ଭୁବନେଶ୍ୱରରେ ୭ ରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ହେବ ଭାରତୀୟ ସଡ଼କ କଂଗ୍ରେସର ୮୪ ତମ ବାର୍ଷିକ ଅଧିବେଶନ

ଭୁବନେଶ୍ୱର : ଭାରତୀୟ ସଡ଼କ କଂଗ୍ରେସ (ଆଇଆରସି) ର ୮୪ ତମ ବାର୍ଷିକ ଅଧିବେଶନ ଆଗାମୀ ନଭେମ୍ବର ମାସ ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଏହି ସମ୍ମେଳନ ୬ଷ୍ଠ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି । ଗତ ୨୦୧୫ ରେ ୭୫ ତମ ଆଇଆରସି ସମ୍ମେଳନ ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଓ ସମ୍ମାନଜନକ ସମ୍ମିଳନୀକୁ ଶୃଙ୍ଖଳିତ ଭାବେ ଆୟୋଜନ ନେଇ ସମସ୍ତ ପ୍ରସ୍ତୁତି ଭଲ ଭାବେ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଭାରତୀୟ ରୋଡ କଂଗ୍ରେସ, ରାଜପଥ ଯନ୍ତ୍ରୀ, ବୃତ୍ତିଧାରୀମାନଙ୍କ ପାଇଁ ରହିଥିବା ଏକ ଉଚ୍ଚସ୍ତରୀୟ ସଂଗଠନ, ଯାହା ଦେଶର ସଡ଼କ ନିର୍ମାଣରେ ଜାତୀୟମାନ ଓ ନିର୍ମାଣ ଡିଜାଇନ୍‌, ରକ୍ଷଣାବେକ୍ଷଣ, ପରିଚାଳନା, ସଡ଼କ ସୁରକ୍ଷା ଆଦି କ୍ଷେତ୍ରରେ ଆବଶ୍ୟକ ପରାମର୍ଶ ସହିତ ସଡ଼କ ଗୁଣବତ୍ତା ବଢ଼ାଇବାର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ୧୯୩୪ ମସିହାରେ ଆଇଆରସିର ଶୁଭାରମ୍ଭ ହୋଇଥିଲା । ୮୪ ତମ ସମ୍ମିଳନୀ ଭୁବନେଶ୍ୱରର ଜନତା ମଇଦାନ ଠାରେ ଅନୁ​ଷ୍ଠିତ ହେବା ନେଇ ସ୍ତିରୀକୃତ ହୋଇଛି । ଏହି ସମ୍ମିଳନୀରେ ଆରମ୍ଭର ପୂର୍ବଦିନ ନଭେମ୍ବର ୬ ତାରିଖରେ ଏକ ବୈଷୟିକ ପ୍ରଦର୍ଶନୀର ଶୁଭାରମ୍ଭ ହେବ । ଆୟୋଜନ ହେବାକୁ ଥିବା ଏହି ସମ୍ମିଳନୀରେ ସ୍ଥାନୀୟ ଏବଂ ଦେଶର ବିଭିନ୍ନ ପ୍ରାନ୍ତରରୁ ପ୍ରତିନିଧିଙ୍କୁ ମିଶାଇ ୨୦୦୦ ରୁ ଅଧିକ ପ୍ରତିନିଧି ଯୋଗଦେବେ । ନଭେମ୍ବର ୭ ରେ ଭାରତୀୟ ସଡ଼କ କଂଗ୍ରେସର ୨୩୫ତମ ପରିଷଦ ବୈଠକ, ୮ ତାରିଖରେ ରାଜପଥ ଗବେଷଣା ବୋର୍ଡର ୮୫ ତମ ବୈଠକ, ୯ ତାରିଖରେ ଆଇଆରସିର ୮୪ ତମ ବିଜିନେସ ବୈଠକ ଏବଂ ୧୦ ତାରିଖରେ ୨୩୬ ତମ ପରିଷଦ ବୈଠକ ଅନୁଷ୍ଠିତ ହେବ । ପ୍ରତିଦିନ ଦିବସ ବ୍ୟାପୀ ବୈଷୟିକ ଅଧିବେଶନରେ ଗବେଷଣାତ୍ମକ ତଥ୍ୟର ଉପସ୍ଥାପନ ସହିତ ଆଇଆରସି କାର୍ଯ୍ୟସୂଚୀ ଅନୁସାରେ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ଅନୁ​ଷ୍ଠିତ ହେବ । ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶା ରାଜ୍ୟ ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଅନୁଷ୍ଠିତ ହେବ । ସମ୍ମେଳନ ପରେ ଯୋଗଦେଉଥିବା ପ୍ରତିନିଧିଙ୍କ ପାଇଁ ନିଜସ୍ୱ ଖର୍ଚ୍ଚରେ ଓଡ଼ିଶାର ବିଭିନ୍ନ ଐତିହ୍ୟ ଓ ପର୍ଯ୍ୟଟନୀ ସ୍ଥଳ ପରିଭ୍ରମଣ କରିବାର ସୁଯୋଗ ରହିଛି । ୮୪ ତମ ଭାରତୀୟ ସଡ଼କ କଂଗ୍ରେସରେ ମୁଖ୍ୟ ଶାସନ ସଚିବ ରାଜ୍ୟ ପରାମର୍ଶ କମିଟିର ଅଧ୍ୟକ୍ଷ ଥିବାବେଳେ ରାଜ୍ୟ ପୂର୍ତ୍ତ ବିଭାଗ ସଚିବ ପରିଚାଳନା କମିଟିର ଅଧ୍ୟକ୍ଷ ରହିଛନ୍ତି । ସେହିଭଳି ଏହି ସମ୍ମିଳନୀ ସୁଚାରୁରୂପେ ଆୟୋଜନ ପାଇଁ ୧୮ ଟି ବିଭିନ୍ନ କମିଟି ରହିଛି । ବୈଠକରେ ଏହି ସମ୍ମିଳନୀ ଆୟୋଜନ ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମ ସ୍ଥଳ ସଂଲଗ୍ନ ରାସ୍ତା ଓ ଚତୁପାର୍ଶ୍ୱରେ ଟ୍ରାଫିକ୍‌ ପରିଚାଳନା, ଭୁବନେଶ୍ୱର ବିମାନବନ୍ଦରଠାରୁ ଏବଂ ରେଳଷ୍ଟେସନ୍‌ ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ସଂପର୍କରେ ଆଲୋଚନା କରାଯାଇଥିଲା । ସମସ୍ତ ଭିଭିଆପି ଓ ରାଜ୍ୟ ଅତିଥିମାନଙ୍କ ପାଇଁ ସରକାରୀ ପ୍ରୋଟକଲ ଅନୁସାରେ ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା,ଜରୁରୀକାଳୀନ ମେଡିକାଲ ଓ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଉଭୟ ବିମାନବନ୍ଦର ଓ ରଳ ଷ୍ଟେସନରେ ସହାୟତା କେନ୍ଦ୍ର (ହେଲ୍ପ ଡେସ୍କ) କାର୍ଯ୍ୟ କରିବ ବୋଲି ​‌ବୈଠକରେ ସୂଚନା ଦିଆଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲବନ୍ତ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଡଃ. ବିଜୟକେତନ ଉପାଧ୍ୟୟ, ବିଡିଏ ଉପାଧ୍ୟକ୍ଷ ଡଃ. ଏନ୍‌.ତିରୁମାଳା ନାୟକ, ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ଭୁବନେଶ୍ୱର-କଟକ ପୋଲିସ କମିଶନର ଡଃ. ଏସ.ଦେବଦତ୍ତ ସିଂ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଆର.କେ. ଶର୍ମା ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।