
୧୫୧ଟି ଅଧିକ ପଦବୀ ପୂରଣ ପାଇଁ ଓ.ପି.ଏସ.ସିକୁ ଅନୁରୋଧ
ଭୁବନେଶ୍ୱର : ନିକଟରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା । ହେଲେ ଏଥିରେ ଓଏଏସ୍, ଓଆର୍ଏସ୍ ଆଦି କେତେକ କ୍ୟାଡରରେ ଆଦୌ ପଦବୀ ନଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବାର ଖବର ପ୍ରକାଶିତ ହୋଇଥିଲା ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ଜାଣିବା ପରେ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଏହି ସବୁ ପଦବୀ ସମ୍ପର୍କରେ ସମୀକ୍ଷା କରି ଖାଲି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ଫଳରେ ଓଡିଶା ପ୍ରଶାସନିକ ସେବା (OAS) ରେ ୧୪ଟି, ଓଡିଶା ରାଜସ୍ବ ସେବା (ORS) ରେ ୧୧୩ଟି, ଓଡିଶା ପରିବହନ ସେବା (OTS) ରେ ୧୬ଟି ଓ ଓଡିଶା ମଙ୍ଗଳ ସେବା (OWS) ରେ ୮ଟି ପଦବୀ ପୂରଣ ପାଇଁ ଓଡିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି । ସମୁଦାୟ ୧୫୧ଟି ଅଧିକ ପଦବୀ ପାଇଁ ଅନୁରୋଧ କରାଯାଇଛି ।
ଏହାଦ୍ବାରା ଏହିସବୁ ପଦବୀ ପାଇଁ ଆଶାୟୀ ଥିବା ଅନେକ ଯୁବକ ଯୁବତୀ ପରୀକ୍ଷା ଦେଇ ନିଜ ଯୋଗ୍ୟତା ବଳରେ ସଫଳତା ହାସଲ କରି ପାରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଆରୋପ କରୁଛନ୍ତି ଏବଂ ଗତ ୧୮ ମାସରେ ପ୍ରାୟ ୪୦ ହଜାର ସରକାରୀ ପଦବୀ ପୂରଣ ହୋଇସାରିଛି ।
ବର୍ତ୍ତମାନ ମଧ୍ୟ ବିଭିନ୍ନ ଆୟୋଗ ଦ୍ବାରା ଯେଉଁ ପରୀକ୍ଷା କରାଯିବ, ବିଜ୍ଞପ୍ତି ପ୍ରକାଶ ପର୍ଯ୍ୟନ୍ତ ଯେତେ ପଦବୀ ଖାଲିଥିବ ସବୁ ପୂରଣ କରିବା ପାଇଁ ଆୟୋଗ ଗୁଡିକୁ ସୁପାରିସ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।