ସାତଦିନରେ ଅପରାଧୀ ଧରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ : ଶ୍ରୀ ଭକ୍ତ ଚରଣ ଦାସ

ଭୁବନେଶ୍ୱର : ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ।

ଆଜି ପ୍ରେସ ବାର୍ତ୍ତା ମାଧ୍ୟମରେ ଶ୍ରୀ ଯୁକ୍ତ ଦାସ କହିଛନ୍ତି କି ବଳଙ୍ଗା ପୀଡିତାଙ୍କ ଘଟଣା ଆଜିକୁ ଦୁଇ ସପ୍ତାହ ହେଲା । ଶେଷରେ ତାଙ୍କ ମୃତ୍ୟୁ ହେଲା । ଶନିବାର ଘଟଣା ଘଟିଥିଲା ଏବଂ ଆଜି ସେଇ ଶନିବାର ତାର ମୃତ୍ୟୁ ହେଲା । ଦୀର୍ଘ ୧୫ ଦିନ ହେଲା ଏତେ ବଡ଼ ଚର୍ଚ୍ଚିତ ଘଟଣାର ଅଭିଯୁକ୍ତଙ୍କୁ ଆଧୁନିକ ଯୁଗରେ ପୁଲିସ ଧରି ପାରିଲା ନାହିଁ । ଏଥରୁ ପୁଲିସ ବିଭାଗ କେମିତି ଚାଲିଛି ତାହା ଅନୁମେୟ । ପୀଡ଼ିତାଙ୍କ ବୟାନ ପୁଲିସ ରେକର୍ଡ କରିଛି କିନ୍ତୁ ଲୋକ ଲୋଚନକୁ ଅଣାଯାଉ ନାହିଁ । ଗୋଟିଏ ଗୋଟିଏ ଘଟଣା କେମିତି ଚପାଇ ଦିଆଯାଉଛି ତାହା ସ୍ପଷ୍ଟ ଜଣାପଡ଼ୁଛି । ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦରକାର । ଯଦି ସାତଦିନ ଭିତରେ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲା ତେବେ ଆମେ ଧରିନେବୁ ସରକାର ପୁଲିସ ବିଭାଗ ଚଳାଇ ପାରୁ ନାହାନ୍ତି । ଆମେ ଡିଜିପି ଅଫିସ ଘେରାଉ କରିବୁ ବୋଲି ଆଜି ଘୋଷଣା କରିଛନ୍ତି ଶ୍ରୀଯୁକ୍ତ ଦାସ ।

