିକ ସମୟରେ ପାଠପଢ଼ା ଆରମ୍ଭ ହେବା ସହିତ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେବେ ।