ଦରଦାମ ହୁ ହୁ ହୋଇ ବଢ଼ୁଛି; ସରକାର ଶ୍ବେତପତ୍ର ଜାରି କରନ୍ତୁ : ପଞ୍ଚାନନ
କଂଗ୍ରେସ ଅମଳରେ ସବୁଜ ଓ ଶ୍ବେତ ବିପ୍ଳବ ହୋଇଥିଲା; ବିଜେପି ସରକାର କେଉଁଥିରେ ଦେଶକୁ ସ୍ବାବଲମ୍ବୀ କରିଛି ? ଯଦି ଇଥାନଲ ଉତ୍ପାଦନ ପାଇଁ ଚିନିର ଅଭାବ ହେଉନାହିଁ, ଏତେ ଚିନି ଆମଦାନି କାହିଁକି କରୁଛ ?
ଭୁବନେଶ୍ୱର : ସାରା ଦେଶରେ ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି । ଦରଦାମ ଉପରେ ସରକାରଙ୍କର ଆଦୌ ନିୟନ୍ତ୍ରଣ ନାହିଁ । ଆଗକୁ ସରକାର ଦରଦାମ କିପରି ନିୟନ୍ତ୍ରଣ କରିବେ ସେ ନେଇ କୌଣସି ଯୋଜନା ମଧ୍ୟ ନାହିଁ । ଗରିବ ଓ ମଧ୍ୟବିତ୍ତଙ୍କ ଭାତଥାଲିରେ ଲାତ ମାରି ସରକାର ନିଘୋଡ଼ ନିଦରେ ଶୋଇଛନ୍ତି । ଆଗକୁ ସରକାର କିପରି ଦରଦାମ ନିୟନ୍ତ୍ରଣ କରିବେ ସେ ନେଇ ସରକାର ତୁରନ୍ତ ଶ୍ବେତପତ୍ର ଜାରି କରନ୍ତୁ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, କଂଗ୍ରେସ ସରକାର ଦେଶରେ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଦୁଇଟି ବିପ୍ଳବ ଆଣି ସଫଳ ହୋଇଥିଲେ । ସବୁଜ ବିପ୍ଳବ ଜରିଆରେ ଦେଶକୁ ଖାଦ୍ୟଶସ୍ୟ ଉତ୍ପାଦନରେ ସ୍ବାବଲମ୍ବୀ କରିଥିଲେ । ସେହିପରି ଶ୍ବେତ ବିପ୍ଳବ ଜରିଆରେ ପ୍ରଚୁର ଦୁଗ୍ଧଜାତୀୟ ଉତ୍ପାଦ ଦେଶବାସୀଙ୍କ ପାଇଁ ବ୍ୟବସ୍ଥା କରାଇଥିଲେ । କିନ୍ତୁ ଗତ ୧୨ ବର୍ଷରେ ବିଜେପି ସରକାର କୌଣସି ଗୋଟିଏ କ୍ଷେତ୍ରରେ ବି ଦେଶକୁ ସ୍ବାବଲମ୍ବୀ କରିପାରିନାହାନ୍ତି । ଏଣେ ସରକାର କହୁଛନ୍ତି ଇଥାନଲ-୨୦ ପାଇଁ ଦେଶରେ ଚିନିର ଅଭାବ ହେଉନାହିଁ । ତେବେ ଏତେବର୍ଷ ପରେ କାହିଁକି ଦେଶକୁ ଏତେ ପରିମାଣରେ ଚିନି ଆମଦାନି କରିବାକୁ ପଡ଼ୁଛି ବୋଲି ସେ ପ୍ରଶ୍ନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସାେନାଲି ସାହୁ ଉପସ୍ଥିତ ଥିଲେ ।