ସଂସ୍କାର ପବ୍ଲିକ ସ୍କୁଲରେ ଶିଶୁ ଦିବସ

ଝାରସୁଗୁଡା : ସଂସ୍କାର ପବ୍ଲିକ ସ୍କୁଲ , ଝାରସୁଗୁଡାରେ ଦୁଇ ଦିନ ଧରି ବିଭିନ୍ନ ଆକର୍ଷକ କାର୍ଯ୍ୟକ୍ରମ ସହିତ ଶିଶୁ ଦିବସ ଉଦଯାପିତ ହୋଇ ଯାଇଛି । ଛୋଟ ଠାରୁ ବଡ ସମସ୍ତ ଶ୍ରେଣୀର ଶିଶୁମାନେ ବିଶେଷ ଉତ୍ସାହ ଓ ଉଦ୍ଦୀପନାର ସହିତ ଏହି ଉତ୍ସବରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟ ପରିସରରେ ବିଜ୍ଞାନ ମେଳା, କୁଇଜ୍ ପ୍ରତିଯୋଗିତା, କ୍ରାଫ୍ଟ ମେକିଂ, ଭାଷଣ, ନିବନ୍ଧ ଲେଖନ, ଭାଗବତ ଗୀତା ଶ୍ଲୋକ ପାଠ ସହ ଚିତ୍ରାଙ୍କନ ଭଳି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଶିଶୁମାନଙ୍କ ସୃଜନଶୀଳତା, ବିଜ୍ଞାନମୂଳକ ଚେତନା ଓ ପ୍ରତିଭାକୁ ପ୍ରକାଶ କରିବା ପାଇଁ ଏହା ଏକ ଅଦ୍ଭୁତ ମଞ୍ଚ ରୂପେ ପ୍ରକାଶ ପାଇଲା । ଏହି ଅବସରରେ ବିଭିନ୍ନ ଗଣମାନ୍ୟ ଅତିଥି, ବିଦ୍ୟାଳୟ ପ୍ରବନ୍ଧନ ସମିତି ସଦସ୍ୟମାନେ, ପ୍ରଧାନାଚାର୍ଯ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଓ ଅନେକ ଅଭିଭାବକ ଗଣ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ପ୍ରଦର୍ଶନକୁ ସ୍ୱାଗତ କରିଥିଲେ ଓ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ ବିଦ୍ୟାଳୟ ଅଧିକାରୀମାନେ କହିଥିଲେ ଯେ, ଶିଶୁମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଏପରି ମାନସିକ ଓ ଶିକ୍ଷାନୁଶୀଳନମୂଳକ କାର୍ଯ୍ୟକ୍ରମ ନିରନ୍ତର ଚାଲି ରହିବ । ସନ୍ଧ୍ୟାବେଳେ ‘ଆର୍ଟ ଅଫ୍ ଲିଭିଂ’ ସଂସ୍ଥା ସହ ସଂଯୁକ୍ତ ଭାବେ ଅଭିଭାବକମାନଙ୍କ ପାଇଁ ଶିଶୁ ପାଳନ-ପୋଷଣ କର୍ମଶାଳା (Good Parenting Workshop) ଆୟୋଜିତ ହୋଇଥିଲା । ଦିନକୁ ଦିନ ବଦଳୁଥିବା ଜୀବନଶୈଳୀରେ ଶିଶୁଙ୍କ ମନୋବୃତ୍ତି, ଶିକ୍ଷା ଓ ମୂଲ୍ୟବୋଧ ଗଢ଼ିବାରେ ଅଭିଭାବକଙ୍କ ଭୂମିକା କେତେ ଜରୁରୀ — ଏହି କର୍ମଶାଳାରେ ତାହାର ସୁନ୍ଦର ବ୍ୟାଖ୍ୟା ଦିଆଯାଇଥିଲା । ବିଦ୍ୟାଳୟ ପକ୍ଷରୁ ସମସ୍ତ ଅଭିଭାବକ, ଶିକ୍ଷକମାନେ ଓ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।