ନଭେମ୍ବର ୧୪ରୁ ୨୭ ଯାଏଁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଶେଷ ଆକର୍ଷଣ ସାଜିଛି ‘ଓଡ଼ିଶା ମଣ୍ଡପ’। ଶୁକ୍ରବାର ଦିନ ଏହାକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଛନ୍ତି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ‘ଓଡ଼ିଶା ମଣ୍ଡପ’ର ଆକର୍ଷଣୀୟ ଡିଜାଇନକୁ ପ୍ରଶଂସା କରିଥିଲେ । ‘‘ଏଥର ‘ଓଡ଼ିଶା ମଣ୍ଡପ’ ବେଶ୍‌ ଆକର୍ଷଣୀୟ ହୋଇଛି । ଏଠାରେ ରାଜ୍ୟର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ ସାଙ୍ଗକୁ କୃଷି, ଶିଳ୍ପ ଓ ବାଣିଜ୍ୟ ତଥା ରାଜ୍ୟର ସାମଗ୍ରିକ ବିକାଶର ଛବି ପ୍ରତିଫଳିତ ହେଉଛି । ଓଡ଼ିଶାର ଅନନ୍ୟ ହସ୍ତତନ୍ତ ଓ ଗ୍ରାମୀଣ ଉତ୍ପାଦ, ସୁଭଦ୍ରା ଶକ୍ତି ମହିଳାଙ୍କ ହାତ ତିଆରି ଜିନିଷ ଏହି ବାଣିଜ୍ୟ ମେଳାରେ ପ୍ରଦର୍ଶନ କରାଯାଉଛି । ଓଡ଼ିଶା ସବୁବେଳେ ମହିଳା ଶକ୍ତିଙ୍କୁ ଗୁରୁତ୍ୱ ଦେଇ ଆସୁଛି । ଚଳିତ ବର୍ଷ ଏହି ମେଳାର ବିଭିନ୍ନ ଷ୍ଟଲରେ ମହିଳାଙ୍କ ଉପସ୍ଥିତି ଏକଥାକୁ ପ୍ରମାଣିତ କରୁଛି,’’ ଓଡ଼ିଶା ମଣ୍ଡପ ଉଦଘାଟନ ଅବସରରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା । ନୂଆଦିଲ୍ଲୀରେ ନଭେମ୍ବର ୧୪ରୁ ୨୭ ତାରିଖ ଯାଏଁ ଚାଲିବ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’। ଏଥର ଭାରତ ମଣ୍ଡପମର ହଲ୍ ନମ୍ବର-୪ରେ ସ୍ଥାନ ପାଇଛି ‘ଓଡ଼ିଶା ମଣ୍ଡପ’। ଏ ବର୍ଷର ଥିମ୍‌ ରହିଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’। ଓଡ଼ିଆ ଅସ୍ମିତାର ପ୍ରତୀକ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଉତ୍କଳୀୟ ସ୍ଥପତ୍ୟ କଳାର ନିଦର୍ଶନ ହେଉଛି ଶ୍ରୀମନ୍ଦିର । ଏଥର ଓଡ଼ିଶା ମଣ୍ଡପର ମୁଖ୍ୟ ପ୍ରବେଶ ଦ୍ୱାରରେ ଶ୍ରୀମନ୍ଦିର ସିଂହଦ୍ୱାର ଆକୃତିର ତୋରଣ ଶୋଭାପାଉଛି । ସେହିପରି ଆଉ ଏକ ପ୍ରବେଶପଥରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଦର୍ଶାଉଥିବା ‘ବୋଇତ’ ଆକୃତିର ତୋରଣ ମଧ୍ୟ ନିର୍ମାଣ କରାଯାଇଛି । ଓଡ଼ିଶା ମଣ୍ଡପ ଭିତରେ ଧଉଳିର ଶାନ୍ତିସ୍ତୂପ ଓ ଡୋକ୍ରା କାରିଗରି ସାଙ୍ଗକୁ ଆଧୁନିକ ଜାହାଜର ପ୍ରତିରୂପ ଦେଶ ବିଦେଶର ଦର୍ଶକଙ୍କୁ ଆକର୍ଷିତ କରୁଛି । ଓଡ଼ିଶା ମଣ୍ଡପରେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏବଂ ସହଯୋଗୀ ସଂସ୍ଥା ପକ୍ଷରୁ ମୋଟ ୨୮ଟି ଷ୍ଟଲ୍ ରହିଛି । ଏଥିରେ ଅନନ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସହିତ ଓରମାସ୍ ଦ୍ୱାରା ପ୍ରସ୍ତୁତ ଗ୍ରାମୀଣ ଉତ୍ପାଦ, ସୁଭଦ୍ରା ଶକ୍ତି ମା’ଙ୍କ ହାତ ତିଆରି ସାମଗ୍ରୀ, କୋରାପୁଟ କଫି ଏବଂ ପୁଷ୍ଟିଶସ୍ୟ ଖାଦ୍ୟ ପଦାର୍ଥ ଆଦି ସ୍ଥାନ ପାଇଛି ।
ସେହିପରି ‘ଓଡ଼ିଶା ମଣ୍ଡପ’ରେ ରାଜ୍ୟର ଅନନ୍ୟ ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଲାଇଭ୍ ଡେମନଷ୍ଟ୍ରେସନ ଆଉ ଏକ ଆକର୍ଷଣ ପାଲଟିଛି । ଏଠାରେ ଓଡ଼ିଶାର କାରିଗରମାନେ ପଟ୍ଟଚିତ୍ର, ତାରକସି, ସବାଇ ଘାସ ଓ ଲାଖରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରି ପ୍ରଦର୍ଶନ କରୁଛନ୍ତି । ଏହାସହ ଓଡ଼ିଶା ପ୍ରସିଦ୍ଧ ରସଗୋଲା, ଛେନାପୋଡ଼, ଛେନା ଝିଲ୍ଲି ଏବଂ ଦହିବରା ଆଳୁଦମ ଆଦିର ମଜା ନେବା ପାଇଁ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି ।
ଉଦଘାଟନୀ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ଅବସ୍ଥାପିତ ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ଶ୍ରୀମତୀ ରିତୁ ଅରୋରା, ଅତିରିକ୍ତ ଆବାସିକ ଆୟୁକ୍ତ ଶ୍ରୀମତୀ ସୁଚରିତା ଷଡ଼ଙ୍ଗୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ, ନିର୍ଦ୍ଦେଶକ ବୈଷୟିକ ଶ୍ରୀ ଗୁରବୀର ସିଂ, ଓଡ଼ିଶା ମଣ୍ଡପର ନିର୍ଦ୍ଦେଶକ ଶ୍ରୀ ଅଶ୍ୱିନୀ କୁମାର ଭୋଇ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।