ବିଶ୍ୱାଳଙ୍କୁ ଦଳରେ ସାମିଲ କରି 40 ଲକ୍ଷ ଚିଟ ଫଣ୍ଡ ଜମାକାରୀଙ୍କ ପ୍ରତି ବିଜେପି ବିଶ୍ୱାସଘାତକତା କରିଛି
ଇତିହାସର ପୁନରାବୃତ୍ତି ହୁଏ ଏବଂ ଏହା ସେମାନେ ଜାଣିବା ଉଚିତ
ଭୁବନେଶ୍ୱର : ଆଜି କଂଗ୍ରେସ ଭାବନଠାରେ ଚିଟ ଫଣ୍ଡ ଦୁର୍ନୀତିର ଅଭିଯୁକ୍ତ ବିଜେଡି ନେତା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବିଜେପିରେ ଯୋଗଦାନ କରିବାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଲେ, ବିଜେପି ନାମ ପରିବର୍ତ୍ତନ ହୋଇ ଏହାର ନାମ ଭାରତୀୟ ୱାସିଂ ମେସିନ ପାର୍ଟି ବୋଲି ଲୋକେ କହିଲେଣି । ଯିଏ ଯେତେ ଦୁର୍ନୀତି କରିବ ବିଜେପି ତାହାକୁ ସେତେ ଆପଣାଇ ନେବ । ଏହି ଦଳର ଆଭିମୁଖ୍ୟ ହେଉଛି ଦୁର୍ନୀତିଗ୍ରସ୍ତ ଲୋକଙ୍କ ସାମ୍ବିଧାନିକ ପଦବୀ ପ୍ରଦାନ କରିବା ଓ ସେମାନଙ୍କ ମାଧ୍ୟମରେ ଭାରତର ଜାତୀୟ ସମ୍ପତ୍ତିକୁ ହରଣଚାଳ କରିବା ମୁଖ୍ୟ ଉଦ୍ଦେଶ୍ୟ । ଯେଉଁ ବିଜେପି ନେତାଗଣ ଦିନେ ସେମାନଙ୍କୁ ଦିନରାତି ଗାଳି ଗୁଲଜ କରୁଥିଲେ ଆଜି ସେମାନଙ୍କୁ ଫୁଲମାଳ ଦେଇ ସ୍ୱାଗତ କରୁଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି । ପିସିସି ମୁଖପାତ୍ର ରଜନୀ ମହାନ୍ତି କହିଲେ, ଗତକାଲି ଚିଟଫଣ୍ଡ ଅଭିଯୁକ୍ତ ପ୍ରଭାତ ବିଶ୍ୱାଳ ଯେମିତି ଭାବେ ବିଜେପିରେ ମିଶିଲେ ତାହା ଆମ ଗଣତନ୍ତ୍ର ଓ ବ୍ୟବସ୍ଥା ପ୍ରତି ଏକ ଉପହାସ ଥିଲା । ବିଶ୍ୱାଳଙ୍କୁ ସିବିଆଇ ସିସୋର ଚିଟ ଫଣ୍ଡ ମାମଲାରେ ସମସ୍ତ ପ୍ରମାଣ ସହ ତାଙ୍କୁ ଗିରଫ କରିଥିଲା ଓ ସେ ଜେଲରେ ଥିଲେ । ଚାର୍ଜସିଟି ଦାଖଲ ପରେ ମଧ୍ୟ କୋର୍ଟ ତାଙ୍କୁ ଜାମିନ ଦେଇନଥିଲା । ସ୍ୱାସ୍ଥ୍ୟର ଦ୍ରୁତ ଅବନତି ଯୋଗୁଁ ତାଙ୍କୁ ବେଲ ମିଳିଥିଲା । ବର୍ତ୍ତମାନର ଆଇନ ମନ୍ତ୍ରୀ ତାଙ୍କୁ ଚିଟଫଣ୍ଡ ଚୋର ଓ ମୁଖ୍ୟମନ୍ତ୍ରୀ ଓ ବିଜେପି ସଭାପତି ମନ ମୋହନ ସାମଲ ତାଙ୍କ ସରକାର ଆସିଲେ ଦୁର୍ନୀତିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମରେ କହିଥିଲେ । କିନ୍ତୁ ଏଵେ ଜଣା ପଡୁଛି ବିଜେପି ଦୁର୍ନୀତିଗ୍ରସ୍ତଙ୍କ ନିରାପଦସ୍ଥଳୀ ପାଲଟି ଯାଇଛି । ବିଶ୍ୱାଳଙ୍କ ବିଜେପିରେ ମିଶିବା 40 ଲକ୍ଷ ଚିଟ ଫଣ୍ଡ ଜମାକାରୀଙ୍କ ସହ ବିଶ୍ୱାସଘାତକତା ବୋଲି ଶ୍ରୀ ମହାନ୍ତି କହିଥିଲେ । ସମ୍ମିଳନୀରେ ଉପସ୍ଥିତ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି କହିଲେ, 1985 ରେ କଳାହାଣ୍ଡିରେ ଦୁଃଖ ପ୍ରକାଶ କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଥିଲେ, ଆମେ ସେଠାରୁ ଗୋଟିଏ ଟଙ୍କା ପଠାଇଲେ ଏଠାରେ 15 ପଇସା ପହଞ୍ଚୁଛି । ଜଣେ ବିଜେପି ନେତା ଥରେ କହିଥିଲେ, ପୈସା ଖୁଦା ତୋ ନହିଁ, ଖୁଦା କସମ, ଖୁଦା ସେ କମ ଭି ନହିଁ । ସେଇ ପ୍ରକାର ବିଚାରର ଦଳ ବିଜେପି ଟଙ୍କାର ରାଜନୀତି କରୁଛି । ପ୍ରଭାତ ବିଶ୍ୱାଳ କାଲି ବିଜେପିରେ ଯୋଗଦେଲେ ଗଣମାଧ୍ୟମରେ ନିୟୁଜ ଚାଲିଛି, କିନ୍ତୁ ଏହା ମୋ ପାଇଁ ଖବର ନୁହେଁ । ବିଜେପିରେ ତାଙ୍କ ପୁଅ ଯୋଗ ଦେଲେ ନାହିଁ ଏହା ମୋ ପାଇଁ ଖବର ଥିଲା । ରାଜନୀତିରେ ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ରହୁ । ବିଜେଡି ବିଧାୟକ ହୋଇ ସେ କେବଳ ଟଙ୍କା ପାଇଁ ବିଜେପି ସମର୍ଥିତ ରାଜ୍ୟସଭା ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । କିନ୍ତୁ ଇତିହାସର ପୁନରାବୃତ୍ତି ହୁଏ ଏହା ସେମାନେ ଜାଣିବା ଉଚିତ । ଅଢେଇ ଦଶନ୍ଧିର ରାଜତ୍ୱ ଶେଷ ହୋଇଗଲାଣି । ଏମାନଙ୍କ ସମୟ ସରି ଗଲାଣି ବୋଲି ଶ୍ରୀ ମହାନ୍ତି କହିଥିଲେ ।
