୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ

ଭୁବନେଶ୍ୱର : ଓଡ଼ିଶାର ୩୦ଟି ଜିଲ୍ଲାରେ ନିର୍ମିତ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର (AWC) ଆଜି ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ଉଦ୍‌ଘାଟିତ ହୋଇଯାଇଛି । ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି କେନ୍ଦ୍ରଗୁଡ଼ିକୁ ଉଦ୍‌ଘାଟନ କରିଥିବାବେଳେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ଉପ-ମୁଖ୍ୟମନ୍ତ୍ରୀ ସରକାରଙ୍କ ଆଭିମୁଖ୍ୟକୁ ଦୋହରାଇ କହିଥିଲେ ଯେ, “ସୁନ୍ଦର, ସକ୍ଷମ ଓ ସୁଦୃଢ଼ ଅଙ୍ଗନବାଡ଼ି” ଗଠନ ହିଁ ଆମର ମୂଳ ଲକ୍ଷ୍ୟ । ସେ ବାଲେଶ୍ୱର, ଗଞ୍ଜାମ, କଟକ, ଅନୁଗୋଳ ଏବଂ ଦେବଗଡ଼ ଭଳି ବିଭିନ୍ନ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।

ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରୟାସକୁ ପ୍ରଶଂସା କରିବା ସହ କହିଥିଲେ ଯେ, ଆଜିର ଏହି ଶିଶୁମାନେ ହିଁ ୨୦୩୬ ମସିହା ସୁଦ୍ଧା ଏକ ବିକଶିତ ଓଡ଼ିଶା ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

ସୂଚନାଯୋଗ୍ୟ ଯେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗର ମିଳିତ ସହଯୋଗରେ ଏହି ପ୍ରକଳ୍ପ ସଫଳ ହୋଇପାରିଛି । ଏହି ନୂତନ କେନ୍ଦ୍ରଗୁଡ଼ିକ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତି ମା’ମାନଙ୍କ ପାଇଁ ପୁଷ୍ଟିସାଧନ, ପ୍ରାରମ୍ଭିକ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତାର ଏକ ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରିବ ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ଼ଃ ମୃଣାଳିନୀ ଦର୍ସ୍ୱାଲ ଏବଂ ଉଭୟ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ୩୦ଟି ଜିଲ୍ଲାର ଜିଲ୍ଲାପାଳ , ମୁଖ୍ୟ ଉନ୍ନୟନ ଅଧିକାରୀ, ଡି. ଏସ .ଡବ୍ଲୁ (DSWs), ସି .ଡି .ପି .ଓ (CDPOs). ତଥା ଅନ୍ୟାନ୍ୟ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।