କୁଚକ୍ରୀ ଗୋଷ୍ଠି ଆଜି ଭାରତର ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନକୁ ଦୁର୍ବଳ କରିବାପାଇଁ ଉଦ୍ୟମ ଜାରି ରଖିଛନ୍ତି : ଜଷ୍ଟିସ ମନୋରଞ୍ଜନ ମହାନ୍ତି

ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିଷ୍ପତିକ୍ରମେ ଶନିବାର ଦିନ “ସମ୍ବିଧାନ ଦିବସ” କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ “ଆମ ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ଆଜି ସୁରକ୍ଷିତ କି”? ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ସଭାପତିତ୍ୱ କରିଥିଲେ ଏବଂ ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏହାକୁ ପରିଚାଳନା କରିଥିଲେ ଓ ଶେଷରେ ମୁଖପାତ୍ର ଶ୍ରୀ ଅମିୟ ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ । ସଂପ୍ରତି ପଦ୍ମପୁର ଉପନିର୍ବାଚନରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ପ୍ରଚାର କାର୍ଯ୍ୟରେ ବ୍ୟସ୍ତଥିବାରୁ ନିଜର ଅପୁପସ୍ଥିତି ଯୋଗୁଁ ଏକ ବାର୍ତା ପଠାଇଥିଲେ । ଉକ୍ତ ବାର୍ତାକୁ ଆଲୋଚନା ଚକ୍ରରେ ଶ୍ରୀ ହରିଚନ୍ଦନ ପାଠକରି ଅତିଥି ବୃନ୍ଦ ସ୍ୱଳ୍ପ ସମୟ ମଧ୍ୟରେ ପ୍ରଦେଶ କଂଗ୍ରେସର ନିମନ୍ତ୍ରଣ ରକ୍ଷା କରିଥିବା ହେତୁ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିବା ସହିତ କୃତଜ୍ଞତା ଜଣାଇଥିବା ପ୍ରକାଶ କରିଥିଲେ । ଶ୍ରୀ ପଟ୍ଟନାୟକ ତାଙ୍କ ବାର୍ତାରେ ପୁନଶ୍ଚ କହିଥିଲେ ଯେ ସମ୍ବିଧାନ ହେଉଛି ସ୍ୱାଧୀନ ଭାରତ ବର୍ଷର ସମସ୍ତ ଆଇନ କାନୁନ ମୂଳ ଉତ୍ସ । ସମ୍ବିଧାନର ସୁରକ୍ଷା ଓ ସାମ୍ବିଧାନିକ ଅନୁଷ୍ଠାନ ମାନଙ୍କର ସ୍ୱାତନ୍ତ୍ର‌୍ୟତା, ନିରପେକ୍ଷତା ଓ ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆମେ ସମସ୍ତେ ବଦ୍ଧପରିକର ହେବା ଉଚିତ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଜଷ୍ଟିସ ମନୋରଞ୍ଜନ ମହାନ୍ତି କହିଲେ ଯେ, ଭାରତ ବର୍ଷରେ ଏକ ନିର୍ଦ୍ଦିଷ୍ଟ କୁଚକ୍ରୀ ଗୋଷ୍ଠି ଆଜି ଭାରତବର୍ଷର ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନକୁ ଦୁର୍ବଳ କରିବାପାଇଁ ଉଦ୍ୟମ ଜାରି ରଖିଛନ୍ତି । ସ୍ୱାଧୀନତାର ପରେ ପରେ ଏହି ଭିନ୍ନ ଚିନ୍ତାଧାରା ବ୍ୟକ୍ତିବିଶେଷ ବା ଗୋଷ୍ଠିମାନେ ଗାନ୍ଧୀ ଓ ନେହେରୁଙ୍କ ଚିନ୍ତାଧାରାକୁ ଆଜି ସଂପୂର୍ଣ୍ଣ ନଷ୍ଟଭ୍ରଷ୍ଟ କରିଦେବାକୁ ବସିଛନ୍ତି । ଆଜି ଯେଉଁ ଭାରତବର୍ଷ ଆମେ ଦେଖୁଛୁ ବା ଦ୍ୱିତୀୟ ଗଣତନ୍ତ୍ର ରାଷ୍ଟ୍ରଭାବେ ନିଜକୁ ଗର୍ବିତ ଅନୁଭବ କରୁଛୁ ସେ ସବୁର ମୂଳଦୁଆ ହେଉଛି ସ୍ୱାଧୀନ ଭାରତବର୍ଷର ହୃତପିଣ୍ଡ ସମ୍ବିଧାନ ପାଇଁ । ଗାନ୍ଧୀ ଓ ନେହେରୁଙ୍କ ଚିନ୍ତାଧାରାକୁ କେବେ ବଦଳାଯାଇ ପାରିବ ନାହିଁ । ନିଜର ହୀନ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାପାଇଁ ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନକୁ ଦୁର୍ବଳ କରିଦିଆଯାଉଛି । ବରିଷ୍ଠ ସାମ୍ବାଦିକ ଶ୍ରୀ କେଦାର ମିଶ୍ର ପ୍ରମୁଖ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦଙ୍କୁ ନିଜ ବକ୍ତବ୍ୟରେ କହିଥିଲେ ଯେ, ଭାରତ ବର୍ଷର ସ୍ୱାଧୀନତା ଆନ୍ଦୋଳନରେ ଆରଏସଏସ ଏବଂ ହିନ୍ଦୁ ମହାସଂଘ କେବେ ଅଂଶଗ୍ରହଣ କରିନଥିଲେ । ଭାରତ ଛାଡ଼ ଆନ୍ଦୋଳନ, ଅସହଯୋଗ ଆନ୍ଦୋଳନକୁ ସେମାନେ ବିରୋଧ କରିବା ସହିତ ବ୍ରିଟିଶ ସରକାରକୁ ସହଯୋଗ କରିବା ଏବଂ ଜାତୀୟ କଂଗ୍ରେସକୁ ଘୋର ବିରୋଧ କରିବା ଏମାନଙ୍କର ଧର୍ମ ଓ କର୍ତବ୍ୟ ଥିଲା । ଜାତୀୟ ପତାକାକୁ ଆରଏସଏସ ନିଜ କାର୍ଯ୍ୟାଳୟରେ ଦୀର୍ଘବର୍ଷ ଧରି ଉଡାଇନଥିଲା । ୨୦୦୨ ଗୋଧ୍ରା ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଆଜି ଭାରତ ବର୍ଷର ଗୃହମନ୍ତ୍ରୀ । ଦୀର୍ଘବର୍ଷ ଧରି ଗାନ୍ଧୀ ନେହେରୁଙ୍କ ଚିନ୍ତାଧାରା ତଥା ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନ ମାନଙ୍କୁ ଦୁର୍ବଳ କରିବାପାଇଁ ଆରଏସଏସ ନିର୍ଦ୍ଦେଶରେ ଭାରତୀୟ ଜନତାପାର୍ଟି ଏ କାର୍ଯ୍ୟ କରିଚାଲୁଛି । ଆଜି ଭାରତ ବର୍ଷର ବିଚାରଳୟ, ନିର୍ବାଚନ ଆୟୋଗ ଏବଂ ଅନ୍ୟାନ୍ୟ ସାମ୍ବିଧାନି ଅନୁଷ୍ଠାନକୁ ନିଜ ଆୟତକୁ ନେଇ ସାରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେଉଁ ସିଏଜି ଏକ ଆନୁମାନିକ କ୍ଷତିକୁ ଏକ ବଡ଼ ଷଡଯନ୍ତ୍ର କରି ପର୍ଦାଫାସ କରିଥିଲା ସେହି ସିଏଜି ଦୀର୍ଘ ୮ବର୍ଷ ଭିତରେ ତାର କଡ଼ାଶବ୍ଦ ଶୁଭୁନାହିଁ । ଆଜି ପ୍ରଧାନମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ସିଏଜିଭଳି ସଂସ୍ଥାର ମୁଖ୍ୟ । ସ୍ୱାଧୀନ ଭାରତ ବର୍ଷର ପ୍ରଧାମନ୍ତ୍ରୀ ଶ୍ରୀଯୁକ୍ତ ନେହେରୁ ଶିକ୍ଷା, ସ୍ୱାସ୍ଥ୍ୟ, ଏବଂ ବୈଷୟୀକ ଜ୍ଞାନ କ୍ଷେତ୍ରରେ ଭାରତକୁ ଆଗକୁ ନେବାପାଇଁ ଯେଉଁ ସବୁ ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକୁ ଗଠନ କରିଥିଲେ ସେଗୁଡ଼ିକୁ ଆଜି ଦୁର୍ବଳ କରିବାକୁ ଚକ୍ରାନ୍ତ ଚାଲିଛି । ନେହେରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ଦେଶକୁ ସଶକ୍ତ କରିବାପାଇଁ ସମସ୍ତ ପଦକ୍ଷେପ ନେଇଥିଲେ କିନ୍ତୁ ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଦଳକୁ ସଶକ୍ତ କରିବାପାଇଁ ଯେଉଁ ପଦକ୍ଷେପ ନେବା କଥା ତାହା ନେଇନଥିଲେ । ଆଜି କିନ୍ତୁ ଭାରତୀୟ ଜନତାପାର୍ଟି ନିର୍ବାଚନ ଜିତିବାପାଇଁ ନିଜ ଦଳକୁ ସଶକ୍ତ କରୁଛି ଦେଶକୁ ଦୁର୍ବଳ କରି । ଆଜି କିନ୍ତୁ ଭାରତ ଯୋଡ଼ ପଦଯାତ୍ରା ଯେଉଁ ଉଦ୍ଦେଶ୍ୟ ନେଇ ଶ୍ରୀ ରାହୁଲ ଗାନ୍ଧୀ କନ୍ୟାକୁମାରୀ ଠାରୁ କାଶ୍ମିର ପର୍ଯ୍ୟନ୍ତ କରୁଛନ୍ତି ତାହାର ମୂଳ ଉଦ୍ଦେଶ୍ୟ ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନକୁ ରକ୍ଷା କରିବା । ମୁଁ ବ୍ୟକ୍ତିଗତ ଭାବେ ଶ୍ରୀ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରୁଛି । ଭାରତବର୍ଷରେ ଆଜି ଏଭଳି ଜଣେ ବ୍ୟକ୍ତି ଏ ପରିସ୍ଥିତିକୁ ମୁକାବିଲା କରିବାପାଇଁ ଛିଡ଼ା ହୋଇଛନ୍ତି । ସମ୍ମାନୀତ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକ କହିଲେ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ ବି ଆର ଆମ୍ବେଦକର ଏବଂ ବହୁ ମନୀଷମାନେ ଆମ ସମ୍ବିଧାନକୁ ପ୍ରସ୍ତୁତ କରିଥିଲେ । ଆମ ସମ୍ବିଧାନ ଯୋଗୁଁ ଆଜି ଆମ ଗଣତନ୍ତ୍ର ଅଛି କିନ୍ତୁ ୨୦୧୪ ମସିହା ଠାରୁ ବହୁ ମାତ୍ରାରେ ଆମ ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନ ଉପରେ ବିଜେପି ସରକାର ଆରଏସଏସ ଇଙ୍ଗିତରେ ନଷ୍ଟଭ୍ରଷ୍ଟ କରିବାକୁ ଲାଗିପଡ଼ିଛନ୍ତି ଏବଂ ଏଥିରେ ସେମାନେ ମଧ୍ୟ ବହୁ କିଛି ସଫଳତା ପାଇଲେଣି । ଯାହାକି ଆମ ଦେଶପାଇଁ ଓ ଆମ ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଘଡ଼ିଷନ୍ଦି ମୂହୁର୍ତ । ସବୁଠାରୁ ବଡ଼କଥା ବିଚାରଳୟ ଠାରୁ ଆରମ୍ଭ କରି ନିର୍ବାଚନ ଆୟୋଗ, ୟୁଜିସି, ସିଏଜି, ଆରବିଆଇ ଏବଂ ବିଶେଷ କରି ଅନ୍ୟ ସ୍ୱାଧୀନ ସଂସ୍ଥା ଗୁଡ଼ିକକୁ ନିଜ ଆୟତକୁ ନେବାକୁ ବସିଲେଣି । ଯେଉଁ ବିମୁଦ୍ରୀକରଣ କରାଯାଇଥିଲା ତାହା ଦେଶର କଳାଧନକୁ ରୋକିବା ପରିବର୍ତେ ଦେଶର ପରିସ୍ଥିତିକୁ ଅତ୍ୟନ୍ତ ଖରାପ କରି ଦିଆଗଲା ଏବଂ ଭାରତୀୟ ଜନତାପାର୍ଟି ଏହାଦ୍ୱାରା ବହୁମାତ୍ରାରେ ଲାଭବାନ ହେଲା । ନିର୍ବାଚନୀ ବଣ୍ଡ ମାଧ୍ୟମରେ କୋଟି କୋଟି ଟଙ୍କା ଚାନ୍ଦା ପାଇ ସରକାର କେବଳ ସେହି ଶିଳ୍ପପତି ମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ସରକାରଙ୍କର ସମସ୍ତ ଅଣସାମ୍ବିଧାନିକ ନିଷ୍ପତି ବିରୁଦ୍ଧରେ ସେ ରଘୁରାମ ରାଜନ, ଉଜିତ ପଟେଲ ଠାରୁ ଆରମ୍ଭ କରି ବହୁ ବ୍ୟକ୍ତିମାନେ ବିରୋଧ କରିଛନ୍ତି । ସୁପ୍ରିମ କୋର୍ଟର ବିଚାରପତି ମାନଙ୍କ ନିଯୁକ୍ତିର ସ୍ୱଚ୍ଛତା ନରଖି କିଭଳି ଯେଉଁ ବିଚାରପତି ମାନେ ତାଙ୍କ ଅଧିନରେ ରହିବେ ସେମାନଙ୍କ ନାମ ସୁପାରିଶ କରାଯିବା ପାଇଁ ଚେଷ୍ଟା ଚାଲିଛି । କଲେଜିୟମ ସିଷ୍ଟମକୁ ସିଧାସଳଖ ବିରୋଧ କରାଯାଉଛି । ନିର୍ବାଚନ ଆୟୋଗର ସଦସ୍ୟମାନଙ୍କୁ ନିଜ ହାତମୁଠାରେ ରଖାଯାଉଛି । ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ କହିଥିଲେ ଯେ ଉଭୟ ଶେଠ ଓ ଶଠ ଏବଂ ରାଜ୍ୟରେ ଚାଲିଥିବା ବିଜେଡ଼ି ସରକାର ଉଭୟ ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନକୁ ଦୁର୍ବଳ କରୁଛନ୍ତି । ଆଜି ଉଭୟ ବିଜେପି ଓ ବିଜେଡ଼ି ଉଭୟ ଗାନ୍ଧୀ, ନେହେରୁଙ୍କ ପ୍ରତି ଅସହିଷ୍ଣୁ ହୋଇପଡ଼ିଛନ୍ତି । ନେହେରୁ ଭୁବନେଶ୍ୱର ସହରର ଭିତିପ୍ରସ୍ତ ସ୍ଥାପନ କରିଥିଲେ । ଆସେମ୍ବ୍ଲି ଠାରୁ ଆଚାର୍ଯ୍ୟ ବିହାର ମାର୍ଗକୁ ନେହେରୁ ମାର୍ଗ କୁହାଯାଉଥିଲା କିନ୍ତୁ ନବୀନ ବାବୁ ଏ ମାର୍ଗର ନାମ ପରିବର୍ତନ କରିଦେଲେ । ମାଷ୍ଟର କ୍ୟାଂଟିନ ଛକରେ ଭାରତବର୍ଷର ପୂର୍ବତନ ରାଷ୍ଟ୍ରପତି ଆର ଭେଙ୍କେଟ ରମଣ ନେହେରୁଙ୍କ ପ୍ରତିମୂର୍ତିକୁ ଅନାବରଣ କରିଥିଲେ କିନ୍ତୁ ଆଜି ସେହି ସ୍ଥାନଟି ଏ ସ୍ମାର୍ଟ ସିଟିର ସବୁଠାରୁ ପରିତ୍ୟକ୍ତ ଏବଂ ଅପରିସ୍କାର ଜାଗା । ଏ ହେଉଛି ନେହେରୁଙ୍କ ପ୍ରତି ଏ ସରକାରଙ୍କର ଭଲପାଇବା ଓ ମାନସିକତା । ଭାରତୀୟ ଜନତାପାର୍ଟିକୁ ସବୁ ସମୟରେ ବିଜେଡ଼ି ସରକାର ଅନ୍ଧଭାବରେ ସହଯୋଗ କରିଆସିଛି । ଏପରିକି ସିଏଏ, ଏନଆରସି ଏବଂ କଳାକୃଷି ଆଇନରେ ମଧ୍ୟ ପାଟି ବନ୍ଦ କରି ରହିଥିଲା । ଆଜି ଯେଉଁଭଳି ଭାବରେ ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକୁ ଦୁର୍ବଳ କରିବାରେ ବିଜେପି ଉଦ୍ୟମ କରୁଛି ତାକୁ ସଫଳ କରିବାପାଇଁ ବିଜେଡ଼ି ସାହାଯ୍ୟ କରୁଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ବିଜୟଲକ୍ଷ୍ମୀ ସାହୁ, ଡ. ଲଲାଟେନ୍ଦୁ ମହାପାତ୍ର, ମନୋରଞ୍ଜନ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ ଦାଶ, ସୁରେନ୍ଦ୍ର ନାଥ କର, ସୁଦର୍ଶନ ଦାସ, ରଜନୀ ମହାନ୍ତି, ବିସ୍ମୟ ମହାପାତ୍ର, ହଳଧର ସେଠୀ, କୁମାର ଚିରଞ୍ଜିବ, ପ୍ରକାଶ ଜେନା, ସୁବ୍ରତ ମହାପାତ୍ର, ମିହିର ଆଚାର୍ଯ୍ୟ, ରସିକ ପଟ୍ଟନାୟକ, ପ୍ରଶାନ୍ତ ଶତପଥି, ଜ୍ୟୋତିଷ ସାହୁ, ମନୋଜ ସାହୁ, ଏମଡି ସାହାଦୁଲ୍ଲା, ଲିଙ୍ଗରାଜ ସାହୁ, ଜୟକୃଷ୍ଣ ସୁବୁଦ୍ଧି, ଜିତେନ୍ଦ୍ର ବିଶ୍ୱାଳ, ସ୍ୱାଧୀନବାଳା ଦାସ, କନକଲତା ମଲ୍ଲିକ, ଶ୍ରୀୟା ମହାନ୍ତି, ଶୈଳେନ୍ଦୁ ମଜୁମଦାର, ଆଲୋକ ମହାନ୍ତି, ଦେବୀ ପ୍ରସାଦ ବାହାଲିଆ, ସୁବାଷ ପ୍ରଧାନ, ମିତ୍ରଭାନୁ ମହାପାତ୍ର, ମୋହନ ଜେନା, ନିରୁପମା ଦାସ, ତରୁଣ ମିଶ୍ର, ମନୋରଞ୍ଜନ ରାଉତରାୟ, ଦେଓ ପ୍ରସାଦ, ସତ୍ୟସ୍ମିତ ମହାନ୍ତି, ନାରାୟଣ ଜେନା, ମନୋଜ ନାୟକ, ଅଶୋକ ସ୍ୱାଇଁ, ଉମେଶ ଦାସ, ଆତ୍ମାରାମ ପତି, ଖଗେଶ୍ୱର ମଲ୍ଲିକ, ନଳିନୀକାନ୍ତ ନାୟକ, ପ୍ରଭାତ ପ୍ରତାପସିଂ, ଦେବରାଜ ମିଶ୍ର, ଅଶୋକ ଦାସ, ଶ୍ରୀଧର ବଳିଆର ସିଂ, ମନୋରଞ୍ଜନ ଜେନା, ବ୍ରହ୍ମାନନ୍ଦ ସାହୁ, ସେକ ତାକୱିନ, ମାମିନା ବେହେରା, ସୁଭଦ୍ରା ମିଶ୍ର, ସୌମେନ୍ଦ୍ର ମହାନ୍ତି, ମାନସ ସେଠୀ, ଶୁଭ୍ରଜ୍ୟୋତି ଲେଙ୍କା, ଦେବାଶିଷ ଦାସ, ପ୍ରଶନ୍ନ ନାୟକ, ପୁଷ୍ପିତା ଦାସ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ । 

Leave a Reply

Your email address will not be published. Required fields are marked *