ରାଷ୍ଟ୍ରଦୀପ” ଓଡିଆ ସମ୍ବାଦପତ୍ର ଜଗତରେ ଏକ ଉଜ୍ୱଳ ଆଲୋକ ବର୍ତ୍ତିକା

ଭୁବନେଶ୍ୱର : ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ରାଷ୍ଟ୍ରଦୀପର ଷଷ୍ଟିପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ “ରାଷ୍ଟ୍ରଦୀପ” ଓଡିଆ ସମ୍ବାଦପତ୍ର ଜଗତରେ ଏକ ଉଜ୍ୱଳ ଆଲୋକ ବର୍ତ୍ତିକା । ରାଷ୍ଟ୍ରଦୀପ ପରି ରାଷ୍ଟ୍ରୀୟ ବିଚାରଧାରା ପୋଷଣ କରୁଥିବା ଗଣମାଧ୍ୟମଙ୍କ ଭୂମିକା ଆଜିର ସମାଜ ପାଇଁ ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ । ରାଷ୍ଟ୍ରଦୀପ ପରି ଗଣମାଧ୍ୟମ ଯେତେ ସକ୍ରୀୟ ମୁଖର, ଶକ୍ତିଶାଳୀ ଓ ପ୍ରଭାବଶାଳୀ ହେବ, ତାହା ଦେଶ ଓ ରାଜ୍ୟ ପାଇଁ କଲ୍ୟାଣକାରୀ ହେବ ı

ମୁଖ୍ୟମନ୍ତ୍ରୀ ଏହା ମଧ୍ଯ କହିଥିଲେ ଯେ ଓଡିଶାରେ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସମସ୍ୟା ପ୍ରତି ମୁଁ ଓ ଆମ ସରକାର ଅବଗତ ଅଛୁ । ଏ ନେଇ ବିଭିନ୍ନ ସାମ୍ବାଦିକ ସଙ୍ଗଠନଙ୍କ ପକ୍ଷରୁ ସରକାରଙ୍କର ଯେଉଁ ଦୃଷ୍ଟି ଆକର୍ଷଣ କରାଯାଇଛି ସେ ଦିଗରେ କ’ଣ କରାଯାଇ ପାରିବ ଏଥିପ୍ରତି ଆମେ ସମ୍ବେଦନଶୀଳ ଅଛୁ ଓ ସମସ୍ୟାର ସମାଧାନ ପାଇଁ ସକ୍ରୀୟତା ପୂର୍ବକ ଚିନ୍ତା କରୁଛୁ ।

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ସାଂପ୍ରତିକ ବିଭେଦମୟ ରାଜନୈତିକ ପରିସ୍ଥିତିରେ ରାଷ୍ଟ୍ରବାଦର ଶିଖାକୁ ପ୍ରଜ୍ଜ୍ଵଳନ କରିବାରେ ‘ରାଷ୍ଟ୍ରଦୀପ’ ପରି ସ୍ଵରର ଅତ୍ୟନ୍ତ ଆବଶ୍ୟକତା ଅଛି । ସମାଜରେ ଜାଗରଣ ଓ ସଚେତନତା ଆଣିବା ଗଣମାଧ୍ୟମର ପ୍ରମୁଖ କାର୍ଯ୍ୟ ଏବଂ ଗତ ଷାଠିଏ ବର୍ଷ ହେଲା ରାଷ୍ଟ୍ରଦୀପ ଏହି କାର୍ଯ୍ୟ ନିରନ୍ତର କରି ଆସୁଛି ।

ଗଣମାଧ୍ୟମ ସମାଜର ଆଖି ଓ କାନ ପରି କାର୍ଯ୍ୟ କରିଥାଏ । ଗଣମାଧ୍ୟମ ଅଧିକରୁ ଅଧିକ ପାଠକ ବା ଦର୍ଶକ ସଂଖ୍ୟା ବୃଦ୍ଧି କରିବା ସହିତ ଅଧିକ ପେସାଦାର ମନୋଭାବ ନେଇ ତଥା ସମାଜ ପ୍ରତି ଦାୟିତ୍ୱବୋଧର ଭାବନା ନେଇ କାର୍ଯ୍ୟ କଲେ ଏହା ତାଙ୍କ ପାଇଁ ତଥା ସମାଜ ପାଇଁ ମଙ୍ଗଳମୟ ହେବ । ସମାଜ କ’ଣ ଚାହୁଁଛି, ବିଶେଷକରି ସରକାରଙ୍କ ଠାରୁ ଏହା କ’ଣ ଆଶା କରୁଛି, ଏସବୁ ଗଣମାଧ୍ୟମରେ ପ୍ରତିଫଳିତ ହୋଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ତଥା ଲେଖକ ଓ ଚିନ୍ତକ ଏବଂ ଇଣ୍ଡିଆ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡକ୍ଟର ରାମ ମାଧବ କହିଥିଲେ ଯେ ଆଜିର ପରିବର୍ତ୍ତନଶୀଳ ସମାଜରେ ରାଷ୍ଟ୍ରଦୀପ ଭଳି ରାଷ୍ଟ୍ରବାଦୀ ଖବର କାଗଜ ସର୍ବଦା ରାଷ୍ଟ୍ରର ହିତରେ ଏବଂ ରାଷ୍ଟ୍ରୀୟତା ଚେତନାର ପ୍ରଚାରକ ସାଜିଛି ।

ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରଦୀପ ର ସଭାପତି ଶ୍ରୀ ଅନୁପ କୁମାର ବୋଷ, ରାଷ୍ଟ୍ରଦୀପ ର ସମ୍ପାଦକ, ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର, ରାଷ୍ଟ୍ରଦୀପ ପରିଚାଳନା ସମିତି ର ସମ୍ପାଦକ, ଶ୍ରୀ ସତ୍ୟନାରାୟଣ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ ଏବଂ କାର୍ଯ୍ୟକ୍ରମର ପରିଚାଳନା ଶ୍ରୀମତୀ ପ୍ରଜ୍ଞା ପାରମିତା ଆଚାର୍ଯ୍ୟ କରିଥିଲେ ।