ସୁଭଦ୍ରା ଯୋଜନାର ୨ ବର୍ଷ ପୂର୍ତ୍ତି

ଭୁବନେଶ୍ୱର : ଆଜି ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ‘ସୁଭଦ୍ରା’ ଯୋଜନାର ସଫଳ ଦୁଇ ବର୍ଷ ପୂରଣ ଅବସରରେ ଆସନ୍ତାକାଲି-ସେପ୍ଟେମ୍ବର ୧୭ ସନ୍ଧ୍ୟା ୬:୦୦ ରୁ ୭:୦୦ ଟା ମଧ୍ୟରେ ରାଜ୍ୟର ପ୍ରତ୍ୟେକ ଘରେ ଦୀପ ପ୍ରଜ୍ୱଳନ କରିବାକୁ ଆହ୍ୱାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ।

ସୁଭଦ୍ରା ଯୋଜନାର ଅଗ୍ରଗତି ସମ୍ପର୍କରେ ପ୍ରକାଶ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ୫ଟି କିସ୍ତି ଜରିଆରେ ୧ କୋଟି ୩ ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ (DBT) ୨୫,୮୦୦ କୋଟି ଟଙ୍କା ସହାୟତା ହସ୍ତାନ୍ତର କରାଯାଇଛି । ଆଇଆଇଏମ୍‌ ସମ୍ବଲପୁର, ଏସବିଆଇ ଏବଂ ନୀତି ଆୟୋଗର ଆକଳନ ଅନୁଯାୟୀ, ଏହି ଯୋଜନା ଫଳରେ ରାଜ୍ୟର ୨୬ ପ୍ରତିଶତରୁ ଊର୍ଦ୍ଧ୍ୱ ମହିଳା ନିଜସ୍ୱ ଉଦ୍ୟୋଗୀ ଭାବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରି କହିଛନ୍ତି, “ଆସନ୍ତା କାଲି ମହିଳା ସଶକ୍ତୀକରଣ ଓ ଆତ୍ମସମ୍ମାନର ସଂକଳ୍ପ ଦିବସ ଭାବେ ପାଳନ କରାଯିବ । ଏହି ଅବସରରେ ରାଜ୍ୟର ସମସ୍ତ ଆଇ ଇସିଡିଏସ୍ (ICDS) ପ୍ରକଳ୍ପ, ଅଙ୍ଗନବାଡ଼ି କେନ୍ଦ୍ର ଓ ସିଡିପିଓ କାର୍ଯ୍ୟାଳୟଗୁଡ଼ିକରେ ରଙ୍ଗୋଲି ପ୍ରତିଯୋଗିତା ଏବଂ ସବିଶେଷ ସମାରୋହ ଆୟୋଜନ କରାଯିବ ।” ଏଥିସହ ‘ପୋଷଣ ଅଭିଯାନ’ ମାଧ୍ୟମରେ ଓଡ଼ିଶାକୁ ୧୦୦% କୁପୋଷଣମୁକ୍ତ କରି ଏକ ‘ସୁପୋଷିତ ଓ ବିକଶିତ ଓଡ଼ିଶା’ ଗଠନ ପାଇଁ ବିଭାଗ ସଂକଳ୍ପବଦ୍ଧ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ମହିଳା ସଶକ୍ତୀକରଣ, ମର୍ଯ୍ୟାଦା ଓ ସ୍ୱାବଲମ୍ବନର ଭାବନାକୁ ଉତ୍ସବ ଆକାରରେ ପାଳନ କରିବାକୁ ଆହ୍ୱାନ ଜଣାଇଛନ୍ତି ।