ଅପରାଧ ଓ ଅପରାଧୀଙ୍କ ବିରୋଧରେ ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍, ୧୮ ଦିନରେ ପୋଲିସକୁ ବ୍ୟାପକ ସଫଳତା : ୫୭୦୩ ଜଣଙ୍କ ବିରୋଧରେ NBW କାର୍ଯ୍ୟକାରୀ,୫୨୦ ଅଭିଯୁକ୍ତ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଓ ଅସ୍ତ୍ରଶସ୍ତ୍ର ଜବତ
ଭୁବନେଶ୍ୱର : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ମେ ୧୨ ତାରିଖରୁ ରାଜ୍ୟର ସମସ୍ତ ପୋଲିସ ରେଞ୍ଜ୍ ଅନ୍ତର୍ଗତ ଜିଲ୍ଲା ଏସପି ଏବଂ ପୋଲିସ କମିଶନର, ଭୁବନେଶ୍ଵର-କଟକଙ୍କ ନେତୃତ୍ଵରେ “ସ୍ପେଶାଲ ଡ୍ରାଇଭ୍” ଅଭିଯାନ ଜାରି ରହିଛି । ବିଗତ ୧୮ ଦିନ ମଧ୍ୟରେ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା, ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା, ନିଶା ଦ୍ରବ୍ୟ (ଗଞ୍ଜେଇ ଓ ବ୍ରାଉନସୁଗାର) ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ବେଆଇନ ଖଣିଜ ଚୋରା ଚାଲାଣରେ ସମ୍ପୃକ୍ତ ଯାନବାହନ ଜବତ କରିବା ସହ ମଦ୍ୟପାନ କରି ଗାଡି ଚାଳନା ଉପରେ କଠୋର ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସ୍ପେଶାଲ ଅପରେସନରେ ସମସ୍ତ ରେଞ୍ଜ ପୋଲିସ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଅଭିଯାନ ସାରା ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ ହୋଇଯାଇଛି ।
ଏହି ୧୮ ଦିନ ମଧ୍ୟରେ ସାରା ରାଜ୍ୟରେ ୫୭୦୩ ଜଣ ବ୍ୟକ୍ତିଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି । ଫେରାର ଥିବା ୫୨୦ ଜଣ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରାଯାଇଥିବା ବେଳେ ୯୫୭ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ୧୨୯ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ୍) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାସହ ୧୨୬ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁଯାୟୀ ୨୬୨୦ ଜଣଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଇଛି ।
ବେଆଇନ ନିଶା କାରବାର ରୋକିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ୯୭ ଟି ଏନଡିପିଏସ୍ ମାମଲା ରୁଜୁ ହୋଇଥିବାବେଳେ ୧୩୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୭୩୯୮ କେଜି ଗଞ୍ଜେଇ, ୫୮୬ ଗ୍ରାମ ବ୍ରାଉନ୍ ସୁଗର, ୨୨୦ ଗ୍ରାମ ହେରୋଇନ ଏବଂ କଫ ସିରଫ ୨୧୯ ଲିଟର ସହିତ ୧୦୫୦ ବୋତଲ କଫ ସିରଫ ଜବତ କରାଯାଇଛି । ନିଶା କାରବାରରେ ବ୍ୟବହୃତ ୨୭ ଟି ଗାଡ଼ି, ୧୪ ଟି ମୋବାଇଲ୍ ଫୋନ୍, ୩ଟି ପିସ୍ତଲ ସହ ନଗଦ ୨ ଲକ୍ଷ ୯୨ ହଜାର ୮୮ ଟଙ୍କା ମଧ୍ୟ ଜବତ କରାଯାଇଛି। ଏହାସହ ୨୧୫୪ ଟି ଅବକାରୀ ମାମଲା ରୁଜୁ ହୋଇଛି ।
ଏହାସହ ସଡ଼କ ସୁରକ୍ଷା ଓ ମୋଟର ଯାନ ଏନଫୋର୍ସମେଣ୍ଟକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ୩୨୯୩ ଜଣ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଗାଡ଼ିଗୁଡ଼ିକୁ ଜବତ କରାଯାଇଛି । ଅନ୍ୟାନ୍ୟ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ମାମଲାରେ ମୋଟ ୬ କୋଟି ୪୬ ଲକ୍ଷ ୭ ହଜାର ୫୬୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।
ଗୋ-ଚାଲାଣ ରୋକିବାକୁ ପୁଲିସ ୨୯ ଟି ମାମଲା ରୁଜୁ କରିଥିବାବେଳେ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ୧୭ ଟି ଗାଡ଼ିରୁ ୨୮୪ ଟି ଗାଈଙ୍କୁ ଉଦ୍ଧାର କରାଯାଇଛି ।
ଚୋରା ଖଣି କାରବାର ବିରୋଧରେ ମଧ୍ୟ ପୁଲିସ କଡ଼ା ପଦକ୍ଷେପ ନେଇ ୬୫୪ ଟି ମାମଲା ୧୬୨ ଜଣଙ୍କୁ ଗିରଫ କରିଛି । ଗତ ୧୮ ଦିନ ମଧ୍ୟରେ ୮୭୮ ଟି ହାଇୱା, ଟ୍ରକ୍, ଟ୍ରାକ୍ଟର, ଟ୍ରିପର, ପାୱାର ଟିଲର ଓ ଜେସିବି ଜବତ କରାଯାଇଛି । ବେଆଇନ ଅସ୍ତ୍ର କାରବାର ରୋକିବାକୁ ୩୧ ଟି ମାମଲା ରୁଜୁ କରାଯାଇଥିବାବେଳେ ୩୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୩୯ ଟି ବନ୍ଧୁକ, ୨୯ଟି ଜୀବନ୍ତ ଗୁଳି ଜବତ କରାଯାଇଛି ।
ୱାରେଣ୍ଟ କାର୍ଯ୍ୟକାରୀ କରିବାରେ କେନ୍ଦ୍ରାଞ୍ଚଳ ରେଞ୍ଜ, କଟକ ସର୍ବାଗ୍ରେ ରହିଛି । ଏହି ରେଞ୍ଜରେ ୧୮ ଦିନ ମଧ୍ୟରେ ୧୫୧୯ଟି ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି । ଦକ୍ଷିଣାଞ୍ଚଳ ରେଞ୍ଜ, ବ୍ରହ୍ମପୁରରେ ୮୪୯ , ପଶ୍ଚିମାଞ୍ଚଳ ରେଞ୍ଜ, ରାଉରକେଲାରେ ୩୨୯ , ପୂର୍ବାଞ୍ଚଳ ରେଞ୍ଜ, ବାଲେଶ୍ଵରରେ ୭୪୫ ଟି, ଉତ୍ତର-କେନ୍ଦ୍ରାଞ୍ଚଳ ରେଞ୍ଜ, ତାଳଚେରରେ ୬୮୩ଟି, ଉତ୍ତରାଞ୍ଚଳ ରେଞ୍ଜ, ସମ୍ବଲପୁରରେ ୪୪୩ , ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ, କୋରାପୁଟରେ ୫୫୩ ଟି ଏବଂ କମିଶନରେଟ୍ ପୁଲିସ ଅଞ୍ଚଳରେ ୫୮୨ ଟି ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି ।
ନିଶା ବିରୋଧୀ ଅଭିଯାନରେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ, କୋରାପୁଟ ସର୍ବାଧିକ ୩୧୭୧ କେଜି ଗଞ୍ଜେଇ ଜବତ କରିଛି । ଦକ୍ଷିଣାଞ୍ଚଳ ରେଞ୍ଜରୁ ୨୮୬୨ କେଜି, କେନ୍ଦ୍ରାଞ୍ଚଳ ରେଞ୍ଜରୁ ୩୮୪ କେଜି, ଉତ୍ତରାଞ୍ଚଳ ରେଞ୍ଜରୁ ୯୬୩ କେଜି ଏବଂ ପଶ୍ଚିମାଞ୍ଚଳ ରେଞ୍ଜରୁ ୧୫୧ କେଜି ଗଞ୍ଜେଇ ଜବତ ହୋଇଛି ।
ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ପଶ୍ଚିମାଞ୍ଚଳ ରେଞ୍ଜ ରାଉରକେଲା ସର୍ବାଧିକ ୧ କୋଟି ୭୮ ଲକ୍ଷ ୯୪ ହଜାର ୪୬୦ ଟଙ୍କା ଜରିମାନା ଆଦାୟ କରିଛି । କେନ୍ଦ୍ରାଞ୍ଚଳ ରେଞ୍ଜ କଟକରୁ ୧ କୋଟି ୪୧ ଲକ୍ଷ ୫୦ ହଜାର ୯୦୦ ଟଙ୍କା, ପୂର୍ବାଞ୍ଚଳ ରେଞ୍ଜ ବାଲେଶ୍ଵରରୁ ୯୨ ଲକ୍ଷ ୩୭ ହଜାର ଟଙ୍କା , ଉତ୍ତରାଞ୍ଚଳ ରେଞ୍ଜ ସମ୍ବଲପୁରରୁ ୭୪ ଲକ୍ଷ ୮୭ ହଜାର ୯୦୦ଟଙ୍କା, ଉତ୍ତର-କେନ୍ଦ୍ରାଞ୍ଚଳ ରେଞ୍ଜ ତାଳଚେରରୁ ୬୯ ଲକ୍ଷ ୬୩ ହଜାର ଟଙ୍କା, ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ କୋରାପୁଟରୁ ୫୧ ଲକ୍ଷ ୫୪ ହଜାର ଟଙ୍କା, ଦକ୍ଷିଣାଞ୍ଚଳ ରେଞ୍ଜ ବ୍ରହ୍ମପୁରରୁ ୩୪ ଲକ୍ଷ ୬୦ ହଜାର ୩୦୦ ଟଙ୍କା ଜରିମାନା ଆଦାୟ ହୋଇଛି ।
ଖଣି ମାଫିଆଙ୍କ ବିରୋଧରେ କେନ୍ଦ୍ରାଞ୍ଚଳ ରେଞ୍ଜ କଟକରେ ୧୬୫ ଟି ମାମଲା ରୁଜୁ କରାଯାଇ ୪୨ ଜଣଙ୍କୁ ଗିରଫ ଏବଂ ପୂର୍ବାଞ୍ଚଳ ରେଞ୍ଜ ବାଲେଶ୍ଵରରେ ୧୦୫ଟି ମାମଲା ରୁଜୁ କରାଯାଇ ୩୧ ଜଣଙ୍କୁ ଗିରଫ କରିଥିବା ବେଳେ ଉତ୍ତର-କେନ୍ଦ୍ରାଞ୍ଚଳ ରେଞ୍ଜ, ତାଳଚେରରେ ୮୫ ଟି ମାମଲା ରୁଜୁ କରାଯାଇ ୨୨ ଜଣଙ୍କୁ ଗିରଫ କରାଯାଇଛି । ପଶ୍ଚିମାଞ୍ଚଳ ରେଞ୍ଜ, ରାଉରକେଲା ପୋଲିସ ୯୩ ଟି ମାମଲା ରୁଜୁ କରିଥିବା ବେଳେ ୭୭ ଜଣ ନାମରେ ନୋଟିସ ଜାରି କରିଛି । ସେହିପରି ଦକ୍ଷିଣାଞ୍ଚଳ ରେଞ୍ଜ ପୋଲିସ ୨୦ ଟି ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିଥିବାବେଳେ ଉତ୍ତରାଞ୍ଚଳ ରେଞ୍ଜ ପୋଲିସ ୯ ଟି ପିସ୍ତଲ ଓ ୨୯ ଟି ଜୀବନ୍ତ ଗୁଳି ଜବତ କରିଛି। ଉତ୍ତର-କେନ୍ଦ୍ରାଞ୍ଚଳ ରେ ପୋଲିସ ମଧ୍ୟ ୫ ଟି ଦେଶୀ ବନ୍ଧୁକ ଓ ଗୋଟିଏ ପିସ୍ତଲ ଜବତ କରିଛି ।
ସାଧାରଣ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେବାକୁ ଓଡିଶା ପୋଲିସ ସଦାସର୍ବଦା ପ୍ରତିଶୃତିବଦ୍ଧ । ଆଗାମୀ ଦିନରେ ମଧ୍ୟ ଅପରାଧ ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ ଏହିପରି ସ୍ପେଶାଲ ଏନଫୋର୍ସମେଣ୍ଟ ଅଭିଯାନ ଜାରି ରହିବ ଏବଂ ବେଆଇନ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି ।