
ଭୁବନେଶ୍ୱର: ହାତୀ-ମନୁଷ୍ୟ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟରେ କେତେକ ସ୍ଥାନରେ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି । ଏହି ବିବାଦ ମଧ୍ୟରେ ବି ଆମକୁ ମନେ ରଖିବାକୁ ପଡ଼ିବ ଯେ ପର ସ୍ପର ସହ ସଂଶ୍ଳିଷ୍ଟ ଜୈବ ମଣ୍ଡଳ, ସମାଜ ଓ ପରିବେଶ ସନ୍ତୁଳନରେ ହାତୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଡାଇନୋସର ପରେ ବର୍ତ୍ତମାନ ହାତୀ ସ୍ଥଳଭାଗର ସବୁଠାରୁ ବଡ଼ ପ୍ରାଣୀ । ଯଦି ହାତୀମାନେ ନରୁହନ୍ତି ତା’ହେଲେ ଜୈବମଣ୍ଡଳରେ ତାଙ୍କ ସ୍ଥାନ ଅନ୍ୟ କେହି ନେଇପାରିବେ ନାହିଁ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ୍ ଟ୍ରଷ୍ଟର ଏକାଦଶ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ହାତୀ-ମନୁଷ୍ୟଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରୀ-ଘରୋଇ-ଗୋଷ୍ଠୀ-ଭାଗୀଦାରି (ପବ୍ଲିକ୍-ପ୍ରାଇଭେଟ୍-କମୁ୍ୟନିଟି-ପାର୍ଟନରସିପ୍ (ପିପିସିପି)) ମଡେଲ୍ରେ କାର୍ଯ୍ୟ କରାଗଲେ ହାତୀ-ମନୁଷ୍ୟ ବିବାଦରେ ଅନେକ ଉପଶମ ମିଳିପାରିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ମତପୋଷଣ କରିଛନ୍ତି । ପରିବେଶ ସନ୍ତୁଳନରେ ହାତୀ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ହାତୀମାନଙ୍କ ରହିବା ସ୍ଥାନକୁ ଭଲ ଜଙ୍ଗଲ ଥିବା ଅଞ୍ଚଳ ବୋଲି ବିବେଚନା କରାଯାଇଥାଏ । ଜୈବମଣ୍ଡଳ ପାଇଁ ଜଙ୍ଗଲ ନିତାନ୍ତ ଆବଶ୍ୟକ-ଏକଥା ଆପଣମାନେ ସମସ୍ତେ ଜାଣିଛନ୍ତି ବୋଲି ଉଭୟ ପ୍ରଧାନ ବନସଂରକ୍ଷକ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ଏବଂ ଶ୍ରୀ ସୁଶୀଲ କୁମାର ପୋପଲି ପ୍ରକାଶ କରିଛନ୍ତି । ଜୈବ ମଣ୍ଡଳ ତ ଥା ପରିବେଶର ସନ୍ତୁଳନ ପାଇଁ ହାତୀର ଆବଶ୍ୟକତା ଉପରେ ରମେଶ କୁମାର ପଣ୍ଡା, ଆଇଜିଏଫ ତଥା ନିର୍ଦ୍ଦେଶକ, ପ୍ରୋଜେକଫ ଏଲିଫାଣ୍ଟ, ଡ. ଦେବବ୍ରତ ସ୍ୱାଇଁ, ସଦସ୍ୟ, ଲୋକାୟୁକ୍ତ, ଟ୍ରଷ୍ଟି ଶ୍ରୀ ଜିତଶତ୍ରୁ ମହାନ୍ତି, ଟ୍ରଷ୍ଟରଉପଦେଷ୍ଟା ଶ୍ରୀ ସରୋଜ କୁମାର ପଟ୍ଟନାୟକ, ବି.କେ. ଲୀନା ପ୍ରମୁଖ ସବିଶେଷ ଆଲୋଚନା କରିଥିଲେ । ଏହି ଅବସରରେ ଏକ ଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯିବା ସହ ବନ କର୍ମଚାରୀ ଓ ହାତୀ-ସାଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟର ଅଧ୍ୟକ୍ଷ ଡ. ରଜନୀକାନ୍ତ ଜେନା ସ୍ୱାଗତ ଭାଷଣ ଦେଇଥିବାବେଳେ ମ୍ୟାନେଜିଂ ଟ୍ରଷ୍ଟି ଡ. ପ୍ରକାଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପ୍ରଦୀପ କୁମାର ରାଉତ ଉପସ୍ଥିତ ଥିଲେ ।