ଓଡ଼ିଶାରେ ବିଜେପି ସରକାର ଆସିବ : ଅମିତ ଶାହ

ଭୁବନେଶ୍ୱର: “ମୋଦି @୨୦-ଡ୍ରିମ୍ସ ମିଟ୍ ଡ଼େଲିଭରି” ପୁସ୍ତକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟ ଉପରେ ଯେତିକି ବର୍ଣ୍ଣନା ଅଛି, ତା’ ତୁଳନାରେ ତାଙ୍କ ବ୍ୟକ୍ତିତ୍ୱ ବହୁତ ବଡ଼ । ମୋଦିଙ୍କ କାର୍ଯ୍ୟ ଓ ବ୍ୟକ୍ତିତ୍ୱ ଅବର୍ଣ୍ଣନୀୟ ବୋଲି ସୋମବାର ଭୁବନେଶ୍ୱର ଠାରେ ଏହି ପୁସ୍ତକର ଓଡ଼ିଶା ଚାପ୍ଟର’ର ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହି ପୁସ୍ତକର ଓଡ଼ିଶା ଚାପ୍ଟରର ଉନ୍ମୋଚନ ଓ ପଠନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହ କହିଛନ୍ତି ଯେ ଓଡ଼ିଶାରେ ବିଜେପିର ସରକାର ହେବାକୁ ଯାଉଛି । ଲୋକଙ୍କ ବିଶ୍ୱାସକୁ ଜିତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବାଧିକ ଲୋକପ୍ରିୟ ହୋଇପାରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ଲଗାତାର ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ‌ଲଗାତାର ୨ ଥର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି । ଦୀର୍ଘ ୨୦ ବର୍ଷ ଶାସନରେ ପ୍ରଧାନମନ୍ତ୍ରୀ ମୋଦି ପରିବାରବାଦ ଏବଂ ତୁଷ୍ଟୀକରଣର ରାଜନୀତିକୁ ସମାପ୍ତ କରିଛନ୍ତି । ପରିବାରବାଦ ଜାଗାରେ ପଲିଟିକ୍ସ ଅଫ୍ ପର୍ଫମାନ୍ସ ବା ପ୍ରଦର୍ଶନ ଅନୁସାରେ ରାଜନୀତିର ନୂଆ ଧାରା ତିଆରି କରିଛନ୍ତି । ଲୋକତନ୍ତ୍ରରେ ସେହି ସଫଳ ହେବ, ଯିଏ ପରଫର୍ମ କରିବ ବୋଲି ସେ କହିଛନ୍ତି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତ୍ତୋର ଭାରତରେ ଜବାହାର ଲାଲ ନେହୁରଙ୍କ ଠାରୁ ମନମୋହନ ସିଂହଙ୍କ ପର୍ଯ୍ୟନ୍ତ ଅନେକ ପ୍ରଧାନମନ୍ତ୍ରୀ ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି । କିନ୍ତୁ ଦେଶରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଠୋର ପରିଶ୍ରମ ଦ୍ୱାରା ଗରିବ ଲୋକଙ୍କ ପାଇଁ ଦେଖିଥିବା ସ୍ୱପ୍ନକୁ ସାକାର କରୁଛନ୍ତି । ସେଥିପାଇଁ ମୋଦି କହିଥିଲେ ମୋ ସରକାର ଗରିବ, ଯୁବକ, ମହିଳା, ଜନଜାତି ବଞ୍ଚିତ ପାଇଁ ସମର୍ପିତ ରହିବ । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ,ସବକା ପ୍ରୟାସ ଦର୍ଶନରେ ଜନଭାଗିଦାରୀର ଅନନ୍ୟ ଜନଆନ୍ଦୋଳନ ହେଉଛି ମୋଦି ସରକାରର ବଡ଼ ବିଶେଷତା । ଅଦ୍ୱିତୀୟ ନେତା ମୋଦିଙ୍କ ଗୁଜୁରାଟ ମଡେଲରୁ ଇଣ୍ଡିଆ ମଡ଼େଲ, ଜନକଲ୍ୟାଣକାରୀ ଯୋଜନା ଆଜି କୋଟି କୋଟି ଲୋକଙ୍କୁ ନୂଆ ଆଶା ଓ ଭରସା ଦେଇଛି । ମୋଦି ବିଶ୍ୱର ଗରିବ ଲୋକମାନଙ୍କର ଆଶାର ପ୍ରତୀକ ହୋଇଛନ୍ତି । ବିକଶିତ ରାଷ୍ଟ୍ର ଓ ବିଶ୍ୱର ସବୁ ଅଞ୍ଚଳରେ ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ଅଛି । ମୋଦିଙ୍କ ମଡେଲକୁ ଅନେକ ବଡ ବଡ଼ ରାଷ୍ଟ୍ର ଗ୍ରହଣ କରୁଛନ୍ତି । ଦିନେ ଖାଦ୍ୟର ଅଭାବକୁ ଦୂର କରିବା ପାଇଁ ଭାରତ ଆମେରିକାରୁ ନିମ୍ନମାନର ଚାଉଳ ଗହମ ଆମଦାନୀ କରୁଥିଲା । ମାତ୍ର ଏବେ ଆମେରିକା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହାତ ମିଳାଇବାକୁ ତାଙ୍କ ପାଖକୁ ଆସୁଛନ୍ତି । ଏହା ପରିବର୍ତ୍ତିତ ଭାରତ ବା ନୂଆ ଭାରତ ଏବଂ ଏହାର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ନରେନ୍ଦ୍ର ମୋଦି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ମଇ ୧୧ ତାରିଖରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ କରକମଳରେ “ମୋଦି @ ୨୦- ଡ୍ରିମ୍ସ ମିଟ୍ ଡ଼େଲିଭରି” ପୁସ୍ତକ ଉନ୍ମୋଚନ ହୋଇଥିଲା । ଏହି ପୁସ୍ତକରେ ୨୨ଟି କ୍ଷେତ୍ରର ସୁନାମଧନ୍ୟ ଲେଖକଙ୍କ ଦ୍ୱାରା ୨୧ ପ୍ରବନ୍ଧର ସଂକଳନ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ୨୦୦୧ରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ଭାବରେ ୨୦ ବର୍ଷ ଧରି ରାଜ୍ୟ ତଥା ଜାତୀୟ ସ୍ତରରେ ସରକାରର ମୁଖ୍ୟ ଭାବରେ ରହିଥିବା ସମୟରେ ତାଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟଦକ୍ଷତାର ବିଭିନ୍ନ ଦିଗକୁ ପୁସ୍ତକରେ ଉଲ୍ଲେଖ କରାଯାଇଛି । ତେବେ ମୋଦିଙ୍କ ୨୦ ବର୍ଷ ନେତୃତ୍ୱାଧୀନ ଏହି ବହିକୁ ଆଲୋଚନା କରିବା ମୁଖ୍ୟ ବିଷୟବସ୍ତୁ ନୁହେଁ, ମୋଦି ହେଉଛନ୍ତି ପୂର୍ଣ୍ଣାଙ୍ଗ । ସେ କହିଛନ୍ତି ଯେ ଦେଶ ସ୍ୱତନ୍ତ୍ରତାର ୭୫ ବର୍ଷ ଅବସରରେ ଓଡ଼ିଶାକୁ ଶ୍ରୀ ଶାହଙ୍କ ଆଗମନ ଦ୍ୱାରା ଆମ ଓଡ଼ିଆ ସମାଜର ସ୍ୱାଧୀନତାର ଲଢେଇ ଓ ଐତିହ୍ୟର ସ୍ମୃତି ଉଜ୍ଜିବୀତ ହୋଇଛି । “ମୋଦି @୨୦ – ଡ୍ରିମ୍ସ ମିଟ୍ ଡ଼େଲିଭରି” ପୁସ୍ତକର ଲେଖକ ଭାବେ ଶ୍ରୀ ଶାହ ଆଜି ଉପସ୍ଥିତ ହେବା ଗର୍ବର ବିଷୟ । ମୋଦିଙ୍କର ବିଚାର, ରଣନୀତି, ବ୍ୟାପକତା ତଥା ତାଙ୍କ ଭଳି ଜଣେ ହିମାଳୟ ସଦୃଶ ନେତୃତ୍ୱକୁ ଖୁବ କମ ଲୋକ ଜାଣିଛନ୍ତି । ସେହି କମ ଲୋକଙ୍କ ମଧ୍ୟରୁ ଶ୍ରୀ ଶାହ ଅନ୍ୟତମ । ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଓ ବିଚାର ଉପରେ ଓଡ଼ିଶାବାସୀଙ୍କୁ ମାର୍ଗଦର୍ଶନ ଦେଇଥିବାରୁ ମାନ୍ୟବର ଗୃହ ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । 

Leave a Reply

Your email address will not be published. Required fields are marked *