କିଶୋର ବାବୁଙ୍କ ସରଳତା ଥିଲା ତାଙ୍କ ବଡ଼ ପରିଚୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରଜରାଜନଗର ଠାରେ ବିଧାନସଭାର ପୂର୍ବତନ ବାଚସ୍ପତି ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କିଶୋର ବାବୁଙ୍କ ସରଳତା ତାଙ୍କର ବଡ ପରିଚୟ ଥିଲା । ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ତୃଣମୂଳ ସ୍ତରରୁ ରାଜନୀତି ଆରମ୍ଭ କରି ସେ ସରକାରୀ ମୁଖ୍ୟ ସଚେତକ, ସାଂସଦ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ରାଜ୍ୟ ବିଧାନ ସଭାର ବାଚସ୍ପତି ମଧ୍ୟ ହୋଇଥିଲେ । ବିଜୁ ଜନତା ଦଳର ସେ ଜଣେ ଦକ୍ଷ ସଂଗଠକ ଓ ନେତା ଥିଲେ । ଦଳକୁ ମଜବୁତ କରିବାରେ ତାଙ୍କର ବହୁତ ଅବଦାନ ଥିଲା । ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ ଦାସ ଯୋଗ ଦେଇ କହିଲେ ଯେ ସ୍ବର୍ଗତ କିଶୋର ବାବୁଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଥିଲା । ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ସେ ଅନେକ ଉନ୍ନୟନମୂଳକ କାମ କରିଯାଇଛନ୍ତି । ବିଧାୟକ ତଥା ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଶ୍ରୀମତୀ ଅଳକା ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରି କହିଲେ ଯେ ସ୍ବର୍ଗତ କିଶୋର ମହାନ୍ତି ବ୍ରଜରାଜନଗର ତଥା ସମଗ୍ର ପଶ୍ଚିମ ଓଡିଶାର ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ଅମର ହୋଇ ରହିବେ । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *