ବିଭିନ୍ନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ସମୀକ୍ଷା କଲେ ରାଜସ୍ୱ କମିଶନର

ସମ୍ବଲପୁର : ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର(ଭା. ପ୍ର .ସେ)ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ, ରେଳବାଇ ଏବଂ ଜଳସେଚନ ପ୍ରକଳ୍ପ ପାଇଁ ଚାଲିଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ବୈଠକରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପ୍ରକଳ୍ପ ଜାତୀୟ ରାଜପଥର ସମ୍ପ୍ରସାରଣ ତଥା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଢେଙ୍କାନାଳ, ରାଉରକେଲା, କେନ୍ଦୁଝର ଏବଂ ସମ୍ବଲପୁର ପ୍ରକଳ୍ପ ନିର୍ଦ୍ଦେଶକଙ୍କ (PD) ଅଧୀନରେ ଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ହୋଇଥିଲା । ଏଯେଉଁଥିରେ ଅନୁଗୁଳ-କଟକ, ବାନରପାଳ-ଗୋଡ଼ିବନ୍ଧ (NH-149/53) ଏବଂ ତାଳଚେର-ଡୁବୁରୀ-ଚଣ୍ଡିଖୋଲ (NH-53), ବୀରମିତ୍ରପୁରରୁ ବ୍ରାହ୍ମଣୀ ବାଇପାସ୍, ରାଜମୁଣ୍ଡାରୁ ବାରକୋଟ୍ ଏବଂ କୋଇଡ଼ାରୁ ରାଜମୁଣ୍ଡା ସେକ୍ସନ, NH-6 ର ସିଙ୍ଗଡ଼ା-ବିଞ୍ଜବାହାଲ ଓ ବିଞ୍ଜବାହାଲ-ତିଲେଇବଣି ସେକ୍ସନ ଏବଂ NH-215 (ନୂଆ NH-20) ର ପାଣିକୋଇଲି-ରିମୁଳି ସେକ୍ସନ, ସମ୍ବଲପୁର ରିଙ୍ଗ ରୋଡ୍, ଅନୁଗୁଳ-ସମ୍ବଲପୁର (NH-55), ତିଲେଇବଣି-ସମ୍ବଲପୁର (NH-53), ରେଢ଼ାଖୋଲ ବାଇପାସ୍ ଏବଂ ଅଇଁଠାପାଲି ଫ୍ଲାଏଓଭର ପ୍ରକଳ୍ପଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ପୂର୍ତ୍ତ ବିଭାଗ ଅଧୀନରେ ଥିବା ଜାତୀୟ ରାଜପଥ NH-26 ର ବରପାଲିରୁ ବରାହ, ବଲାଙ୍ଗୀର ପର୍ଯ୍ୟନ୍ତ ପ୍ରଶସ୍ତିକରଣ, NH-59 ର ସତିଘାଟରୁ ଚାରଭାଟା ଏବଂ ରିଗଡ଼ୋଲରୁ ବେଲଗାଁ (ବଲାଙ୍ଗୀର) ପର୍ଯ୍ୟନ୍ତ ଉନ୍ନତିକରଣ କାର୍ଯ୍ୟ, ରାଜ୍ୟର ଯୋଗାଯୋଗ ଯାତାୟାତ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଥିବା ପ୍ରମୁଖ ରେଳ ପ୍ରକଳ୍ପ ଗୁଡ଼ିକ ଯଥା- ଖୋର୍ଦ୍ଧା-ବଲାଙ୍ଗୀର, ସମ୍ବଲପୁର-ତାଳଚେର ଦୋହରୀକରଣ, ସମ୍ବଲପୁର-ଟିଟିଲାଗଡ଼ ଦୋହରୀକରଣ, ବ୍ରୁନ୍ଦାମାଲ-ଝାରସୁଗୁଡ଼ା, ସାଲେଗାଁ-ବୁଢ଼ାପଙ୍କ ୪ର୍ଥ ଲାଇନ୍, ଅନୁଗୁଳ-ସୁକିନ୍ଦା ରାଞ୍ଚି-ବଣ୍ଡାମୁଣ୍ଡା, ବଣ୍ଡାମୁଣ୍ଡା ୪ର୍ଥ ଲାଇନ୍ ଏବଂ ତାଳଚେର-ବିମଳାଗଡ଼ ରେଳ ଲାଇନ୍ ପ୍ରକଳ୍ପ, ଜଳସେଚନ ପ୍ରକଳ୍ପ ଆନନ୍ଦପୁର ବ୍ୟାରେଜ୍, ଦେଓ ଜଳସେଚନ ପ୍ରକଳ୍ପ, ଲୋୟର ସୁକତେଲ ଏବଂ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ, ରେଙ୍ଗାଲି ଜଳସେଚନ ପ୍ରକଳ୍ପ, ରେଙ୍ଗାଲି ଦକ୍ଷିଣ କେନାଲ ବ୍ୟବସ୍ଥା ଏବଂ ହୀରାକୁଦ ପ୍ରକଳ୍ପର ଅତିରିକ୍ତ ସ୍ପିଲୱେ (Spillway) ନିର୍ମାଣ ଆଦି ର ସମୀକ୍ଷା କରାଯାଇଥିଲା । ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ ଆୟୁକ୍ତ ସମ୍ପୃକ୍ତ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନଙ୍କୁ ଜମି ଅଧିଗ୍ରହଣ ଜନିତ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।