ବିଦ୍ୟାଳୟ, ଅଙ୍ଗନୱାଡି, ଆହାରକେନ୍ଦ୍ର ଓ ଡାକ୍ତରଖାନାକୁ ଅଗ୍ରାଧିକାର
ଭୁବନେଶ୍ୱର : ରାଜ୍ୟରେ ଏଲ୍ପିଜି ଓ ପେଟ୍ରୋଲିୟମ୍ଜାତ ଦ୍ରବ୍ୟର ସୁଗମ ଯୋଗାଣ ସୁନିଶ୍ଚିତ କରିବାକୁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର, ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ତଥା ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର ସିଂ, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅରିନ୍ଦମ ଡାକୁଆ, ବିଭାଗୀୟ ଅଧିକାରୀ, ବିଭିନ୍ନ ତୈଳ ଓ ଗ୍ୟାସ୍ କମ୍ପାନୀର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।
ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ଗ୍ୟାସ୍ କଳାବଜାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଗ୍ୟାସ ଯୋଗାଣ ଅନିୟମିତତା ରୋକିବାକୁ ଗ୍ରାହକଙ୍କ ନିମନ୍ତେ ବାୟୋମେଟ୍ରିକ(ଆଙ୍ଗୁଠି ଚି଼ହ୍ନ ଓ ଆଇ ସ୍କାନ) ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଏଜେନ୍ସିଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ପିଏନ୍ଜି(ପାଇପ୍ଡ଼ ନେଚୁରାଲ ଗ୍ୟାସ୍) ସଂଯୋଗ ପାଇବେ, ସେମାନଙ୍କୁ ଏଲ୍ପିଜି ସଂଯୋଗୀକରଣରୁ ବାଦ୍ କରିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଛି । ପିଏନ୍ଜି ଗ୍ୟାସ୍ ଯୋଗାଣ ନିମନ୍ତେ ପାଇପ୍ ଲାଇନ ସଂଯୋଗ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହୁଏ ଏବଂ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ତୈଳ ଓ ଗ୍ୟାସ୍ କମ୍ପାନୀମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।
ଏହି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ ମହାପାତ୍ର ପିଏନଜି ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ ସହରାଞ୍ଚଳରେ ଏଲ୍ପିଜି ଉପରେ ନିର୍ଭରଶୀଳତା କମାଇବା ପାଇଁ ସମସ୍ତ ସରକାରୀ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ତୁରନ୍ତ ପିଏନଜି ସଂଯୋଗ ନେବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତୁରନ୍ତ ଅନୁମତି ପ୍ରଦାନ କରିବ । ଆଗାମୀ ରଥଯାତ୍ରାକୁ ନଜରରେ ରଖି ପୁରୀ ସହରରେ ପିଏନଜି ସଂଯୋଗ ପ୍ରାଧାନ୍ୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ସିଂ ଏଜେନ୍ସିଗୁଡ଼ିକୁ ଡିଏସି(ଡେଲିଭରି ଅଥେଣ୍ଟିକେସନ କୋଡ) ବ୍ୟବସ୍ଥାକୁ ଶତପ୍ରତିଶତ କଡ଼ାକଡ଼ି କରିବା ଏବଂ ବାୟୋମେଟ୍ରିକ ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଦ୍ୱାରା କି ଗ୍ରାହକମାନେ “ଘୋଷ୍ଟ ଡେଲିଭରି” (ମିଥ୍ୟା ମେସେଜ୍)ର ଶିକାର ହେବେନି । ସେହିପରି ପାଇପ ଲାଇନ ଯୋଗେ ସହରର ବିଭିନ୍ନ ଗୃହ, ଶିଳ୍ପାଞ୍ଚଳ ଓ ପ୍ରତିଷ୍ଠାନକୁ ବାଣିଜ୍ୟିକ ସିଟି ଗ୍ୟାସ୍ ବିତରଣ ବ୍ୟବସ୍ଥା ସୁଦୃଢ଼ କରିବାକୁ ସେ ବୈଠକରେ କହିଥିଲେ । ଜନସାଧାରଣ ଆଦୌ ଭୟଭୀତ ହେବାର ଆବଶ୍ୟକତା ନାହିଁ । ସରକାର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଜରିଆରେ ସ୍ଥିତି ଉପରେ ନଜର ରଖିଥିବା ସେ ସୂଚନା ଦେଇଛନ୍ତି ।
ତୈଳ ଓ ଗ୍ୟାସ୍ କମ୍ପାନୀ ଅଧିକାରୀମାନେ ଜଣାଇଥିଲେ ଯେ ସେମାନେ ପ୍ରତିଦିନର ତଥ୍ୟ ଉପସ୍ଥାପନ କରୁଛନ୍ତି । କେତେ ଗ୍ୟାସ୍ ମହଜୁଦ ଅଛି ସେ ବିଷୟରେ ଯୋଗାଣ ବିଭାଗକୁ ତଥ୍ୟ ଦେଉଛନ୍ତି । ପାଞ୍ଚ ଦିନର ଗ୍ୟାସ୍ ଷ୍ଟକ ରହୁଛି । ବିଦ୍ୟାଳୟ, ଅଙ୍ଗନୱାଡି, ଆହାରକେନ୍ଦ୍ର ଓ ଡାକ୍ତରଖାନା ପରି ସରକାରୀ ଅନୁଷ୍ଠାନଗୁଡିକୁ ଅଗ୍ରାଧିକାର ଭିତ୍ତିରେ ଗ୍ୟାସ୍ ଯୋଗାଇ ଦିଆଯାଉଛି ।