
ଭୁବନେଶ୍ୱର:କେନ୍ଦ୍ର ବିଜେପି ସରକାରର ଶାସନ କାଳରେ ସାରା ଭାରତବର୍ଷରେ ଚାଷୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ବିଜେପି ଦଳ ଶାସନକୁ ଆସିବା ପରେ ପ୍ରଥମେ ଯେଉଁ ଭୂମି ଅଧିଗ୍ରହଣ ବିଲ୍ ଓ ପରେ ତିନୋଟି କଳା କୃଷି ଆଇନ ପ୍ରଣୟନ କରିଥିଲେ ଏହା ସମ୍ପୂର୍ଣ୍ଣ ଜନବିରୋଧୀ ଓ କୃଷକ ବିରୋଧୀ ହୋଇଥିବା ଯୋଗୁଁ ଚାପରେ ବାଧ୍ୟ ହୋଇ ସରକାର ଏହା ପ୍ରତ୍ୟାହାର କରିଛନ୍ତି । ଆଜି ପର୍ଯ୍ୟନ୍ତ ଘୋଷଣା ଅନୁଯାୟୀ ସ୍ୱାମୀନାଥନ କମିଟି ସୁପାରିଷ ଆଧାରରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣ ବୃଦ୍ଧି ଓ ଆଇନଗତ ଗ୍ୟାରେଣ୍ଟିର ବ୍ୟବସ୍ଥା କରାଗଲା ନାହିଁ । ସେହିଭଳି ସାରର ଅହେତୁକ ମୂଲ୍ୟବୃଦ୍ଧି, ଆଦାନି, ଅମ୍ବାନୀ ପରି ବଡ଼ ବଡ଼ ଉଦ୍ୟୋଗପତିଙ୍କୁ ଲକ୍ଷ ଲକ୍ଷ ଟଙ୍କା ଋଣ ଛାଡ଼ କରାଯାଉଥିବା ବେଳେ କରଜ ଭାରରେ ଥିବା ଚାଷୀଙ୍କଠାରୁ କୃଷି ଋଣ ଛାଡ଼ କରାଗଲା ନାହିଁ । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଚାଷୀଙ୍କ ହିତ ପରିବର୍ତ୍ତେ ଘରୋଇ ବୀମା କମ୍ପାନୀ ଓ ସରକାର ଲାଭ ଉଠାଇଛନ୍ତି । ଦେଶର ସମସ୍ତ ଚାଷୀଙ୍କୁ ପି.ଏମ୍.କିଷାନରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଆକାଶ ଛୁଆଁ ଦରଦାମ ବୃଦ୍ଧି, ଜି.ଏସ୍.ଟି ସବୁ ବର୍ଗଙ୍କୁ ବ୍ୟଥିତ କରିଛି । ଏହାର ପ୍ରତିବାଦରେ ଗତ ୯ ତାରିଖ ଦିନ ଅଖିଳ ଭାରତ କିଷାନ କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀ ଜନ୍ତର ମନ୍ତରଠାରେ ଏ.ଆଇ.ସି.ସି କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଖପାଲ ସିଂ ଖୈରାଙ୍କ ନେତୃତ୍ୱରେ ଦେଶର ସବୁ ରାଜ୍ୟରୁ ଆସିଥିବା ୧୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ପ୍ରତିନିଧିମାନଙ୍କୁ ନେଇ ମୋଦି ସରକାର ବିରୁଦ୍ଧରେ ଆକ୍ରୋଶ ପ୍ରଦର୍ଶନ କରାଯାଇ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦିଆଯାଇଛି । ଏହି ସବୁ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରା ନ ଗଲେ ସବୁ ରାଜ୍ୟରେ ଜିଲ୍ଲାଠାରୁ ବ୍ଳକ ପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନକୁ ଦୁର୍ବାର କରାଯିବ ବୋଲି ସ୍ଥିର କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଯୋଗଦେଇ କେନ୍ଦ୍ରରେ ବିଜେପି ସରକାରରେ ଓଡ଼ିଶାର ଚାଷୀକୁଳ ସବୁ ଦିଗରୁ ସର୍ବସ୍ୱାନ୍ତ ହେବାକୁ ବସିଲେଣି । ସଂଘୀୟ ବ୍ୟବସ୍ଥାର ବ୍ୟତିକ୍ରମ ଯୋଗୁଁ ଚାଷୀ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ । ନିର୍ଦ୍ଧାରିତ ଏମ.ଏସ.ପି ପାଇବାରୁ ବଞ୍ଚିତ । ଫଳରେ ଚାଷୀ କ୍ୱିଣ୍ଟାଲ ପିଚ୍ଛା୧୫ଶହ ୧୬ ଶହ ଟଙ୍କାରେ ଧାନ ବିକ୍ରି କରୁଛନ୍ତି । ପ୍ରଧାନମନ୍ତ୍ରୀ ଫସଲବୀମା ରାଶି ପାଇବାରେ ଅହେତୁକ ବିଳମ୍ବ ଓ ପ୍ରାକୃତିକ ବିପର୍ଯୟରେ ଫସଲ କ୍ଷତିଗ୍ରସ୍ତ ଚାଷୀମାନେ କୃଷି ଇନପୁଟ୍ ସହାୟତା ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ସାରର ଅହେତୁକ ମୂଲ୍ୟ ବୃଦ୍ଧି ଚାଷୀ ପାଇଁ କାଳ ସାଜିଛି ବୋଲି ବିଜେପି ସରକାରର ଏପରି ଚାଷୀମାରଣ ନୀତିକୁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହିତ କେନ୍ଦ୍ର ସରକାର ତୁରନ୍ତ ଧାନ କ୍ୱିଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି, ଏମ.ଏସ.ପିରେ ଆଇନଗତ ଗ୍ୟାରେଣ୍ଟି, ପ୍ରତି ରାଜସ୍ୱ ଗ୍ରାମକୁ ଫସଲବୀମାରେ ଏକକ ୟୁନିଟ୍, ଅଧିକ ଅମଳକ୍ଷମ ଫସଲକୁ ବୀମାଭୂକ୍ତ, ପ୍ରଧାନମନ୍ତ୍ରୀ ଫସଲବୀମା ରାଶି ଠିକଣା ସମୟରେ ଚାଷୀଙ୍କୁ ପ୍ରଦାନ, ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ରଚଳିତ କୃଷି ଇନପୁଟ୍ ସବସିଡ଼୍ର ୩ ଗୁଣା ବୃଦ୍ଧି, ବଡ଼ ବଡ଼ କୋଟିପତିଙ୍କ ପରିବର୍ତ୍ତେ ସମସ୍ତ ଚାଷୀଙ୍କଠାରୁ କୃଷିରଣ ଛାଡ଼, ପି.ଏମ୍. କିଷାନ ନିଧି ଯୋଜନାରେ ଏଡ଼ିଶାର ସମସ୍ତ ଚାଷୀଙ୍କୁ ଅନ୍ତର୍ଭୁକ୍ତ ଓ ତିନୋଟି କିସ୍ତିରେ କେନ୍ଦ୍ର ପକ୍ଷରୁ ବାର୍ଷିକ ୧୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ଏବଂ ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ଠିକ୍ ସମୟରେ ଓଡ଼ିଶାକୁ ସୁଲଭ ମୂଲ୍ୟରେ ସାର ଯୋଗାଣ ଏବଂ ଏକ ପ୍ରତିଶତ ସୁଧ ହାରରେ ଚାଷୀଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପକାଳୀନ କୃଷିଋଣ ଯୋଗାଇଦେବା ପାଇଁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ପିସିସି କିଷାନ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି ।