୬ ମାସର ଶିଶୁର ମା’ ମଧ୍ୟ ବିଜେଡ଼ି-ବିଜେପି ସରକାରର ଗୁଳିରୁ ରକ୍ଷା ପାଇନଥିଲା : ଆଦିବାସୀ ଗଣହତ୍ୟାର ୧୫ତମ ବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି

ଜିଲ୍ଲା ମହକୁମାରେ ଏହି କାର୍ଯ୍ୟକ୍ରମ କରାଯିବ

Share this:

ଭୁବନେଶ୍ୱର : ଓଡ଼ିଶାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବା ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ସଂଘଟିତ ବର୍ବୋରଚିତ ଆଦିବାସୀ ଗଣହତ୍ୟାର ୧୫ତମ ବାର୍ଷିକୀ, ଜାନୁଆରୀ ୨ତାରିଖ, ଶନିବାର ଦିନ ରାଜ୍ୟବ୍ୟାପୀ ପ୍ରତ୍ୟେକ ବ୍ଲକ ଓ ମ୍ୟୁନିସିପାଲିଟି ସ୍ତରରେ ପାଳନ ପାଇଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଠିକ୍ ୧୫ବର୍ଷ ତଳେ ୨୦୦୬ର ନୂଆ ବର୍ଷର ଦ୍ବିତୀୟ ଦିନରେ ଉଭୟ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ଭାଗୁଆଳି ସରକାର ନିରୀହ ଆଦିବାସୀମାନଙ୍କ ଉପରେ ଗୁଳିଚଳାଇଥିଲା ଓ ଏଥିରେ ୧୬ଜଣ ଆଦିବାସୀ ଭାଇ ଓ ଭଉଣୀ ମୃତ୍ୟୁବରଣ କରିଥିଲେ । ୬ ମାସର ଅବୋଧ ଶିଶୁର ମା’ ମଧ୍ୟ ବିଜେଡ଼ି-ବିଜେପି ସରକାରର ଗୁଳିରୁ ରକ୍ଷା ପାଇନଥିଲା । ଗୋଟିଏପଟେ କଂଗ୍ରେସ -ନେତୃତ୍ବାଧୀନ ୟୁ.ପି.ଏ. ସରକାର ଆଦିବାସୀଙ୍କ ଭିଟାମାଟି ଓ ଜମିର ସୁରକ୍ଷା ପାଇଁ ଐତିହାସିକ ଜଙ୍ଗଲ ଅଧକାର ଆଇନ୍ ଓ ଜମି ଅଧିଗ୍ରହଣ ଆଇନ୍ ଲାଗୁକରିଥିଲା । ଅପରପଟେ ବିଜେଡ଼ି ଓ ବିଜେପିର ଭାଗୁଆଳୀ ସରକାର ଆଦିବାସୀମାନଙ୍କର ଜମି ଛଡ଼େଇନେଲା ଓ ଆଜିର ଦିନରେ ସେହି ଘଟଣାର ପୁନରାବୃତ୍ତି କରି ଚାଷୀ ମାରଣ ଯଜ୍ଞ ଚଳାଇଛି । ଆଦିବାସୀଙ୍କର ସମ୍ମାନ, ସ୍ଵାଭିମାନ ଓ ସ୍ୱାର୍ଥ ପାଇଁ କଂଗ୍ରେସ ଦଳ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ । ଗୁଳିକାଣ୍ଡ ଓ ଆଦିବାସୀ ଗଣହତ୍ୟାର ୧୫ ବର୍ଷ ପାଳନ ଅବସରରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ କର୍ମୀମାନେ ସକାଳ ୧୧ ଘଟିକାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଧାରଣାରେ ବସିବେ । ଜିଲ୍ଲା ମହକୁମାରେ ମଧ୍ୟ ଏହି କାର୍ଯ୍ୟକ୍ରମ କରାଯିବ । ସମଗ୍ର ରାଜ୍ୟବାସୀ ଏଥିରେ ସାମିଲ୍ ହେବାକୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

RELATED BY