ବାଲେଶ୍ଵର:ଭାରତ ଯୋଡ- ଓଡ଼ିଶା ପରିବର୍ତ୍ତନ ଯାତ୍ରା ବାଲେଶ୍ଵରରେ ପହଞ୍ଚିବା ପରେ ଗୁରୁବାର ଦିନ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ବାଲେଶ୍ବରବାସୀ ପ୍ରତାରିତ ହୋଇଛନ୍ତି । ତାର ସଦ୍ୟତମ ଉଦାହରଣ ହେଉଛି ଗତ ବାଲେଶ୍ଵର ସଦର ଉପନିର୍ବାଚନ ସମୟରେ ସେ ଲୋକଙ୍କୁ ଭୋଟ ମାଗିବାକୁ ଯାଇ କହିଥିଲେ, ” ବାଲେଶ୍ଵର ବିକାଶର ଦାୟିତ୍ଵ ମୋର” । କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ବୋଲି ବିକାଶ ମୂଳକ କାର୍ଯ୍ୟ ସେ କରିଛନ୍ତି ବୋଲି ନଜିର ନାହିଁ । ବାଲେଶ୍ଵରର ବିକାଶର ବିନ୍ଧାଣୀ ଥିଲା କଂଗ୍ରେସ । କଂଗ୍ରେସ ସରକାର ସମୟରେ ବାଲେଶ୍ଵର ଜିଲ୍ଲା ବିକାଶର ଚିତ୍ର କୁ ଦେଖିଥିଲା । ଶିଳ୍ପ କ୍ଷେତ୍ରରେ ଜିଲ୍ଲା ବେଶ ଆଗୁଆ ହୋଇଥିଲା । କଂଗ୍ରେସ ସମୟରେ ଜିଲ୍ଲା ହୋଇଥିଲା ଶିଳ୍ପ ସମୃଦ୍ଧ । ବିର୍ଲା ଟାୟାର୍ସ, ଇସ୍ପାତ ଏଲ୍ଲୋୟେଜ୍, ଇମାମୀ, ବାଲିଆପାଳରେ ସୂତାକଳ, ରୂପସାରେ ଝୋଟ କଳ ଇତ୍ୟାଦି କଂଗ୍ରେସ ସମୟରେ ପ୍ରତିଷ୍ଠା ହୋଇଥିଲା । ସେଥିରେ ହଜାର ହଜାର ଲୋକ କାମ କରୁଥିଲେ । ମାତ୍ର ବିଜେଡି ସରକାର ସମୟରେ ସେ ସବୁ ବନ୍ଦ ହୋଇଗଲା ଓ ସେଠାରେ କାମ କରୁଥିବା ହଜାର ହଜାର ଶ୍ରମିକ ଦାଣ୍ଡ ର ଭିକାରୀ ସାଜିଗଲେ । କୌଣସି ଗୋଟିଏ ବୋଲି ନୂଆ ଶିଳ୍ପ କାରଖାନା ପ୍ରତିଷ୍ଠା କରି ପାରିଲେ ନାହିଁ ବିଜେଡି ବିଜେପିର ଡବଲ ଇଞ୍ଜିନ ସରକାର । କେନ୍ଦ୍ରରେ ୟୁପିଏ ସରକାର ସମୟରେ ଏଠାରେ ଏମ୍ସ, ସିପେଟ୍, ନୋସି, ତାମୁଳୀଆ, ଜଳେଶ୍ଵର ଓ ସୋରୋ ଠାରେ ଉଡନ୍ତା ପୋଲ ଇତ୍ୟାଦି ଅନେକ କଥା କରାଯାଇଛି । ମାତ୍ର ରାଜ୍ୟରେ ବିଜେଡି ଓ କେନ୍ଦ୍ରର ବିଜେପି ସରକାର ସମୟରେ କୌଣସି ଗୋଟିଏ ସେମିତି ଆଖିଦୃଶିଆ କାର୍ଯ୍ୟ ହୋଇଛି କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ । ସୁବର୍ଣ୍ଣରେଖା ନଦୀର ବନ୍ୟା ଉତ୍ତର ଓଡ଼ିଶା ପାଇଁ ଦୁଃଖ ର କାରଣ ହୋଇଥାଏ । ଏଥିପାଇଁ ୨୦୦୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସୁବର୍ଣ୍ଣରେଖା ସଂସ୍କାର ଯୋଜନା ଘୋଷଣା କଲେ । ମାତ୍ର ଆଜି ପର୍ଯ୍ୟନ୍ତ ତାହା ଶୀତଳ ଭଣ୍ଡାରରେ ପଡ଼ିଛି । ବନ୍ୟାରେ ପୀଡ଼ିତ ହୋଇ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି । ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଜିଲ୍ଲା ଏକ ବିକଳ ଚିତ୍ର ନେଇ ଆଜି ଉଭା ହୋଇଛି । ବାଲେଶ୍ଵରରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ହୋଇଛି । ମାତ୍ର ସେଠାରେ ଅଭିଜ୍ଞ ଡାକ୍ତର ନାହାନ୍ତି କିମ୍ବା ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳୁ ନାହିଁ । ଜିଲ୍ଲାର ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛି । ୭୦ ରୁ ୮୦ ଶତାଂଶ ସ୍ଥାନରେ ଡାକ୍ତର ନାହାନ୍ତି । ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ମିଳୁ ନାହିଁ । ଶିକ୍ଷା ଅବସ୍ଥା ମଧ୍ୟ ଘୋର ଅବ୍ୟବସ୍ଥା ଭିତରେ ଗତି କରୁଛି । ଫକୀର ମୋହନ ବିଶ୍ବବିଦ୍ୟାଳୟ ସମେତ ଜିଲ୍ଲାର ପ୍ରାୟ ସମସ୍ତ କଲେଜ ରେ ଆବଶ୍ୟକ ଅଧ୍ୟାପକ ଓ ପ୍ରାଧ୍ୟାପକ ନାହାନ୍ତି । ସ୍କୁଲ ଗୁଡିକରେ ଶିକ୍ଷକ ମରୁଡି । ଗୁଣାତ୍ମକ ଶିକ୍ଷା ନାହିଁ । ୫ଟି ସ୍କୁଲ ନାମରେ ରୁପାନ୍ତିକରଣ ଆଳରେ କୋଟି କୋଟି ଟଙ୍କାର ଦୁର୍ନୀତି ଲୋକ ଲୋଚନକୁ ଆସିଛି । ଚାଷୀମାନେ ଜିଲ୍ଲାରେ ପ୍ରତାରିତ । ସେମାନେ ତାଙ୍କ ଉତ୍ପାଦିତ ଫସଲର ଉଚିତ ଦର ପାଉ ନାହାଁନ୍ତି । କାଳିଆ, ବଳିଆର କୁହୁକ ଜାଲରେ ବାସ୍ତବିକ ଜିଲ୍ଲାର ଚାଷୀ ହନ୍ତ ସନ୍ତ । କୃଷି ଶିଳ୍ପ ପ୍ରତିଷ୍ଠା ହେଲା ନାହିଁ କିମ୍ବା ଗୋଟିଏ ବୋଲି ଶୀତଳ ଭଣ୍ଡାର ଜିଲ୍ଲା ବସି ଦେଖିଲେ ନାହିଁ । ଏବେ ଚକଡା଼ ପୋକ ଚାଷୀ ମାନଙ୍କ ଧନଖେତକୁ ଖାଇଯିବାକୁ ବସିଥିବା ବେଳେ ସରକାରଙ୍କ କୃଷି ବିଭାଗ ନିଦାବିଷ୍ଣୁ ସାଜିଛନ୍ତି । ବାଲେଶ୍ଵରରେ ବିକାଶର ଅନେକ ସମ୍ଭାବନା ରହିଛି । ଏଠାକାର ସମୁଦ୍ର ବେଳାଭୂମି, ରେଳ ପଥ, ମାନବ ଓ ପ୍ରାକୃତିକ ସମ୍ବଳ ବାଲେଶ୍ଵର ବିକାଶ ର ଅସୁମାରୀ ସମ୍ଭାବନା କୁ ଇଙ୍ଗିତ କରେ । ମାତ୍ର ଅପାରଗ କେନ୍ଦ୍ର ଓ ରାଜ୍ୟ ସରକାର ତାକୁ ବସ୍ତବାୟିତ କରିବା କ୍ଷେତ୍ରରେ ବିଫଳ ହୋଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଜିଲ୍ଲାରେ ଶାସକ ଦଳର ନେତା ମାନେ ପଞ୍ଚାୟତ ଓ ବ୍ଲକ ମାନଙ୍କରେ ଦୁର୍ନୀତିର ରାଜ ଚଳାଇଛନ୍ତି । ସାଧାରଣ ଲୋକଙ୍କ ପାଖରେ ବିକାଶ ପହଞ୍ଚି ପାରୁନାହିଁ । ଯୋଜନା ସବୁ ବାଟମାରଣା ହେଉଛି । ଦୁର୍ନୀତି ସବୁ ଆଡେ କାୟା ବିସ୍ତାର କରିଛି । ଶାସକ ଦଳ ଓ ପ୍ରଶାସନର ଏଥିରେ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି । କେନ୍ଦ୍ରର ବିଜେପି ସରକାରଙ୍କ ଜନ ବିରୋଧୀ ଓ ପ୍ରତାରଣା ପୂର୍ଣ୍ଣ କାର୍ଯ୍ୟ କାର୍ଯ୍ୟ ସବୁ ଏବେ ଲୋକେ ବୁଝିଲେଣି । ସେଇଥି ପାଇଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଲକ୍ଷ ଲକ୍ଷ ଲୋକ ଭାରତ ଯୋଡ଼ ଯାତ୍ରା ସହିତ ଯୋଡି ହେଉଛନ୍ତି । ଓଡ଼ିଶାରେ ବିଜେଡି ସରକାର ଗତ ୨୩ ବର୍ଷ ଭିତରେ ଓଡ଼ିଶାବାସୀ ଙ୍କୁ ପ୍ରତାରିତ କରିଚାଲିଛନ୍ତି । ଓଡ଼ିଶା ଆଜି ଏହି ଅବସ୍ଥାର ପରିବର୍ତନ ଅପେକ୍ଷାରେ । କଂଗ୍ରେସ ଏହି ପରିବର୍ତ୍ତନର ବାହକ ହେବ । ଏଥି ପାଇଁ ବାଲେଶ୍ଵରବସୀଙ୍କ ଆଶୀର୍ବାଦ ସେ ଭିକ୍ଷା କରିଥିଲେ । ବାଲେଶ୍ଵରକୁ ପୁଣି ଥରେ ଶିଳ୍ପ ସମୃଦ୍ଧ କରିବା, ପର୍ଯ୍ୟଟନ ଶିଳ୍ପ ଓ କୃଷି ଶିଳ୍ପ ର ବିକାଶ କରିବା, ବନ୍ଦ କଳ କାରଖାନା ଗୁଡ଼ିକୁ ଖୋଲିବା, ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ କାର୍ଯ୍ୟକାରୀ କରିବା, ଶିକ୍ଷା ଓ ସ୍ଵାସ୍ଥ୍ୟ ଅବସ୍ଥାର ପରିବର୍ତ୍ତନ ଆଣିବା ପାଇଁ କଂଗ୍ରେସ ସଂକଳ୍ପ କରିଛି । ଜିଲ୍ଲାବାସୀଙ୍କ ସହଯୋଗ ଏଥିପାଇଁ ସେ କାମନା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ଵର ସଂସଦୀୟ କ୍ଷେତ୍ରର ନେତା ଶ୍ରୀ ନବ ଜ୍ୟୋତି ପଟ୍ଟନାୟକ, କଂଗ୍ରେସ ଦଳର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ, ଜିଲ୍ଲା ସଭାପତି ଶ୍ରୀ ସଂଜୀବ ଗିରି ପ୍ରମୁଖ ଉପସ୍ଥିତ ଥିଲେ ।