ସମ୍ବିଧାନକୁ ଦୁର୍ବଳ କରିବାପାଇଁ ଉଭୟ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ ଷଡ଼ଯନ୍ତ୍ର କରୁଛନ୍ତି

ଭୁବନେଶ୍ୱର: ସମ୍ବିଧାନ ଦିବସ ଉପଲକ୍ଷେ ପଦ୍ମପୁର ଠାରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳିତ ହେଲା । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ବନ୍ଦିତା ପରିଡ଼ା, ଜିଲ୍ଲା ସଭାପତି ନିହାର ମହାନନ୍ଦ, ନିପନ ଦାସ, ଯଞ୍ଜେଶ୍ଵର ବାବୁ, ସଂଜୟ ଭୋଇ ଓ ଅନ୍ୟାନ୍ୟ ନେତୃବର୍ଗ ସମ୍ବିଧାନର ପ୍ରଣେତା ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପଣ୍ଡିତ ନେହେରୁଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ । ଶ୍ରୀ ଶରତ ପଟ୍ଟନାୟକ ଉପସ୍ଥିତ କଂଗ୍ରେସ ନେତୃବର୍ଗ ତଥା ଜନସାଧାରଣଙ୍କୁ  କହିଥିଲେ ଯେ ଆମ ସମ୍ବିଧାନ ହେଉଛି ଏ ଦେଶର ଆତ୍ମା । ଭାରତୀୟ ମାନଙ୍କର ଜୀବନ ଧାରଣ ପାଇଁ ଜୀବନ ସଂହିତା । ସମ୍ବିଧାନକୁ ଦୁର୍ବଳ କରିବାପାଇଁ ଉଭୟ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ ଷଡ଼ଯନ୍ତ୍ର କରୁଛନ୍ତି । ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ଆଜି ମୋଦି ଓ ନବୀନ ପଟ୍ଟନାୟକଙ୍କ ଦ୍ୱାରା କବଳିତ । ସିବିଆଇ, ଇଡି ପ୍ରଭୃତି ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକୁ ଏବେ ଆଉ ନିରପେକ୍ଷ ନାହାନ୍ତି । କଂଗ୍ରେସ ମୋଦି ଓ ନବୀନ ଶାସନର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିରୋଧ କରିବାରୁ କଂଗ୍ରେସର ନେତୃମଣ୍ଡଳୀ ମୋଦି ଓ ନବୀନ ଶାସନର ଅତ୍ୟାଚାରରେ ଶିକାର ହେଉଛନ୍ତି । ସମ୍ବିଧାନ ଦୁର୍ବଳ ହେଲେ ଦେଶ ଦୁର୍ବଳ ହୋଇଯିବ । ଆମ୍ବେଦକରଙ୍କ ପ୍ରଣିତ ସମ୍ବିଧାନ ଦେଶରେ ସାର୍ବଭୌମ, ସମାନତା, ଧର୍ମନିରପେକ୍ଷତା ବଜାୟ ରଖିବା ପାଇଁ ଆଲୋକ ଦେଖାଇବା ସହ ଦେଶର ଅଖଣ୍ଡତା, ପ୍ରଗତି ଏବଂ ଅଭିବୃଦ୍ଧି ପାଇଁ ଅଭିପ୍ରେତ । ଦେଶକୁ ସୁରକ୍ଷିତ ରଖିବାପାଇଁ ଏମାନଙ୍କ କବଳରୁ ସମ୍ବିଧାନକୁ ବଞ୍ଚାଇବା କଂଗ୍ରେସ ଦଳର ପ୍ରଧାନ କର୍ତବ୍ୟ । ସମ୍ବିଧାନର ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପବଧ ହେବାପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଏହାପରେ ଏଠାରେ ଶ୍ରୀ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ପଦ୍ମପୁର ମଣ୍ଡଳୀରେ ଉପନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ସମସ୍ତେ ମତଦାନ ଦେବା ସହ ଏ ନିର୍ବାଚନ ମଣ୍ଡଳୀର ସ୍ୱାର୍ଥ ସାଧଡ଼ ପାଇଁ ସଂପଳ୍ପବଦ୍ଧ ହୁଅନ୍ତୁ । ବିଜେଡ଼ି ଓ ବିଜେପି ଉପନିର୍ବାଚନରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଫସଲବୀମା ନେଇ ଯେଉଁ କୁମ୍ଭୀର କାନ୍ଦଣା କରୁଛନ୍ତି ଏହା ହାସ୍ୟାସ୍ପଦ । କେନ୍ଦ୍ର ଓ ରାଜ୍ୟରେ ଦୁଇ ଦଳ ସରକାରରେ ଥିବା ବେଳେ ଏବଂ ଏମାନଙ୍କର ଗୋଟିଏ ନୀତି ନିଷ୍ପତି ହୋଇଥିବା ବେଳେ ଚାଷୀର ସ୍ୱାର୍ଥ କିପରି ବଳିପଡ଼ିଲା ତାହା ଆଜି ପ୍ରଶ୍ନବାଚୀ । ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ଦାବି ବହୁ ପୂରୁଣା ହୋଇଥିଲେ ମଧ୍ୟ ଏବେ ନବୀନ ପଟ୍ଟନାୟକ ଉପନିର୍ବାଚନ ଆସିବାରୁ ଭୂଆଁ ବୁଲାଉଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀଙ୍କ ନିମ୍ନ ପ୍ରତିଶ୍ରୁତି ଗୁଡିକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା । ୧. ପଦ୍ମପୁର ସବଡିଭିଜନକୁ ଜିଲ୍ଲାର ମାନ୍ୟତା ପାଇଁ ସଂଗ୍ରାମ ଜାରି ରହିବ । ୨. ପାଇକମାଳକୁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପରିଣତ କରାଇବା ପାଇଁ ଚେଷ୍ଟା ବଳବତର ରହିବ । ୩. ମେଲଛାମୁଣ୍ଡା ଏବଂ ଲଖମରାକୁ ବ୍ଲକ କରିବାପାଇଁ ପ୍ରଚେଷ୍ଟା ଜାରି ରହିବ । ୪. ଚାଷୀର ଧାନର ସର୍ବନିମ୍ନ ମୂଲ୍ୟ ୨୬୦୦ ଟଙ୍କା ଏବଂ ବୀମା ରାଶି ମିଳିବା ପାଇଁ ପୂର୍ଣ୍ଣ ସହଯୋଗ ଓ ଦୃଢ଼ ପ୍ରଚେଷ୍ଟା କରିବ । ୫. ବରଗଡ଼-ନୂଆପଡ଼ା ନୂତନ ରେଳ ଲାଇନ ଭାୟା ପଦ୍ମପୁର ପାଇଁ ଦାବି ଜୋର କରାଯିବ । ୬. ଲଖମରା ଠାରେ ଅଙ୍ଗନଦୀରେ ଏକ ବ୍ୟାରେଜ ନିର୍ମାଣ କରି ଉଭୟ ପାଶ୍ୱର୍ରେ ମେଗା ଲିପ୍ଟ ଦ୍ୱାରା ପଦ୍ମପୁର ସହରକୁ ପିଇବା ପାଣି ଓ ଜଳସେଚନ ସୁବିଧା କରାଯିବ । ୭. ଦିପ୍ତୀପୁର ମିଶନ ଡାକ୍ତରଖାନାର ପୁନରୁଦ୍ଧାର ପାଇଁ ଚେଷ୍ଟା ଜାରି ରହିବ । ୮. ଦେବଦରହାକୁ ରାଜ୍ୟସ୍ତରୀ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ ଚେଷ୍ଟା କରିବ । ୯. ପଦ୍ମପୁର ଠାରେ ଏକ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯିବ । ୧୦. ନିର୍ବାଚନ ମଣ୍ଡଳୀରେ ଏକ କୃଷି ମହାବିଦ୍ୟାଳୟର ସ୍ଥାପନ ପାଇଁ ପ୍ରଚେଷ୍ଟା କରାଯିବ । ୧୧. ଝାରବନ୍ଧ ଠାରେ +୨ ଓ +୩ ବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ୧୨. ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଥିବା ସସ୍ତ ସରକାରୀ ଡାକ୍ତରଖାନାର ପଦପଦବୀ ପୂରଣ କରାଯିବ । ୧୩. ନୃସିଂହନାଥ ତୀର୍ଥ କ୍ଷେତ୍ରକୁ ଜାତୀୟ ସ୍ତରର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ ପାଇଁ ଚେଷ୍ଟା ଜାରି ରହିବ ।

Leave a Reply

Your email address will not be published. Required fields are marked *