ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନ ମାନଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସମସ୍ତ ବିଜେତା ଆଥଲେଟ ମାନଙ୍କୁ ପୁରସ୍କୃତ କରିବା ସହିତ ଆଗାମୀ ସମୟରେ ସମସ୍ତ ଖେଳରେ ନିଜର ପରିଶ୍ରମ ଅବ୍ୟାହତ ରଖିବାପାଇଁ ପରାମର୍ଶ ଦେଇଥିଲେ ।

ହାର ଜିତ ତ ସବୁ ଖେଳାଳୀ ଜୀବନରେ ଆସିଥାଏ, କିନ୍ତୁ ପ୍ରକୃତ ଜୀବନର ସଂଘର୍ଷକୁ ଜିତିଯାଇଥିବା ବିଜେତା ହେଉଛନ୍ତି ଆପଣମାନେ । କାରଣ ଆପଣ ମାନେ ନିଜର ଦୁର୍ବଳତାକୁ ନିଜର ଶକ୍ତି କରିଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସମସ୍ତ ଖେଳାଳିଙ୍କୁ ସମ୍ବୋଧନ କରି କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଆଥଲେଟ ମାନଙ୍କୁ ଆଗାମୀ ଏସିଆନ ପାରା ଗେମ୍ସ ରେ ଦେଶ ପାଇଁ ଗୌରବ ଆଣିବାକୁ କହିଥିଲେ ଏବଂ ଏହି ଅବସରରେ ଓଡିଶା କଣ୍ଟିଜେଣ୍ଟର ୪୦ଜଣ ଆଥଲେଟଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅଭିନନ୍ଦନ ଜଣାଇଥିଲେ ।

ନିଜ ଅଭିଭାଷଣରେ ଅଲିମ୍ପିକ ପଦକ ବିଜେତା ପ୍ରମୋଦ ଭଗତ ଓ ଭି. ରମେଶ ରାଓଙ୍କ ପରି କ୍ରୀଡାବିତଙ୍କ ପଥ ଅନୁସରଣ କରି ଉତ୍କର୍ଷ ହାସଲ କରିବା ପାଇଁ ଉଦ୍ୟମ ଜାରି ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କ୍ରୀଡ଼ାବିତ ମାନଙ୍କୁ କହିଥିଲେ ।

ସେ ଆହୁରି କହିଥିଲେ ଯେ ସଫଳତା ଆପଣମାନଙ୍କୁ ଅପେକ୍ଷା କରି ରହିଛି । ଆପଣଙ୍କୁ କେହି ଅଟକେଇ ପାରିବେ ନାହିଁ ।

ଆଜି ଯେଉଁ ଓଡିଆ ଆଥଲେଟମାନେ ସଫଳତା ହାସଲ କରିଛନ୍ତି, ମେଡାଲ ପାଇଛନ୍ତି, ସେମାନେ ତାଙ୍କର ଉଦ୍ୟମ ଜାରି ରଖନ୍ତୁ, ବିଶ୍ୱସ୍ତରରେ ନିଜର ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରନ୍ତୁ । ବିଶ୍ୱରେ ଓଡିଶାର ପ୍ରତିଭାକୁ ନୂଆ ପରିଚୟ ଦିଅନ୍ତୁ ବୋଲି ସେ ପରାମର୍ଶ ଦେଇ କହିଥିଲେ ।

ଆଜି ବିଶ୍ୱର କ୍ରୀଡା ମାନଚିତ୍ରରେ ଓଡିଶା ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିପାରିଛି । ଆମକୁ ଆଉ ଏକ ସୁନ୍ଦର ସୁଯୋଗ ମିଳିଛି କାରଣ World Indoor Athletics Championships-2028 ଭୁବନେଶ୍ୱରରେ ଅନୁଷ୍ଠିତ ହେବ ।

ଓଡିଶାରେ କ୍ରୀଡାର ଉନ୍ନତି ପାଇଁ ଭିତ୍ତିଭୂମି ବିକାଶ, କ୍ରୀଡା ପ୍ରତିଭା ଚିହ୍ନଟ, ପ୍ରଶିକ୍ଷଣ ଏବଂ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାର ଆୟୋଜନ ପାଇଁ ଆମର ଉଦ୍ୟମ ଜାରି ରହିବ। ଭାରତ ତଥା ଓଡିଶାରେ  କ୍ରୀଡାର ବିକାଶ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ସବୁ ସମୟରେ ସହଯୋଗ ଓ ସହାୟତା ଦେଇଆସିଛନ୍ତି ସେଥିପାଇଁ ଅନେକ ଅନେକ ଧନ୍ୟବାଦ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । 

ସୂଚନା ଯୋଗ୍ୟଯେ ଉକ୍ତ ଚମ୍ପିୟନସିପ୍ ରେ ୨୮ଟି ରାଜ୍ୟର ୧୪୬୦ ଜଣ ପାରା-ଆଥଲେଟ୍ ଭାଗ ନେଇଥିଲେ ।

ଆଜି ଉଦଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ଚମ୍ପିୟାନ ଦଳ ଭାବେ ହରିୟାଣା (ପ୍ରଥମ) (୯୫ଟି ମେଡାଲ), ତାମିଲନାଡ଼ୁ (ଦ୍ଵିତୀୟ)(୫୧ଟି ମେଡାଲ ), ଏବଂ ଗୁଜୁରାଟ (ତୃତୀୟ) (୩୦ଟି ମେଡାଲ)ଙ୍କୁ ପୁରସ୍କୃତ କରିବା ସହିତ ବିଭିନ୍ନ ସ୍ତରରେ ବିଜେତା ଆଥଲେଟ ମାନଙ୍କୁ ପୁରସ୍କୃତ କରିଥିଲେ ।

ଏହି ଚମ୍ପିୟନସିପ୍ ରେ ଓଡ଼ିଶା ୫ଟି ସ୍ବର୍ଣ୍ଣ ପଦକ ସହିତ ସମୁଦାୟ ୧୭ଟି ମେଡାଲ ପାଇଛି ।

କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, କ୍ରୀଡା ବିଭାଗ ସଚିବ ଶ୍ରୀ ସଚିନ ଆର ଯାଦବ, ପାରାଲିମ୍ପିକ କମିଟି ସାଧାରଣ ସମ୍ପାଦକ ଶ୍ରୀ ଜୟୱାନ୍ତ G. H., ପାରା ଆଥଲେଟିକ୍‍ସ , ପ୍ରେସିଡେଣ୍ଟଶ୍ରୀ ସତ୍ୟନାରାୟଣ, ପାରା ସ୍ପୋର୍ଟ୍ସ ଆସୋସିଏସନ ଅଫ୍ ଓଡିଶାର ଅଧ୍ୟକ୍ଷ ଶ୍ରୀ କମଳାକାନ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ ।