ସମସ୍ତ ବିଧାୟକଙ୍କୁ ଚିଠି ଲେଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର : ରାଜ୍ୟରେ ମହିଳା ଓ ଶିଶୁ ବିକାଶ ଧାରାକୁ ଅଧିକ ବ୍ୟାପକ କରିବା ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ବିଧାୟକମାନଙ୍କୁ ପତ୍ର ଲେଖିଛନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବରେ ସେ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣ ଓ ଏହାର ବିକାଶ ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ସମସ୍ତ ଜନପ୍ରତିନିଧିଙ୍କୁ ଆହ୍ୱାନ କରିଛନ୍ତି ।

ବିଶେଷ କରି ନିଜ ନିଜର ନିର୍ବାଚନମଣ୍ଡଳୀରେ ଚାଲୁଥିବା କାର୍ଯ୍ୟରେ ମହିଳାମାନଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ଉପରେ ସେ ଏହି ଚିଠିରେ ଗୁରୁତ୍ୱାରୋପ କରିଛନ୍ତି ।

ଶ୍ରୀମତୀ ପରିଡ଼ା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶ ଓ ନିର୍ମାଣ କାର୍ଯ୍ୟ ଯେପରି ସମୟାନୁବର୍ତ୍ତୀ ଏବଂ ଗୁଣାତ୍ମକ ଭାବେ ସମାପ୍ତ ହୁଏ, ସେଥିପାଇଁ ବିଧାୟକମାନେ ନିଜ ନିଜ ସ୍ତରରେ ତଦାରଖ କରିବା ଆବଶ୍ୟକ ।

ସୂଚନାଯୋଗ୍ୟଯେ, ଆର୍ଥିକ ବର୍ଷ ୨୦୨୪-୨୫ ଏବଂ ୨୦୨୫-୨୬ ମଧ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର (AWC) ଭିତ୍ତିଭୂମି ସୁଦୃଢ଼ୀକରଣ ପଦକ୍ଷେପ ଅଧୀନରେ ସମୁଦାୟ ୩,୨୯୩ଟି ନୂତନ ଅଙ୍ଗନବାଡ଼ି ଗୃହ ଉଦ୍‌ଘାଟିତ ହୋଇ ହସ୍ତାନ୍ତର ହୋଇଥିବା ବେଳେ ICDS ଯୋଜନା ଅଧୀନରେ ଓଡ଼ିଶାର ୧୨,୧୪୦ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ସକ୍ଷମ ଅଙ୍ଗନବାଡ଼ିରେ ରୂପାନ୍ତରିତ କରାଯାଇଛି ।