ମହାପ୍ରଭୁ ଶ୍ରୀଜଗନ୍ନାଥ, ହିମାଳୟ, ସାଗର, ସମ୍ରାଟ ଖାରବେଳ, ଓଡ଼ିଆ ଭାଷା ଆମ ପାଇଁ ବ୍ରାଣ୍ଡ୍

ଭୁବନେଶ୍ୱର:ଓଡ଼ିଆ ଲୋକମାନେ ବୈଶ୍ୱିକ କଲ୍ୟାଣର ଚିନ୍ତା କରୁଥିବା ଲୋକ । ଆମେ ଓଡ଼ିଆ ଲୋକମାନେ କେଉଁଟା ଭୁଲ ଏବଂ କେଉଁଟା ଠିକ୍ ତାହା ଭଲ ଭାବରେ ଜାଣୁ । ବର୍ତ୍ତମାନ ସମ୍ପ୍ରତିକ ସ୍ଥିତି ଅନୁସାରେ ଆମେ ଅର୍ଜୁନ ଓ ଅଭିମନ୍ୟୁଙ୍କ ଭଳି ସାହସିକତା ଦେଖାଇବା ଓ ଚକ୍ରବ୍ୟୁହ ଭେଦ କରି ନିଜର ପରିଚୟ ସୃଷ୍ଟି କରିବା ଦରକାର ବୋଲି ଶୁକ୍ରବାର ‘ସମ୍ବାଦ’ର “ବ୍ରାଣ୍ଡସ ଅଫ୍ ଓଡ଼ିଶା – ପ୍ରାଇଡ୍ ଅଫ୍ ଇଣ୍ଡିଆ”ର ଷଷ୍ଠ ସଂସ୍କରଣରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ ଭାରତୀୟ ଜୀବନ ପ୍ରବାହରେ ବ୍ରାଣ୍ଡର ଯଥାର୍ଥତା ଅସୀମ । ମହାପ୍ରଭୁ ଶ୍ରୀଜଗନ୍ନାଥ, ହିମାଳୟ, ସାଗର, ସମ୍ରାଟ ଖାରବେଳ, ହଜାର ହଜାର ବର୍ଷ ପୁରୁଣା ଓଡ଼ିଆ ଭାଷା ଆମ ପାଇଁ ଏକ ବ୍ରାଣ୍ଡ୍ । ଓଡିଶାର ବ୍ରାଣ୍ଡ୍ ଧର୍ମପଦ । ବ୍ରାଣ୍ଡ କେବଳ ବ୍ୟବସାୟ, ବାଣିଜ୍ୟ ଭିତରେ ସୀମିତ ରହିବା ଉଚିତ୍ ନୁହେଁ । ମଣିଷକୁ ଆଗକୁ ବଢିବା ପାଇଁ ହେଲେ ଗୋଟିଏ ପରିଚୟ ଦରକାର । ଆଉ ସେହି ପରିଚୟର ବାସ୍ତବିକ ରୂପ ହେଉଛି ବ୍ରାଣ୍ଡ । ଓଡ଼ିଶାର ଇତିହାସ ହଜାର ହଜାର ବର୍ଷ ପୂର୍ବର । ଧର୍ମପଦର ଚରିତ୍ର, ତପସ୍ୟା, ତ୍ୟାଗ ଆମ ସମାଜ ଏବଂ ଓଡ଼ିଆ ଜାତିର ପରିଚୟ । ଓଡ଼ିଆ ଲୋକଙ୍କ ପାଖରେ ସମ୍ପନ୍ନତା ହେଲେ ସାମାଜିକ ବିତରଣରେ ଏହାକୁ ଉପଯୋଗ କରିବାକୁ ସୁଯୋଗ ଖୋଜାଯାଏ । ଭାରତୀୟ ଚରିତ୍ର ଓ ଓଡ଼ିଆ ଚରିତ୍ର ଡିଏନଏ ଥିବା କାରଣରୁ ଏହା ମୋର ବ୍ରାଣ୍ଡ୍ । ଏହା ହିଁ ଓଡ଼ିଶାର ଚରିତ୍ର । ଡିଜିଟାଲ ଦୁନିଆ କାରଣରୁ ବିଶ୍ୱ ଦ୍ରୁତ ଗତିରେ ସଙ୍କୁଚିତ ହେଉଛି । ଭାରତରେ ୫ଜି ଶୁଭାରମ୍ଭ ହୋଇଛି । ଡିଜିଟାଲ ଦୁନିଆରେ ଭାରତ ଧୀରେ ଧୀରେ ନେତୃତ୍ୱ ନେବା ପାଇଁ ଅଗ୍ରସର ହେଉଛି । ଆଉ ଓଡ଼ିଶା ମଧ୍ୟ ଏହି ଯାତ୍ରାରେ ଆଗରେ ରହିବ । ଓଡ଼ିଶାର ବ୍ରାଣ୍ଡ ଆଗକୁ ଭାରତକୁ ନେତୃତ୍ୱ ଦେବ । ଭାରତ ନେତୃତ୍ୱ ନେଲେ ବିଶ୍ୱରେ ଗର୍ବିତ ହେବ । ଭାରତ ଏବେ ଜି-୨୦ର ଅଧ୍ୟକ୍ଷତା କରିବା ପାଇଁ ଯାଉଛି । ଏହି ସମ୍ମିଳନୀରେ ବିଶ୍ୱର ବିକଶିତ ରାଷ୍ଟ୍ର ଓ ସଂଗଠନ ଏକତ୍ରୀତ ହେବେ । ଭାରତ ଏବେ ବିଶ୍ୱର ୧୩୦ ଗରିବ ଦେଶଙ୍କ ପାଇଁ ଭଏସ ଅଫ୍ ଗ୍ଲୋବାଲ ସାଉଥ ମଞ୍ଚ ତିଆରି କରି ଏକାଠି କଲା । ଆର୍ଥିକ ଦୁର୍ବଳ ଦେଶ ଗୁଡିକର ଆବଶ୍ୟକତା କଣ ଓ କିଭଳି ଧନୀ ଦେଶ ଏ ଦିଗରେ ସହଯୋଗ କରିପାରିବେ ତାହାର ମାଧ୍ୟମ ସାଜିବାକୁ ଭାରତ ଆଗଭର ହୋଇଛି । ବିଶ୍ୱରେ ୧୦୦ ଟଙ୍କା କାରବାର ହେଲେ ଏହାର ୪୦ ପ୍ରତିଶତ ଅଥାର୍ତ ୪୦ ଟଙ୍କା ଡିଜିଟାଲ କାରବାର ଭାରତରେ ହେଉଛି । ଆଗାମୀ ଦିନରେ ଭାରତର ବଜାରକୁ ବିଶ୍ୱ ସହ ଓ ବିଶ୍ୱର ବଜାରକୁ ଭାରତ ସହ ଯୋଡିବାର ଏ ହେଉଛି ଚାବିକାଠି । ଏ ସମ୍ଭାବନା ଏବେ ଭାରତରେ ଦେଖାଦେଇଛି । ଆଉ ଏହି ସମ୍ଭାବନାର ସହଜ ସ୍ଥାନ ହେଉଛି ଓଡ଼ିଶା । ଭାରତର ମୂଳପୁଞ୍ଜି ହେଲା ବୌଦ୍ଧିକ କ୍ଷମତା । ଏକବିଂଶ ଶତାବ୍ଦୀର ଅର୍ଥନୀତି ହେଉଛି ବୌଦ୍ଧିକ ଜ୍ଞାନର ଅର୍ଥନୀତି ଏବଂ ଓଡ଼ିଶା ଏହାର ପେଣ୍ଠସ୍ଥଳୀ ହୋଇପାରିବ । ଏଠାରେ ଅନେକ ସମ୍ଭାବନା ରହିଛି । ଦୀର୍ଘ ୪ ଦଶନ୍ଧି ଧରି କେବଳ ଖବରକାଗଜ ପ୍ରକାଶିତ କରିବାରେ ନିଜକୁ ସୀମିତ ନ ରଖି ସଂଚାର ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ସାମାଜିକ ଦାୟିତ୍ୱ ନେବା ତଥା ଓଡିଆ ସାହିତ୍ୟକୁ ଏକବିଂଶ ଶତାବ୍ଦୀରେ ନୂଆ ଭାବରେ ପ୍ରସ୍ତୁତ କରିବା ଏବଂ ଏହାକୁ ନୂଆପିଢି ପାଖରେ ପହଞ୍ଚାଇବା ପାଇଁ ନିରବଚ୍ଛିନ ଭାବେ କାର୍ଯ୍ୟ କରୁଥିବାରୁ ଶ୍ରୀ ପ୍ରଧାନ ସମ୍ବାଦକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ବିଜେତା ଶିଳ୍ପ ସଂସ୍ଥା ଓ ଉଦ୍ୟୋଗୀମାନଙ୍କୁ ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୩’ ପ୍ରଦାନ କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *