
ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରେନ୍ ମିତ୍ରଙ୍କ ୧୦୫ତମ ଜୟନ୍ତୀ ଅବସରରେ ଶନିବାର ଦିନ ସକାଳେ ସ୍ଥାନୀୟ ଜୟଦେବ ବିହାରସ୍ଥିତ ଏହି ଜନ ନେତାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ବୀରେନ୍ ମିତ୍ର ଫାଉଣ୍ଡେସନ କମିଟିର ମିଳିତ ଆନୁକୂଲ୍ୟରେ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଆୟୋଜିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ଉତ୍କଳ ସମ୍ମିଳନୀ ଏବଂ ଉଇ ଫର ଭୁବନେଶ୍ୱର ଆଦି ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ ବିରେନ୍ ମିତ୍ରଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ବୀରେନ ମିତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରି ବିଧାୟକ ଶ୍ରୀ ସାମଲ କହିଲେ ଯେ, ବୀରେନ୍ ମିତ୍ର ଜଣେ ଲୋକପ୍ରିୟ ଜନପ୍ରତିନିଧି ଓ ଦକ୍ଷ ସଂଗଠକ ଥିଲେ । ଜଣେ ହୃଦୟବାନ ବ୍ୟକ୍ତିତ୍ୱ, ନିଃସ୍ୱାର୍ଥପର ସମାଜସେବୀ ଏବଂ ସ୍ୱାଧୀନୋତ୍ତର ଓଡିଶାର ଉନ୍ନତି ଓ ରାଜନୈତିକ ପଟ୍ଟଭୂମିରେ ବୀରେନ୍ ମିତ୍ରଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ହୋଇ ରହିବେ ବୋଲି ଶ୍ରୀ ସାମଲ କହିଥିଲେ ।