ଏଫ୍ ଏମ୍ ଛାତ୍ରୀ ପୋଡ଼ି ଘଟଣାରେ ପେଟ୍ରୋଲ କିଏ ଆଣିଲା,ମ୍ୟାଚିସ କିଏ ଦେଲା ଏବଂ କେଉଁମାନେ ଉପସ୍ଥିତ ଥିଲେ କ୍ରାଇମ୍ ବ୍ରାଞ୍ଚ ରିପୋର୍ଟ ଆସିଲା କିନ୍ତୁ ଅପରାଧୀ ମାନେ ଏ ପର୍ଯ୍ୟନ୍ତ ଧରାହେଇ ନାହାନ୍ତି । ସରକାର ସବୁ କ୍ଷେତ୍ରରେ ନିଜେ ଅପରାଧ କଲା ଭଳିଆ ବ୍ୟବହାର କାହିଁକି କରୁଛି ? ଚୋରଙ୍କୁ ନ ଧରି ଚୋରଙ୍କ ଭଳିଆ ହେଉଛି କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଯୁକ୍ତ ଦାସ । ଏଭଳି ଦୁର୍ବଳ ପ୍ରଶାସନ ଆମେ କେବେ ଦେଖି ନ ଥିଲୁ, ଆମର ଦୁର୍ଭାଗ୍ୟ ଏଭଳି ଏକ ସରକାର ଆମେ ପାଇଛୁ । ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ ଅପରାଧୀ ଧରିବାରେ ବିଫଳ । ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ସନ୍ଦେହ ଆସିଲାଣି । କୌଣସି ଷଡ଼ଯନ୍ତ୍ର ଥିବା ଭଳି ଲାଗୁଛି । ଅନ୍ୟ ସାଧାରଣ କେସ ଯେପରି ପୋଲିସ ତତ୍ପରତା ଦେଖାଉଛି । ଏଫ୍ ଏମ୍ କଲେଜ ଏବଂ ବଲଙ୍ଗା କେସ ରେ କାହିଁକି ତତ୍ପରତା ଦେଖାଇଲାନି । ବଳଙ୍ଗା ଛାତ୍ରୀ ଘଟଣା ଉପ ମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳରେ ଘଟିଛି । ଏଭଳି ଅପରାଧୀ ମାନଙ୍କୁ ବାରମ୍ବାର ଛାଡୁଛନ୍ତି ବା ଘଣ୍ଟ ଘୋଡାଉଛନ୍ତି ।ତେଣୁ ନାରୀ ଅତ୍ୟାଚାର ବଢ଼ିଚାଲିଛି । ତାହାର ସୀମା ନାହିଁ । ବିଶ୍ଵ ଦରବାରରେ ଆପଣ ଲଜ୍ଜିତ ହେଲେଣି । ଦେଶରେ ଆପଣ ଲଜ୍ଜିତ ହେଲେଣି । ସର୍ବୋଚ୍ଚ ନ୍ୟାୟାଳୟ ଅନୁଭବ କଲା କିନ୍ତୁ ଆପଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଲଜ୍ଜିତ ଅନୁଭବ କଲେ ନାହିଁ ବୋଲି ଶ୍ରୀ ଯୁକ୍ତ ଦାସ କ୍ଷଭୋ ପ୍ରକାଶ କରିଛନ୍ତି । ବୟାନ ପରେ ବୟାନ ନେଲେ କିଏ ଦେଖିଛି । ଦିନକ ପୂର୍ବରୁ ବୟାନ ଦେଇଥିବା ଛାତ୍ରୀ କିପରି ମୃତ୍ୟୁ ବରଣ କରିବ । ଏଥିରେ ସନ୍ଦେଶ ଜାତ ହେଉଛି । ଯଦି ବୟାନ ରେକର୍ଡ କରିଛନ୍ତି ତେବେ ଲୋକ ଲୋଚନକୁ ଆଣନ୍ତୁ । ଯଦି ଦୋଷିମାନଙ୍କୁ ବଞ୍ଚାଇବା ପାଇଁ ବୟାନ ରେକର୍ଡ କରାଯାଉଛି ତେବେ ଏହା ଅକ୍ଷମଣୀୟ ଅପରାଧ ବୋଲି ଶ୍ରୀଯୁକ୍ତ ଦାସ କହିଛନ୍ତି ।

ମହିଳାଙ୍କୁ ବଞ୍ଚାଇବା ପାଇଁ,ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଆମେ ବିରୋଧୀଦଳ ଭାବେ ଯେତେ ଚିତ୍କାର କରିଛୁ କେହି କରିନାହାନ୍ତି । ଆମେ ଅସହାୟ ଅଛୁ । ଆମର ତ ନବୀନ ବାବୁଙ୍କ ଦଳ ଭଳିଆ ୫୧ ବିଧାୟକ ନାହାନ୍ତି । ଆମର ୫୧ ବିଧାୟକ ଥିଲେ ସ୍ଵତନ୍ତ୍ର ଅଧିବେଶନ ଡାକି ଏମାନଙ୍କୁ ବାହାର ରାସ୍ତା ଦେଖେଇ ଦେଇଥାତ୍ନୁ । ନ୍ୟାୟ ଦେବାର ଆବଶ୍ୟକତା ଅଛି । ଆମେ ମହିଳାଙ୍କୁ ନ୍ୟାୟ ଦେବା ଆପ୍ରାଣ ଉଦ୍ୟମ କରୁଛୁ । ତେଣୁ ସାତ ଦିନ ଭିତରେ ନ୍ୟାୟ ନ ମିଳିଲେ ଡିଜିପି ଅଫିସ ଘେରାଉ କରିବୁ ବୋଲି ଶ୍ରୀ ଦାସ ଘୋଷଣା କରିଛନ୍ତି ।