ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଶକ୍ତିଶ୍ରୀ’ ଆପ୍‌ ଲୋକାର୍ପିତ

ଆମ ପିଲାମାନେ ‘Industry-Ready’ ହେବେ, ବିଶ୍ୱସ୍ତରରେ ପ୍ରତିଯୋଗିତା କରିବେ

ଭୁବନେଶ୍ୱର : ଜାତୀୟ ଶିକ୍ଷା ନୀତି (NEP-2020) ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ ଭାବେ ଗଢ଼ିତୋଳିବାକୁ ଏକ ଦୂରଦର୍ଶୀ ରୋଡ୍‌ମ୍ୟାପ୍ ଉପସ୍ଥାପନ କରିଛନ୍ତି ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବହୁ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ଥିବା ଜଡ଼ତାକୁ ଦୂର କରିବା ଆମ ସରକାରଙ୍କ ପ୍ରାଥମିକତା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ପ୍ରଣୀତ ଏହି ଶିକ୍ଷା ନୀତି କେବଳ ଏକ ସରକାରୀ ଦସ୍ତାବିଜ୍ ନୁହେଁ, ବରଂ ଏହା ଭାରତକୁ ବିଶ୍ୱର ‘ନଲେଜ୍ କ୍ୟାପିଟାଲ୍’ ଭାବେ ପ୍ରତିଷ୍ଠିତ କରିବାର ଏକ ମହତ୍ ମିଶନ । ଶିକ୍ଷା କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବରଂ ଏହା ମାନବ ସଭ୍ୟତାର ପ୍ରଗତିର ମୂଳଦୁଆ । ଆମ ପିଲାମାନେ ଯେପରି ‘Industry-Ready’ ହେବେ ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତା କରିପାରିବେ, ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶିକ୍ଷାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଭାବେ ଦର୍ଶାଇ ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଶିକ୍ଷା କ୍ଷେତ୍ର ପାଇଁ ୪୧,୨୭୩ କୋଟି ଟଙ୍କାର ଏକ ବିଶାଳ ପାଣ୍ଠି ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ମତରେ, ଏହି ପୁଞ୍ଜି ବିନିଯୋଗ ଓଡ଼ିଶାର ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ମଜବୁତ ମୂଳଦୁଆ ସଦୃଶ ହେବ । ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ଶୈକ୍ଷିକ ପାର୍ଥକ୍ୟକୁ ଦୂର କରିବା ପାଇଁ ସରକାର ‘ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ ୧୨,୦୦୦ କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ରାଜ୍ୟର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଏହି ବିଦ୍ୟାଳୟଗୁଡ଼ିକରେ ସହରାଞ୍ଚଳ ଭଳି ଉନ୍ନତ ଶ୍ରେଣୀଗୃହ, ବିଜ୍ଞାନାଗାର ଓ ଉନ୍ନତ କ୍ରୀଡ଼ା ସୁବିଧା ଉପଲବ୍ଧ ହେବ, ଯାହା ଗାଁର ମେଧାବୀ ଛାତ୍ରଛାତ୍ରୀଙ୍କୁ ନିଜ ଅଞ୍ଚଳରେ ହିଁ ଗୁଣାତ୍ମକ ଶିକ୍ଷା ପାଇବାରେ ସହାୟକ ହେବ । ସରକାରଙ୍କର ଏହି ପଦକ୍ଷେପ ଗ୍ରାମାଞ୍ଚଳ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।

ସାମାଜିକ ନ୍ୟାୟ ଏବଂ ସମାନତାକୁ ଗୁରୁତ୍ୱ ଦେଇ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଉଚ୍ଚଶିକ୍ଷା ନିମନ୍ତେ SEBC ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି । ଏହା ବ୍ୟତୀତ ଅନୁସୂଚିତ ଜନଜାତି (ST) ବର୍ଗର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଛାଡ଼ିବା ହାର ବା ‘ଡ୍ରପ୍-ଆଉଟ୍’ ରୋକିବା ପାଇଁ ‘ଶହୀଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା’ ମାଧ୍ୟମରେ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ସାମାଜିକ ସଂସ୍କାର ମୂଳକ ପଦକ୍ଷେପ ସମାଜର ଶେଷ ଧାଡ଼ିରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଅନ୍ୟପଟେ, ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ଏବଂ ମାତୃଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅଭିନବ ପ୍ରୟାସ କରିଛନ୍ତି । ବୈଷୟିକ ଏବଂ ଉଚ୍ଚଶିକ୍ଷା ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଚଳନ କରିବା ପାଇଁ ରାଜ୍ୟ ସରକାର ଇଗ୍ନୋ (IGNOU) ସହ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ଏହାଦ୍ୱାରା ଭାଷାଗତ ପ୍ରତିବନ୍ଧକ ଦୂର ହେବା ସହ ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାରେ ଜଟିଳ ବିଷୟଗୁଡ଼ିକୁ ସହଜରେ ବୁଝିପାରିବେ । ଏହି ସମସ୍ତ ପଦକ୍ଷେପ ଓଡ଼ିଶାକୁ ଆଗାମୀ ଦିନରେ ଦେଶର ଶ୍ରେଷ୍ଠ ‘ଜ୍ଞାନ ଭିତ୍ତିକ ସମାଜ’ ଭାବେ ଗଢ଼ିତୋଳିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ଉଚ୍ଚ ପ୍ରଶଂସା କରି କହିଛନ୍ତି ଯେ, ସମଗ୍ର ଭାରତ ବର୍ଷରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ସଂସ୍କୃତି ଓ ଶିକ୍ଷାର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ । ଆଦିକବି ସାରଳା ଦାସ, ବ୍ୟାସକବି ଫକୀରମୋହନ ଓ ସନ୍ଥକବି ଭୀମ ଭୋଇଙ୍କ ଭଳି ମହାପୁରୁଷଙ୍କ ଦର୍ଶନ ଓଡ଼ିଶାକୁ ଏକ ସଭ୍ୟ ସମାଜ ଭାବେ ବିଶ୍ୱ ଦରବାରରେ ପରିଚିତ କରିଛି ।

ସେ ଆହୁରି କହିଛନ୍ତି ଯେ, ଓଡ଼ିଶାର ପ୍ରାୟ ୭୦ ପ୍ରତିଶତ ଜନସଂଖ୍ୟା ୪୪ ବର୍ଷ ବୟସ ମଧ୍ୟରେ, ଯାହା ନବସୃଜନ (Innovation) ପାଇଁ ଏକ ବିରାଟ ସୁଯୋଗ । ଶିକ୍ଷା ଏବେ କେବଳ ଡିଗ୍ରୀ ମଧ୍ୟରେ ସୀମିତ ନାହିଁ, ବରଂ ଏହା ଦକ୍ଷତା ବୃଦ୍ଧି (Capability building) ର ମାଧ୍ୟମ ପାଲଟିଛି । ଓଡ଼ିଶାର ବର୍ତ୍ତମାନର GER (Gross Enrolment Ratio) ୨୩ ପ୍ରତିଶତ ଥିବାବେଳେ, ୨୦୩୬ ସୁଦ୍ଧା ଏହାକୁ ଜାତୀୟ ହାର (୨୯%) ଠାରୁ ଅଧିକ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନେଇ ଏକ ନୂତନ ଦିଗଦର୍ଶନ ପ୍ରଦାନ କରିଛନ୍ତି । ଏହି କର୍ମଶାଳା କେବଳ ଏକ ଆଲୋଚନା ଚକ୍ର ନୁହେଁ, ବରଂ ଏହା ବିକଶିତ ଓଡ଼ିଶା ଗଠନ ପାଇଁ ଏକ ‘ଚିନ୍ତନ ଶିବିର’ ବୋଲି ସେ ମତ ପ୍ରକାଶ କରିଛନ୍ତି । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଶିକ୍ଷା କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାର PM-USHA ଯୋଜନା ମାଧ୍ୟମରେ ୭୦୦ କୋଟିରୁ ଅଧିକ ଅନୁଦାନ ପାଇବାରେ ସଫଳ ହୋଇଛନ୍ତି । ଶିକ୍ଷାର ମାନକୁ ସୁଧାରିବା ପାଇଁ ରାଜ୍ୟ ସରକାର ୧୪ଟି ବିଶ୍ୱବିଦ୍ୟାଳୟରେ ନୂତନ କୂଳପତି ନିଯୁକ୍ତ କରିଛନ୍ତି ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବପିଢ଼ି ଓ ଛାତ୍ରୀମାନଙ୍କ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଇଣ୍ଟର୍ନସିପ୍ ନିର୍ଦ୍ଦେଶିକା ପୁସ୍ତକ ଉନ୍ମୋଚନ କରିବା ସହ ‘ଶକ୍ତିଶ୍ରୀ’ (ShaktiShree) ମୋବାଇଲ୍ ଆପ୍‌ର ଉଦ୍‌ଘାଟନ କରିଛନ୍ତି ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ଏହି କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପରିଶେଷରେ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ କାଳୀ ପ୍ରସନ୍ନ ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷାବିତ, କୁଳପତି ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ ।