କଳାହାଣ୍ଡି/ଭୁବନେଶ୍ୱର : ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ଓଡ଼ିଶାର ବିକାଶମୂଳକ କାର୍ଯ୍ୟ ତୀବ୍ର ଗତିରେ ଆଗେଇ ଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱରେ ରାଜ୍ୟ ସରକାର ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ସଙ୍କଳ୍ପବଦ୍ଧ । ଏଥିରେ ସହଯୋଗ କରିବା ସହ ଆଗାମୀ ପଂଚାୟତ ନିର୍ବାଚନରେ କିପରି ବିଜୟ ଲାଭ କରିବା ସେନେଇ ପ୍ରୟାସ କରିବା ଉଚିତ ବୋଲି ପୁନର୍ବାର ରାଜ୍ୟ ସଭାପତିଭାବେ ଶ୍ରୀ ମନମୋହନ ସାମଲ ଦାୟିତ୍ୱ ଗ୍ରହଣ କରିବା ପରେ ବିଭିିନ୍ନ ଜିଲ୍ଲାଗସ୍ତରେ ଆସି ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି । ଶ୍ରୀ ସାମଲ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ କରିଥିଲେ । ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ଟାଉନହଲ୍ ଠାରେ ସମ୍ବର୍ଦ୍ଧନା ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ସାମଲ କହିଛନ୍ତି ଯେ, ବିଜେପି ଦଳ ବହୁ ସଂଘର୍ଷ ଦେଖିଛି । କଳାହାଣ୍ଡି ଜିଲ୍ଲା ସବୁବେଳେ ଦଳ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିଛି । ତ୍ୟାଗ, ତପସ୍ୟା ଓ ସାଧନାର ବିକଳ୍ପ ନାହିଁ । ବହୁ ତ୍ୟାଗ ତପସ୍ୟା ବଳରେ ଆଜି ଆମେ ଏକାକୀ ସରକାର ଗଠନ କରିପାରିଛୁ । ଏସବୁ ସାଧାରଣ ଲୋକ ଓ କାର୍ଯ୍ୟକର୍ତାଙ୍କ ଉତ୍ସାହ ଓ ଆଗ୍ରହ ଯୋଗୁ ଏହା ସମ୍ଭବ ହୋଇପାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା ଭାରତର ଅର୍ଥନୀତି ବଦଳାଇ ଦେଇଛି । ତାଙ୍କ ଉଦ୍ୟମରେ ଭାରତ ଏବେ ବିଶ୍ୱର ଚତୁର୍ଥ ଅର୍ଥନୀତି ହୋଇଥିବାବେଳ ଖୁବ୍ଶୀଘ୍ର ତୃତୀୟ ସ୍ଥାନରେ ପହଚିଂବାକୁ ଯାଉଛି । କଂଗ୍ରେସ ଏବେ ରାଜ୍ୟରେ ସରକାର କରିବା ପାଇଁ ଦିବା ସ୍ୱପ୍ନ ଦେଖୁଛି ଯାହା କେବେ ପୂରଣ ହୋଇପାରିବ ନାହିଁ । ବିଜେଡି ଧରାଶାୟୀ ହୋଇଯାଇଛି । ଏବେ ବିଜେପି ସରକାର ଅଛି । ଏବେ ଉପଯୁକ୍ତ ସମୟ । ଆମ କାର୍ଯ୍ୟକତାମାନଙ୍କୁ ଲୋକଙ୍କ ପାଖରେ ପହଂଚି ସେମାନଙ୍କ ସମସ୍ୟା ଦୂର କରିବାକୁ ପଡ଼ିବ । ଆମେ ଯାହା ଚାହିଁବା ତାହା ଲୋକଙ୍କ ପାଇଁ କରିପାରିବା ଏଭଳି ବିଶ୍ୱାସ ରଖି ଆମକୁ କାମ କରିବାକୁ ପଡ଼ିବ । ବିଜେପି ସରକାର ଚାଷୀଙ୍କ ରୋଜଗାରକୁ ୨ଗୁଣା କରିବାକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିଛି । ଧାନ କୁଇଂଟାଲ ପିଛା ସହାୟକ ମୂଲ୍ୟ ଏବେ ୩୧୦୦ ଟଙ୍କାରେ ପହଂଚିଛି । କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ଆର୍ଥିକସ୍ଥିତି ବଢ଼ିଛି । ଆଜି ବିଜେପି ୨୦ ରାଜ୍ୟରେ ସରକାର କରିଥିବାବେଳେ ଓଡ଼ିଶାରେ ୨୧ଟାରୁ ୨୦ଟି ଲୋକସଭା ଆସନ ଜିିତିବାରେ ସକ୍ଷମ ହୋଇଛି । ବିଜେଡି ସରକାରଙ୍କ ଗର୍ବ ଓ ଅହଙ୍କାରର ଏବେ ଅନ୍ତ ଘଟିଛି । ବିଜେଡି ସରକାର ସମୟରେ କେନ୍ଦ୍ରରୁ ୧୦ ବର୍ଷ ମଧ୍ୟରେ ୧୮ ଲକ୍ଷ କୋଟି ଟଙ୍କା