2025 ଶେଷ ପର୍ଯ୍ୟନ୍ତ, ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର 87.6% ବୃଦ୍ଧି ପାଇଛି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବରର ୟୁନିଟ୍-୩ ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ବୁଲି ଦେଖିବା ସହିତ ଏହି ପ୍ରଦର୍ଶନୀକୁ ଆଉ ଦୁଇ ଦିନ ବଢାଇବା ପାଇଁ ଘୋଷଣା କରିଛନ୍ତି ।
ସୂଚନାଥାଉକି, ଆଜି ସମାପ୍ତ ହେବାକୁ ଯାଉଥିବା ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଦୁଇ ଦିନ ଅର୍ଥାତ ଚଳିତ ମାସ ବାର ତାରିଖ ପର୍ଯ୍ୟନ୍ତ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୬ ତାରିଖ ଦିନ ଏଠାରେ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ଏହି ପ୍ରଦର୍ଶନୀ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଗସ୍ତ ସମୟରେ ଉଦ୍ଘାଟିତ ହୋଇଥିଲା ।
ଓଡ଼ିଶା ପୋଲିସ ଦ୍ଵାରା ଆୟୋଜିତ ଏହି ପ୍ରଦର୍ଶନୀରେ ସଚେତନତା ବାର୍ତ୍ତାବାହୀ ଏକ ପଥପ୍ରାନ୍ତ ନାଟକକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହିତ ଉକ୍ତ ପ୍ରଦର୍ଶନୀରେ ପ୍ରଦର୍ଶିତ ଗୃହ ବିଭାଗର ବିଭିନ୍ନ ଷ୍ଟଲ ଅତି ଉଚ୍ଚକୋଟିର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।
ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ନାଗରିକଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା ପାଇଁ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ଯେଉଁ ସଂକଳ୍ପ ରହିଛି, ତାହାର ଶ୍ରେଷ୍ଠ ପ୍ରମାଣ ହେଉଛି ଏହି ଭାରତୀୟ ନ୍ୟାୟ ସଂହିତା । ଏହି ପ୍ରଦର୍ଶନୀ ସାଧାରଣ ଲୋକଙ୍କୁ ଏହି ନୂଆ ଆଇନର କାର୍ଯ୍ୟକାରୀତା ଓ ଏହାର ପ୍ରଭାବ ସମ୍ପର୍କରେ ସଚେତନ କରିବାରେ ଏକ ଉତ୍ତମ ପଦକ୍ଷେପ । ଏହି ନୂଆ ଆଇନ ଲାଗୁ ହେଲା ପରେ ଭାରତ ବର୍ଷର ଅପରାଧ ନିୟନ୍ତ୍ରଣ ଢାଞ୍ଚାରେ ଉପନିବେଶବାଦୀ ଯୁଗର ଅବସାନ ଘଟିଛି ଏବଂ ସ୍ୱାଧୀନ ଭାରତର ଆଭିମୂଖ୍ୟକୁ ନେଇ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି । ନୂଆ ଆଇନ ଲାଗୁ ହେଲା ପରେ ଭାରତ ବର୍ଷର ଅପରାଧ ନିୟନ୍ତ୍ରଣ ଢାଞ୍ଚାରେ ଉପନିବେଶବାଦୀ ଯୁଗର ଅବସାନ ଘଟିଛି ଏବଂ ସ୍ୱାଧୀନ ଭାରତର ଆଭିମୂଖ୍ୟକୁ ନେଇ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି ।
ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରଠାରୁ 2025 ଶେଷ ପର୍ଯ୍ୟନ୍ତ, ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର 87.6% ବୃଦ୍ଧି ପାଇଛି । ଏହା ଏକ ବିରାଟ ସଫଳତା । ଏହି ଆଇନ ଦ୍ଵାରା ତଦନ୍ତ ଠାରୁ ବିଚାର ପର୍ଯ୍ୟନ୍ତ ପ୍ରାୟ ସବୁ ଷ୍ଟେପ୍ ରେ ଉନ୍ନତି ଆସିଛି । ୨୦୨୫ ରେ ଜିରୋ FIR ସଂଖ୍ୟା ୧୬୬ ପ୍ରତିଶତ ବୃଦ୍ଧି ପାଇଛି । ଏହି ଆଇନ ବ୍ୟତୀତ ଆମେ ପୋଲିସକୁ ଦକ୍ଷ କରିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନେଉଛୁ । National Forensic Science University ଏବଂ Central Forensic Science Laboratory ପାଇଁ ଶିଳାନ୍ୟାସ କରାଯାଇଛି । ଆଧୁନିକ ଟେକ୍ନୋଲୋଜିରେ ପୋଲିସକୁ ପାରଙ୍ଗମ କରିବା ପାଇଁ IIT Bhubaneswar ସହିତ MoU ହୋଇଛି । ପୋଲିସ୍ କୁ ବିଭିନ୍ନ ଆଧୁନିକ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେବା ପାଇଁ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ସହ ମଧ୍ୟ MoU ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ସମସ୍ତ ଉଚ୍ଚ ପଦସ୍ତ ଅଧିକାରୀ ଉପସ୍ଥିତ ଥିବା ବେଳେ ବିଭିନ୍ନ ସ୍କୁଲ ଏବଂ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।