ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳାରେ ବୟନିକାର ଯୋଗଦାନ

ଭୁବନେଶ୍ୱର : ପାର୍ବଣ ଋତୁକୁ ଆଖିରେ ରଖି ‘କ୍ରାଫ୍ଟ ଇଣ୍ଡିଆ’ ଦ୍ୱାରା ୟୁନିଟ -୩ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳାରେ ବୟନିକା ଯୋଗ ଦେଇଛି । ବୟନିକା ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲରେ ଓଡ଼ିଶାର ବୁଣାକାରମାନଙ୍କଠାରୁ ସଂଗ୍ରହ କରାଯାଇଥିବା ଅନନ୍ୟ ବସ୍ତ୍ର ସମ୍ଭାରକୁ ଏଠାରେ ପ୍ରଦର୍ଶନ କରାଯାଉଛି । ଇଚ୍ଛୁକ ଗ୍ରାହକଙ୍କ ପାଇଁ ମଧ୍ୟ ସ୍‍ୱତନ୍ତ୍ର ଭାବେ ଅତିରିକ୍ତ ୧୦ ପ୍ରତିଶତ ରିହାତି ଘୋଷଣା କରାଯାଇଛି । ଅର୍ଥାତ୍‍ ଏହି ମେଳାରେ ବୟନିକା ଷ୍ଟଲରୁ ଯେ କୌଣସି କିଣାକିଣି ଉପରେ ୨୦% ରିହାତି ଉପରେ ଅତିରିକ୍ତ ୧୦ ପ୍ରତିଶତ ରିହାତି ମିଳିବ । ଓଡ଼ିଶା ସମେତ ୧୧ଟି ରାଜ୍ୟର ହାତ ବୁଣା ଶାଢ଼ି ଏଠାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କାରିଗରମାନେ ସିଧାସଳଖ ସେମାନଙ୍କ କାରିଗରୀକୁ ଲୋକଙ୍କୁ ପ୍ରଦର୍ଶନ କରାଉଛନ୍ତି ଆଉ ଲୋକେ ଏହାକୁ ପରଖି କିଣୁଛନ୍ତି । ଭଲ ବ୍ୟବସାୟକୁ ଲକ୍ଷ୍ୟ କରି କାରିଗରମାନେ ନିଜ ଉତ୍ପାଦର ବିକ୍ରି ମୂଲ୍ୟରେ ୨୦ ପ୍ରତିଶତ ରିହାତି ଘୋଷଣା କରିଛନ୍ତି । କେବଳ ଶାଢ଼ି ନୁହେଁ, ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ତେଲଙ୍ଗାନାରୁ ଆସିଥିବା କାରିଗରମାନେ ୧୨୦ଟି ଷ୍ଟଲରେ ସେମାନଙ୍କ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରାଉଛନ୍ତି । ଓଡ଼ିଶାର ସମ୍ବଲପୁରୀ, ସୋନପୁରୀ ଶିଲକ ଶାଢ଼ି, ନୂଆପାଟଣା, ଖଣ୍ଡୁଆ, ବୋମକାଇ ପାଟ, ବରଗଡ଼ର ପଶାପାଲି ଓ ନବକୋଟି ଶାଢି ବୁଣାକାରମାନେ ମଧ୍ୟ ଏହି ଅବସରରେ ନିଜର ଷ୍ଟଲ ଖୋଲିଛନ୍ତି ।
ଗ୍ରାହକଙ୍କ ସୁବିଧା ଦୃଷ୍ଟିରୁ ଏଠାରେ ପ୍ରବେଶ ଶୁଳ୍କ ମାଗଣା କରାଯାଇଛି । ସକାଳ ୧୧ଟାରୁ ଷ୍ଟଲ୍‍ଗୁଡ଼ିକ ବିକ୍ରି ଉଦ୍ଦେଶ୍ୟରେ ଖୋଲାଯାଉଛି । ରାତି ୯ଟା ଯାଏ କାରବାର ଚାଲିବା ସହ ଚାରି ଚକିଆ ଓ ଦୁଇଚକିଆ ଗାଡ଼ି ପାଇଁ ନିଃଶୁଳ୍କ ପାର୍କିଂ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଦର୍ଶନୀର ଆୟୋଜକ ବିକାଶ ଜୟଶ୍ୱାଲ କହିଛନ୍ତି ।