ଦିଆଯାଇଥିଲା, ମାତ୍ର ତାର ହିସାବ ସେମାନେ ଦେଇପାରି ନ ଥିଲେ । ମାତ୍ର ମୋହନ ଚରଣ ମାଝୀ ଗୋଟିଏ ବର୍ଷ ମଧ୍ୟରେ କ’ଣ ସବୁ କାର୍ଯ୍ୟ କରିଛନ୍ତି ତାର ହିସାବ ଦେଇଛନ୍ତି । ବିଜେପି ସଂକଳ୍ପପତ୍ରରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ଗୋଟିଏ ପରେ ଗୋଟିଏ ପୂରଣ କରିବାରେ ଲାଗିଛି । ସୁଭଦ୍ରା ଯୋଜନାଠାରୁ ଆରମ୍ଭ କରି, ଜଗନ୍ନାଥ ମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱାସ୍ଥ୍ୟବୀମା ସହ ଭତା ପ୍ରଦାନ କରିବାର ପ୍ରତିଶ୍ରୁତି ପୂରଣ କରିଛୁ । ପିଏମ୍ କିଶାନ ଓ ସିଏମ୍ କିଶାନ ଭଳି ଯୋଜନା ଲାଗୁ କରାଯାଇଛି । ଆଗକୁ ୭୫ ହଜାର କିଲୋମିଟର ରାସ୍ତା କରିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ । ଏସବୁ ବିଷୟରେ ଲୋକଙ୍କୁ ଅବଗତ କରାଇ ସେମାନଙ୍କ ସମସ୍ୟାର ସମାଧାନ କଲେ ପଂଚାୟତ ନିର୍ବାଚନରେ ସମସ୍ତ ବ୍ଲକ ଅଧ୍ୟକ୍ଷ ଓ ସରପଂଚ ପଦ ଆମେ ଜିତିପାରିବା । ଏହି ଲକ୍ଷ୍ୟରଖି ଏବେଠାରୁ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଲୋକସଭା ସାଂସଦ ମାଳବିକା ଦେବୀ ଓ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାୟକ, ହିମାଂଶୁ ଶେଖର ମେହେର, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରମେଶ ଚନ୍ଦ୍ର ମାଝୀ, ଅନିରୁଦ୍ଧ ପ୍ରଧାନ, ମନୋଜ ମେହେର, ନମିତା ରାଣୀ ସାହୁ ଓ କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଜୟଶଙ୍କର ନାୟକ ମଂଚ ସଂଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ସୁନୀଲ ବେହେରା, ଧନଞ୍ଜୟ ପାତ୍ର, ଶେଷଦେବ ବେହେରା, ଦେବେନ୍ଦ ମହାନ୍ତି ଓ ଆର୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ କଂଗ୍ରେସ ଓ ବିଜେଡିର ଶତାଧିକ ନେତା ଓ କର୍ମୀ ନିଜ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଏହାପରେ ମଣ୍ଡଳ ସଭାପତି ଓ ଉପରିସ୍ଥ ଅଧିକାରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହୋଇଥିଲା । ସାମଲଙ୍କ ଗସ୍ତ ଅବସରରେ ଶ୍ରୀ ସାମଲଙ୍କୁ ଅମାଠ ଓ କେସିଙ୍ଗାଠାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଛି । ସଭାପୂର୍ବରୁ ପାସ୍ତିକୁଡ଼ି ଛକରୁ ଏକ ବାଇକ୍ ରାଲି ବାହାରି ଭବାନୀପାଟଣା ହଲ ପର୍ଯ୍ୟନ୍ତ ଆସିଥିଲା । ଏଥିରେ ବହୁ କାର୍ଯ୍ୟକର୍ତା ଓ ଶୁଭେଚ୍ଛୁ ସାମିଲ ହୋଇଥିଲେ । ପ୍ରଭାତରେ ଶ୍ରୀ ସାମଲ ଟିଟିଲାଗଡ଼ ରେଳ ପରିସରରେ ପହଂଚିବା ପରେ ସେଠାରେ ତାଙ୍କୁ ବ୍ୟାପକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ସେ ସ୍ଥାନୀୟ ଡାକବଙ୍ଗଳାରେ ପହଂଚି ଥିଲେ। ସେଠାରେ ବହୁ ନେତା ଓ କାର୍ଯ୍ୟକର୍ତା ତାଙ୍କୁ ଭେଟି ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ସେଠାରେ କିଛି ସମୟ ରହଣୀ ପରେ ଭବାନୀପାଟଣା ଗସ୍ତ କରିଥିଲେ ।