ଜୟଦେବ ଭବନରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର : ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ତଥା ଓଡ଼ିଆ ସ୍ୱାଭିମାନର ପ୍ରତୀକ ମହାନ ଜନନାୟକ ବିଜୁ ପଟ୍ଟନାୟକ ଜଣେ କିମ୍ବଦନ୍ତୀ ପୁରୁଷ ଥିଲେ । ସେ ନିଜର ଦୁଃସାହସିକତା, ନିର୍ଭୀକତା, ସେବାଭାବ ଓ ତ୍ୟାଗମୟ ଜୀବନ ମାଧ୍ୟମରେ ଓଡ଼ିଆ ଜାତିର ଗୌରବକୁ ସୁଦୃଢ଼ କରିଥିଲେ । ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ଅବସରରେ ଆଜି ସାରା ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ବିଜୁବାବୁଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ, ଦୁଃସାହସିକ ବୈମାନିକ, ଲୋକପ୍ରିୟ ରାଜନୀତିଜ୍ଞ ଓ ସମାଜସେବକ ଭାବେ ତାଙ୍କର ଅସାଧାରଣ ଅବଦାନ ସଦା ସ୍ମରଣୀୟ ରହିବ ବୋଲି ଏହି ଅବସରରେ ବକ୍ତାମାନେ ମତ ପ୍ରକାଶ କରିଥିଲେ ।
ଏହି କ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନ, ଭୁବନେଶ୍ୱରରେ ଆୟୋଜିତ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ଅବସରରେ ସାନ୍ଧ୍ୟ ସମାରୋହ ପାଳିତ ହୋଇଥିଲା । ଏହି ଅବସରରେ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନୁଜ କୁମାର ଦାସପଟ୍ଟନାୟକ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀଯୁକ୍ତ ଗୁରବୀର ସିଂହ, ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ବିତ୍ତ ପରାମର୍ଶଦାତା ଶ୍ରୀ ପୃଥ୍ୱୀରାଜ ପାଣି ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା ।
ପରେପରେ ଭଜନ ସମାରୋହ ଆୟୋଜିତ ହୋଇଥିଲା ଏବଂ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରଭ ନାୟକଙ୍କ ସହ ଗାୟିକା ଯଶସ୍ୱିନୀ ନାୟକ ଓ ଗୋପାଳଙ୍କ ଦ୍ୱାରା ଭକ୍ତି ସଂଗୀତ ପରିବେଷଣ କରାଯାଇଥିଲା । ସଙ୍ଗୀତରେ ତବଲାରେ ରାକେଶ, ଢୋଲକରେ ସାଗର, ଅକ୍ଟୋପ୍ୟାଡରେ ଅଭିଲାଶ ଏବଂ କିବୋର୍ଡରେ ବସନ ମିଶ୍ର ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ବିନୋଦ ଓ ସୁନୀତାଙ୍କ ଦ୍ୱାରା କରାଯାଇଥିଲା । ଏହି ସମଗ୍ର ପରିବେଷଣ ଉପସ୍ଥିତ ଦର୍ଶକମାନଙ୍କୁ ଭାବବିହ୍ୱଳ କରିଥିଲା ।
ସାନ୍ଧ୍ୟ ସମାରୋହରେ ବିଭିନ୍ନ ସ୍ତରର ବିଶିଷ୍ଟ ବ୍ୟକ୍ତିବର୍ଗ, ସାମାଜିକ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ବରପୁତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।