ଓଡ଼ିଶାରେ ମହିଳା ସୁରକ୍ଷିତ ନୁହଁନ୍ତି

ଭୁବନେଶ୍ୱର:ରାଜ୍ୟର ମୁଖ୍ୟମନ୍ତ୍ରୀ ଭାରତ ବର୍ଷର ୧ ନମ୍ବର ମୁଖ୍ୟମନ୍ତ୍ରୀ । ରାଜ୍ୟ ବିଶ୍ୱ ଦରବାରରେ ଦ୍ୱିତୀୟ ଥର ହକି ଖେଳ ଆୟୋଜନ କରି ପ୍ରଶଂସା ଗୋଟାଇବାକୁ ଧାଇଁ ଥିବାବେଳେ ଏ ରାଜ୍ୟର ମହିଳା, ଅପ୍ରାପ୍ତବୟସ୍କା ଛାତ୍ରୀ, ଏପରିକି ଭିନ୍ନକ୍ଷମ ମହିଳା ମଧ୍ୟ ସୁରକ୍ଷିତ ନୁହଁନ୍ତି । ରାଜ୍ୟର ମୋଟ ଜନସଂଖ୍ୟାର ଶତକଡ଼ା ୪୯.୮ ଭାଗ କେବଳ ମହିଳା ଅଟନ୍ତି । କିନ୍ତୁ ଏ ରାଜ୍ୟ ମହିଳା ମାନଙ୍କ ପାଇଁ ଏକ ସୁରକ୍ଷିତ ରାଜ୍ୟ ନୁହେଁ ବୋଲି କଂଗ୍ରେସ ଭବନ ଠାରେ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ମହିଳା କଂଗ୍ରେସ ପକ୍ଷରୁ ବିଶ୍ୱଦ୍‌ଗାର କରାଯାଇଛି । କଂଗ୍ରେସ ନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର ସାମ୍ବାଦିକମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ସାରା ଭୁବନେଶ୍ୱରକୁ ସରକାର ଆଲୋକରେ ସଜ୍ଜିତ କରିଥିବାବେଳେ ଏବଂ ହକିଖେଳ ପାଇଁ ମାଳମାଳ ପୁଲିସ ନିୟୋଜିତ ଥିବାବେଳେ ଭୁବନେଶ୍ୱର ପଟିଆ ରେଳଷ୍ଟେସନ ଠାରେ ଗତ ଦୁଇ ଦିନ ପୂର୍ବରୁ ଯେଉଁଭଳି ଭାବରେ ୨ ଅପ୍ରାପ୍ତ ବୟସ୍କା ବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ ଓ ଅତ୍ୟାଚାର କରାଗଲା । ଏପର୍ଯ୍ୟନ୍ତ ଆସାମୀମାନଙ୍କୁ କମିସନରେଟ ପୁଲିସ ଗିରଫ କରିବାକୁ ସକ୍ଷମ ହେଲା ନାହିଁ । ଯଦି ରାଜ୍ୟର ମୁଖ୍ୟମନ୍ତ୍ରୀ ୧ ନମ୍ବର, ତେବେ ରାଜ୍ୟର ମହିଳାମାନେ କାହିଁକି ଅସୁରକ୍ଷିତ ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବିଶେଷ ଭାବରେ ରାଜ୍ୟ ମୌନପିପାଶୁ ଓ ଅପରାଧିମାନଙ୍କର କାହିଁକି ଚରାଭୁଇଁ ପାଲଟିଛି ବୋଲି ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଖୋଦ ଭୁବନେଶ୍ୱରରେ ମହିଳା ପୁଲିସ ମଧ୍ୟ ସୁରକ୍ଷିତ ନୁହନ୍ତି ବୋଲି ବେଶ୍ ଭଲ ଭାବରେ ଜଣା । ଏ ରାଜ୍ୟରେ ପ୍ରତିଦିନ ୮ ଜଣ ମହିଳାଙ୍କୁ ଦୁଷ୍କର୍ମ କରାଯାଏ । ୨୦୨୦-୨୧ ଏନ୍‌.ସି.ଆର.ବି. ରିପୋର୍ଟ ଅନୁସାରେ ୨୦୨୦ ମସିହା ଠାରୁ ରାଜ୍ୟରେ ମହିଳାମାନଙ୍କ ଉପରେ ୨୩% ଅପରାଧ ବୃଦ୍ଧି ଘଟିଛି । ମହିଳା ଉତ୍ପାଡ଼ନ ଓ ପାଶ୍ୱବିକ ଅତ୍ୟାଚାର କ୍ଷେତ୍ରରେ ଓଡ଼ିଶା ସାରା ଭାରତ ବର୍ଷରେ ୫ମ ତମ ରାଜ୍ୟ । ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ରାଜ୍ୟରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରତି ରାଜ୍ୟ ସରକାର ଆଖିବୁଜି ନେଇଛନ୍ତି ବୋଲି କହିଛନ୍ତି । ଏ ସରକାର ନାମକୁ ମାତ୍ର ମହିଳାମାନଙ୍କୁ ସମ୍ମାନ କରୁଛି ବୋଲି ଡିଣ୍ଡିମ ପିଟୁଛନ୍ତି । ରାଜ୍ୟରେ ମହିଳାମାନଙ୍କ ସମ୍ମାନହାନୀ । ୨୦୨୧ ମସିହାରେ ୬୫.୩ % ବୃଦ୍ଧି ଘଟିଛି । ଅପହରଣ ଓ ମହିଳା ମାନଙ୍କୁ ବନ୍ଧକ ରଖିବା କ୍ଷେତ୍ରରେ ୨୦୨୧ ମସିହାରେ ୩୭୧ % ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି । ଏ ରାଜ୍ୟରେ ୫ ବର୍ଷର କୋମଳମତି ବାଳିକାଟି ମଧ୍ୟ ସୁରକ୍ଷିତ ନୁହେଁ । ଗତ କିଛି ଦିନ ତଳେ ନିଜର ହକ୍ ପାଇଁ ଏକ ଗର୍ଭବତୀ ମହିଳା ସୁଲବତୀ ନାୟକ ରାୟଗଡ଼ା ଜିଲ୍ଲାର କାଶିପୁର ଉତ୍କଳ ଆଲୁମିନା କମ୍ପାନୀର ଗେଟ୍ ସାମନାରେ ଧାରଣା ଦେଇଥିବାବେଳେ ପୁଲିସ ତାକୁ ସମସ୍ତ ଆଇନକାନୁନ୍‌କୁ ଉଲଘଂନ କରି ତାଙ୍କୁ ଗିରଫ କରି ପଠାଇ ଦିଆଗଲା । ଜେଲରେ ଆସନ୍ନପ୍ରଶବା ସୁଲବତୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଗଲା ନାହିଁ । ଜେଲରୁ ବାହାରିବା ପରେ ସୁଲବତୀଙ୍କର ମୃତ୍ୟୁ ଘଟିଲା । ଏଥିପାଇଁ କାହାକୁ ଦାୟୀ କରାଯିବ । ପୁରୀ ଜିଲ୍ଲା ଅନ୍ତର୍ଗତ କାକଟପୁରର ରାଜଶ୍ରୀଙ୍କ ମୃତ୍ୟୁ ଏବେ ମଧ୍ୟ ବହୁ କିଛି କଥା କହୁଛି । ସେ ଅଞ୍ଚଳର ମନ୍ତ୍ରୀ ଖୋଦ କ୍ରୀଡ଼ା ଓ ଗୃହ ବିଭାଗର । କିନ୍ତୁ ତାଙ୍କର ସମୟ ନାହିଁ, ରାଜଶ୍ରୀ ମୃତ୍ୟୁର କାରଣ ଜଣାଇବା ପାଇଁ ପରି, ଇତିଶ୍ରୀ, ବେବିନା, ମାଧବିଲତା, ମମିତା ବହୁ ପ୍ରଭୂତି ଘଟଣା ରାଜ୍ୟର ମହିଳାମାନଙ୍କ ପ୍ରତି ହେଉଥିବା ଲୋମହର୍ଷଣକାରୀ ଅତ୍ୟାଚାରର ଗୋଟିଏ ଗୋଟିଏ ଇତିହାସ ।  ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମଧୁସ୍ମିତା ଆଚାର୍ଯ୍ୟ ଓ ଜୟଶ୍ରୀ ମହାପାତ୍ର ଉପସ୍ଥିତ ଥିଲେ ।  

Leave a Reply

Your email address will not be published. Required fields are marked *