ଭୁବନେଶ୍ଵର : ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ମଧ୍ୟସ୍ଥତା ଓ ମିଳାମିଶା ପ୍ରକଳ୍ପ କମିଟି ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଦେଶ ବ୍ୟାପି “ରାଷ୍ଟ୍ର ପାଇଁ ମଧ୍ୟସ୍ଥତା” ଶୀର୍ଷକ ଉପରେ ଏକ ୯୦ ଦିନିଆ ମଧ୍ୟସ୍ଥତା ଅଭିଯାନ ଆରମ୍ଭ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଏହି ଅଭିଯାନ ମଧ୍ୟ ଅନୁରୂପ ଭାବେ ଆରମ୍ଭ ହୋଇ ଅଛି । ଏହି ଅଭିଯାନ ଅନୁଯାୟୀ ଜିଲ୍ଲା ଓ ଉପଖଣ୍ଡ ତଥା ତାଲୁକ୍ ସ୍ତରୀୟ ବିଭିନ୍ନ ବିଚାର ବିଭାଗୀୟ ଅଦାଲତରେ ବିଚାରାଧୀନ ଥିବା ପ୍ରାୟ ସମସ୍ତ ପ୍ରକାରର ମାମଲା ଯଥା ବୈବାହିକ, ଗାଡିମୋଟର ଦୁର୍ଘଟଣା ଜନିତ ମାମଲା, ଘରୋଇ ହିଂସା, ଚେକ୍ ବାଉନ୍ସ, ବାଣିଜ୍ୟିକ ବିବାଦ ମାମଲା, ନିଯୁକ୍ତି କିମ୍ବା ଚାକିରି, ସାଲିସ ଯୋଗ୍ୟ ଫୌଜଦାରୀ ମାମଲା, ଖାଉଟି ସୁରକ୍ଷା, ବ୍ୟାଙ୍କ୍ ଋଣ ଅନାଦେୟ, ଦେୱାନୀ ମାମଲା, ଜମିବାଡ଼ି ଭାଗବଣ୍ଟା, ଉଚ୍ଛେଦ, ବେଦଖଲ ଓ ଜମି ଅଧିଗ୍ରହଣ ମାମଲା ଗୁଡ଼ିକ ଚଳିତ ମାସ ଜୁଲାଇ ୩୧ ତାରିଖ ଭିତରେ ଚିହ୍ନଟ କରାଯାଇ ମଧ୍ୟସ୍ଥତା ମାଧ୍ୟମରେ ଏହାର ସମାଧାନ କରାଯିବ । ଏଥିପାଇଁ ଏହି ମାମଲା ଗୁଡିକୁ ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ରକୁ ପଠାଯିବ ଓ ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ର ଭୁବନେଶ୍ଵରଙ୍କ ତରଫରୁ ତାଲିମ ପ୍ରାପ୍ତ ବିଚାର ବିଭାଗୀୟ ଅଧିକାରୀ ଓ ଅଭିଜ୍ଞ ଆଇନଜିବୀ ମାନଙ୍କୁ ନିୟୋଜିତ କରାଯାଇ ମଧ୍ୟସ୍ଥତା ମାଧ୍ୟମରେ ମାମଲା ଗୁଡିକର ଆପୋସ ସହମତି ଭିତ୍ତିରେ ସମାଧାନ କରାଯିବ । ଏହାଦ୍ଵାରା ଜନ ସାଧାରଣ ମାନେ ସେମାନଙ୍କର ସମୟ ଓ ଖର୍ଚ୍ଚ ଅପଚୟ ହେବାରୁ ରକ୍ଷା ପାଇ ପାରିବେ । ସବିଶେଷ ବିବରଣୀ ପାଇଁ ଭୁବନେଶ୍ୱରସ୍ଥିତ ଜିଲ୍ଲା କୋର୍ଟ ପରିସରରେ ଥିବା ବିକଳ୍ପ ବିବାଦ ସମାଧାନ କେନ୍ଦ୍ର କିମ୍ବା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଖୋର୍ଦ୍ଧା, ଭୁବନେଶ୍ୱରଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆ ଯାଇଅଛି ।