ଭୁବନେଶ୍ୱର : ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଲିଖିତ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ , ବନ୍ଦେ ମାତରମ୍ ହେଉଛି ଦେଶର ପ୍ରଥମ ବୈପ୍ଳବିକ ସ୍ଲୋଗାନ । ‘ବନ୍ଦେ ମାତରମ’ କେବଳ ଏକ ଜାତୀୟତାବାଦ ଭିତ୍ତିକ ସଙ୍ଗୀତ ନୁହେଁ, ଏହା ଦେଶ ମାତୃକାର ବନ୍ଦନା ।
କାର୍ଯ୍ୟକ୍ରମ ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୭ ନଭେମ୍ବର ୧୮୭୫ ରେ ଯେତେବେଳେ ତାଙ୍କ ଅମର କୃତି “ଆନନ୍ଦ ମଠ” ମାଧ୍ୟମରେ ‘ବନ୍ଦେ ମାତରମ୍’ ପ୍ରଥମେ ପ୍ରକାଶିତ ହୋଇଥିଲା, ସେତେବେଳେ ଗୋଟେ ନୂଆ ଯୁଗର ଆରମ୍ଭ ହେଲା । ଯେତେବେଳେ ସ୍ୱାଧିନତା ସଂଗ୍ରାମୀମାନେ ରାଜରାସ୍ତାରେ ବନ୍ଦେ ମାତରଂ, ଇନ୍କିଲାବ୍ ଜିନ୍ଦାବାଦ୍ ଭଳି ନାରା ଦେଇ ଜାତୀୟତାବାଦ ଗୀତର ତାଳେ ତାଳେ ବ୍ରିଟିଶ୍ ଶାସନକୁ ବିରୋଧ କରୁଥିଲେ, ସେହି ସମୟରେ ବ୍ରିଟିଶ ସରକାରର ଦୃଢ ପ୍ରାଚୀରମାନ କମ୍ପି ଉଠୁଥିଲା ।
ଆମ ରାଜ୍ୟ ସରକାର, ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସେହି ପଦକ୍ଷେପକୁ ହୃଦୟପୂର୍ବକ ସ୍ୱାଗତ କରୁଛି ଏବଂ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ବିଦ୍ୟାଳୟ, ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ, ପ୍ରତ୍ୟେକ ସଂସ୍କୃତିକ କେନ୍ଦ୍ରରେ ବନ୍ଦେ ମାତରମ୍ ଉତ୍ସବ କରାଯିବ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଯୁବପିଢ଼ି ମାନଙ୍କୁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶପ୍ରେମର ଭାବନା କେବଳ ଇତିହାସ ପଢ଼ିଦେଲେ ହୁଏନି, ତାହାକୁ ଜୀବନରେ ବାସ୍ତବରେ ଅନୁସରଣ କରିବା ଦରକାର। ଦେଶକୁ ଭଲପାଇବା ଅର୍ଥ —ଦାୟିତ୍ୱବୋଧ, ଶୃଙ୍ଖଳା ଓ ଶ୍ରମ ।
ଆୟୋଜିତ ଉତ୍ସବରେ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ—ବନ୍ଦେ ମାତରମ୍’ କେବଳ ଏକ ଗୀତ ନୁହେଁ, ଏହା ଆମ ଦେଶର ସଂଘଟନ, ସ୍ୱାଧୀନତା ଓ ଜାତୀୟ ଗରିମାର ପ୍ରତୀକ । ଏହି ଗୀତ ମାଧ୍ୟମରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଭାରତୀୟ ଜନମନସରେ ଜାଗରଣ ଆଣିଥିଲେ, ଯାହା ଦେଶକୁ ସ୍ୱାଧୀନତା ଆନ୍ଦୋଳନର ପଥରେ ଅଗ୍ରସର କରିଥିଲା ।
ଏହି ଅବସରରେ ରବୀନ୍ଦ୍ର ମଣ୍ଡପ ଠାରେ ବନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଆଧାରରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ଡଃ ଚନ୍ଦ୍ରଶେଖର ହୋତା ଧନ୍ୟବାଦ ଦେଇଥିଲେ ।