ସମୃଦ୍ଧ ଓଡିଶା ଗଠନ ପାଇଁ “ବିସ୍ତୃତ ଭିତ୍ତିଭୂମି ମାଷ୍ଟର ପ୍ଲାନ” ପ୍ରସ୍ତୁତ କରାଯାଉଛି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଜୟରାମ ଗଡକରୀଙ୍କ ଦ୍ୱାରା ୮୪ତମ ଭାରତୀୟ ସଡକ କଂଗ୍ରେସ ସମାବେଶ ଉଦ୍‍ଘାଟନ ହୋଇଯାଇଛି ।

ଏହି ଅବସରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓଡିଶା ପାଇଁ ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସଡକ ଭିତ୍ତିଭୂମି ପାଣ୍ଠି ଘୋଷଣା କରିଛନ୍ତି । ଏଥି ସହିତ ସେ କହିଥିଲେ ଯେ, ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ସଡକ ନିର୍ମାଣ କରାଯାଉଛି । ତେଣୁ, ଭୁବନେଶ୍ୱରର କଠିନ ବର୍ଜ୍ୟବସ୍ତୁକୁ ସଡକ ନିର୍ମାଣ କ୍ଷେତ୍ରରେ ଉପଯୋଗ କରି ସ୍ୱଚ୍ଛ ଭୁବନେଶ୍ୱର ଗଠନ କରିବାକୁ ପରାମର୍ଶ ଦେଇଥିଲେ ।

ଉଦ୍‍ଘାଟନୀ ଅବସରରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ଉଦ୍‌ବୋଧନ ଦେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ କହିଥିଲେ ଯେ, ଭାରତୀୟ ସଡକ କଂଗ୍ରେସ ହେଉଛି ଭାରତୀୟ ରୋଡ ଇଞ୍ଜିନିୟରିଙ୍ଗ୍ ର ଆତ୍ମା । ଏହି ସମାବେଶ ହେଉଛି ସଡକ ଭିତ୍ତିଭୂମି ନିର୍ମାଣ, ଗବେଷଣା, ଇଞ୍ଜିନିୟରିଙ୍ଗ୍ ଓ ଇନୋଭେସନ୍ ପାଇଁ ଏକ Knowledge Platform.

ସେ କହିଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସଡକ ନିର୍ମାଣ କ୍ଷେତ୍ରରେ ଦେଶ ଆଜି ଅଗ୍ରଗତି କରିଛି, ଯାତାୟତ ସମୟ ହ୍ରାସ ପାଇଛି । ଆଗାମୀ କିଛି ଦିନ ଭିତରେ ଭାରତ ସଡକ ନେଟୱର୍କ କ୍ଷେତ୍ରରେ ବିଶ୍ୱରେ ଏକ ନମ୍ବର ହେବାକୁ ଯାଉଛି । ଦେଶବ୍ୟାପୀ ଉନ୍ନତ ମାନର ସଡକ ନିର୍ମାଣ ପାଇଁ ୨ ଲକ୍ଷ ୮୭ ହଜାର କୋଟି ଟଙ୍କାର ପ୍ରାବଧାନ ରହିଛି ।

ସେ ପୁଣି କହିଥିଲେ ଆମେ ଟେକ୍ନୋଲୋଜି ବ୍ୟବହାର କରି ଉତ୍ତମ ମାନର ସଡକ ନିର୍ମାଣ ପାଇଁ ପ୍ରୟାସ କରୁଛୁ । ଏଥିପାଇଁ ବିଶ୍ୱସ୍ତରୀୟ DPR ପ୍ରସ୍ତୁତି କରିବା ଆବଶ୍ୟକତା ରହିଛି । ନିଜ ନିଜ ଭିତରେ Best Practices, Research & Innovation କୁ ବିନିମୟ କରି ଭାରତର ନିର୍ମାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ସେ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଆମ ଭବିଷ୍ୟତର ଇନ୍ଧନ ହେଉଛି- ହାଇଡ୍ରୋଜେନ୍ । ସେଥିପାଇଁ ଆମେ ଦେଶରେ ଗ୍ରୀନ ହାଇଡ୍ରୋଜେନ୍ ପ୍ରସ୍ତୁତିକୁ ଗୁରୁତ୍ୱ ଦେଉଛୁ। ସଡକ ନିର୍ମାଣ କ୍ଷେତ୍ରରେ ସଡକ ନିରାପତ୍ତା ପ୍ରତି ଧ୍ୟାନ ଦେବା ପାଇଁ ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦ୍‍ଘାଟନୀ ଉଦ୍‍‌ବୋଧନ ଦେଇ କହିଥିଲେ ଯେ, ୨୦୧୪ ମସିହାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଦାୟିତ୍ୱ ନେବା ଠାରୁ ସଡକ ନିର୍ମାଣ କ୍ଷେତ୍ରରେ ଦ୍ରୁତ ଉନ୍ନତି ଆସିଛି । ପ୍ରଧାନମନ୍ତ୍ରୀଙ୍କ ଦିଗ୍‍ଦର୍ଶନ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁ ଆଜି ଉତ୍ତମ ସଡକ ନିର୍ମାଣ କ୍ଷେତ୍ରରେ ଦେଶବ୍ୟାପୀ ବ୍ୟାପକ ପରିବର୍ତ୍ତନ ଆସିଛି । ସ୍ୱାଧୀନତା ପରଠାରୁ ୨୦୧୪ ମସିହା ସୁଦ୍ଧା ଦେଶରେ ମାତ୍ର ୯୧ ହଜାର କିଲୋମିଟର ରାଜପଥ ନିର୍ମାଣ ହୋଇଥିବା ବେଳେ ୨୦୧୪ ରୁ ୨୦୨୪ ଅର୍ଥାତ୍ ମାତ୍ର ଦଶ ବର୍ଷରେ ୫୫ ହଜାର କିଲୋମିଟର ରାଜପଥ ନିର୍ମାଣ କରାଯାଇଛି । ଦେଶରେ ବିଶ୍ୱସ୍ତରୀୟ ସଡକ ନିର୍ମାଣର ଅଗ୍ରଗତି ସମ୍ଭବ ହୋଇଛି କେନ୍ଦ୍ର ମନ୍ତ୍ରୀ ଗଡକରୀଙ୍କ କାର୍ଯ୍ୟଦକ୍ଷତା ଓ ଦୂରଦୃଷ୍ଟୀ ଚିନ୍ତାଧାରା ଯୋଗୁ ।

ସେ ପୁଣି କହିଥିଲେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମେ ଓଡିଶାର ଅର୍ଥନୀତିକୁ ମଜବୁତ୍ କରୁଛୁ । ଏଥିପାଇଁ ଆମ ସରକାର ବନ୍ଦର, ସଡକ, ରେଳ ଏବଂ ବିମାନ ପରିବହନ କ୍ଷେତ୍ରର ବିକାଶ ଦିଗରେ ଉଦ୍ୟମ ଅବ୍ୟାହତ ରଖିଛି। Odisha State Road Policy-2025 ଏବଂ Odisha State Highways Authority Act-2025 କରାଯାଇଛି। ସମୃଦ୍ଧ ଓଡିଶା ଗଠନ ପାଇଁ “ବିସ୍ତୃତ ଭିତ୍ତିଭୂମି ମାଷ୍ଟର ପ୍ଲାନ” ପ୍ରସ୍ତୁତ କରାଯାଉଛି । ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଓଡିଶା ପାଇଁ ୧୩ ହଜାର ୬୯ କୋଟି ଟଙ୍କାର ଜାତୀୟ ରାଜପଥ ମଞ୍ଜୁର କରିଛନ୍ତି । କେନ୍ଦ୍ର ରାଜପଥ ମନ୍ତ୍ରୀଙ୍କ ଦ୍ୱାରା ୪ ହଜାର କୋଟି ଟଙ୍କାର ୧୯ଟି ସଡକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ୧୩ଟି ପ୍ରକଳ୍ପ ପାଇଁ ୯ ହଜାର କୋଟି ଟଙ୍କା ମଧ୍ୟ ସେ ପୂର୍ବରୁ ମଞ୍ଜୁର କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୫ ବର୍ଷ ମଧ୍ୟରେ ଆମ ସରକାର ୭୫ ହଜାର କିଲୋମିଟର ସଡକ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି । ଓଡିଶାର ସଡକ ଗୁଡିକୁ ବିଶ୍ୱସ୍ତରୀୟ ମାନର କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ଆଗାମୀ ଦିନରେ କେନ୍ଦ୍ର ମନ୍ତ୍ରୀଙ୍କର ଏହି ସହଯୋଗ ଓଡିଶାର ବିକାଶକୁ ଆହୁରି ତୀବ୍ର କରିବ ।

ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଦେଶରେ ଜାତୀୟ ରାଜପଥର ବିକାଶରେ ଭାରତୀୟ ସଡକ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଓଡିଶାରେ ଏହି ଭଳି ସମ୍ମାନଜନକ ଆୟୋଜନ ଆମ ପାଇଁ ଗୌରବର କଥା । ଏହି ସମାବେଶରୁ ଯେଉଁ ନିଷ୍କର୍ଷ ଏବଂ ନୂଆ ଚିନ୍ତାଧାରା ବାହାରିବ, ସେଗୁଡିକ ଆମ ଦେଶର ସଡକ ନିର୍ମାଣ କ୍ଷେତ୍ରକୁ ସୁଦୃଢ କରିବାରେ ସାହାଯ୍ୟ କରିବ ।

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ସଡକ ନିର୍ମାଣ କ୍ଷେତ୍ରରେ ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ବିଶ୍ୱସ୍ତରୀୟ ଚିନ୍ତାଧାରା ନେଇ କାମ କରିବାକୁ ପଡିବ । ଆୟୋଜିତ ଭାରତୀୟ ସଡକ କଂଗ୍ରେସ ଗୁଣାତ୍ମକ ସଡକ ନିର୍ମାଣରେ ବୈଷୟିକ ସହାୟତା ଦେବ ବୋଲି ସେ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ସଡକ ନିର୍ମାଣ, ଗବେଷଣା ଓ ଇଞ୍ଜିନିୟରିଙ୍ଗ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଓ ଅବଦାନ ରଖିଥିବା ବ୍ୟକ୍ତି ବିଶେଷମାନଙ୍କ ସମ୍ମାନୀତ କରାଯାଇଥିଲା ଏବଂ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ସଡକ କଂଗ୍ରେସର ସଭାପତି ପ୍ରଫେସର ମନୋରଞ୍ଜନ ପରିଡା, ମହାସଚିବ ଶ୍ରୀ ରାହୁଲ ଗୁପ୍ତା ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ସମାବେଶକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।